ବେଙ୍ଗଲ ଫେରନ୍ତାଙ୍କ ଯୋଗୁଁ ଏବେ ବାରୁଦଗଦାରେ ଭଦ୍ରକ ,ଆଜି ପୁଣି ୫କରୋନା ଆକ୍ରାନ୍ତ ଚିହ୍ନଟ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଛୁଇଁଲା, ୧୩ କୋଲକତା ଲିଙ୍କ୍ , ସଚିବ ଲୋହାନୀ ଓ ଏଡିଜି ପ୍ରିୟଦର୍ଶୀଙ୍କ କଣ୍ଟେନମେଣ୍ଟ ଅଞ୍ଚଳ ଗସ୍ତ
ଭଦ୍ରକ,୨୪ ।୦୪(ଜିପ୍ର):ଏବେ ବେଙ୍ଗଲ(ପଶ୍ଚିମବଙ୍ଗ)ଫେରନ୍ତାଙ୍କ ଯୋଗୁଁ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଏକ ସଙ୍ଗୀନ ସ୍ଥିତି ସୃଷ୍ଟି କରିଛି । ଫଳରେ ବେଙ୍ଗଲ ଫେରନ୍ତାଙ୍କ ଯୋଗୁଁ ଏବେ ବାରୁଦଗଦାରେ ଭଦ୍ରକ ବୋଲି ସାଧାରଣରେ ଆଲୋଚନା ଚାଲିଛି । ଆଜି ସକାଳେ ଜିଲ୍ଲାର ବାସୁଦେବପୁର ବ୍ରାହ୍ମଣୀଗାଁର ଜଣେ ୪୦ବର୍ଷର ବେଙ୍ଗଲ ଫେରନ୍ତା ଯୁବକ କରେନା ପଜେଟିଭ୍ ଆକ୍ରାନ୍ତ ହୋଇଥିବା ବେଳେ ଅପରାହ୍ନରେ ସ୍ୱାବ ରିପୋର୍ଟ ଫଳାଫଳରେ ପୁଣି ୪ଜଣ-ଧାମନଗର ବ୍ଲକ ଖଡିପଦା ଓ କଲ୍ୟାଣୀ ପଞ୍ଚାୟତରୁ ୨ଜଣ, ତିହିଡି ବ୍ଲକ କାଁପଡା ପଞ୍ଚାୟତର ମଠସାହି ଅଞ୍ଚଳର ଜଣେ ଓ ଏହି ବ୍ଲକର ବାମନବିନ୍ଧା ପଞ୍ଚାୟତର କାନପୁର ଅଞ୍ଚଳର ଜଣେ ଆକ୍ରାନ୍ତ ବୋଲି ଜଣାଯାଇଛି । ଆଜି ଚିହ୍ନଟ ହୋଇଥିବା ସବୁ କରୋନା ଆକ୍ରାନ୍ତମାନେ ପୁରୁଷ ଓ ଏମାନଙ୍କ ବୟସସୀମା-୨୪ରୁ ୪୨ ମଧ୍ୟରେ ହେବ । ଏଥିସହ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପଞ୍ଚିଛି ଓ ଏହା ରାଜଧାନୀ ଭୁବନେଶ୍ୱର ପଛରେ ରହିଛି । ପ୍ରକାଶ ଯୋଗ୍ୟ ଯେ: ଭଦ୍ରକରେ ଆଜି ସୁଦ୍ଧା ୧୬କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକ ସହରାଞ୍ଚଳର ୨, ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତ ଅଞ୍ଚଳର ୧ରୁ ଥିବା ବେଳେ ଅନ୍ୟ ୧୩ଜଣଙ୍କ ଯାକ ବେଙ୍ଗଲ ଫେରନ୍ତା ବୋଲି ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରିରୁ ସ୍ପଷ୍ଟ ହୋଇଛି । ଆଜି ଚିହ୍ନଟ ହୋଇଥିବା ୫ଜଣ ସଂପୃକ୍ତ ବ୍ଲକ କ୍ୱାରେନଟାଇନ୍ରେ ଥିବା ଜଣାଯାଇଛି । ଚିହ୍ନଟ ହୋଇଥିବା ୧୩ ବେଙ୍ଗଲ ଫେରନ୍ତାଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକ ଅଞ୍ଚଳର କେବଳ ୬ ଜଣ । ପ୍ରଶାସନ ପକ୍ଷରୁ ପୂର୍ବରୁ ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତର ୨୧ଟି ଗାଁକୁ ନେଇ ୪ଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । ଆଜି ପୁଣି ଏହି କଣ୍ଟେନମେଣ୍ଟ ଜୋନ୍ଷର ବ୍ରାହ୍ମଣୀଗାଁ ଓ ଅରଣ୍ଡୁଆ ପଞ୍ଚାୟତକୁ ସାମିଲ କରାଯାଇଛି । ସେହିଭଳି ଧାମନଗର ବ୍ଲକର ଖଡିପଦା ଓ କଲ୍ୟାଣୀ ପଞ୍ଚାୟତରୁ ୨ଜଣ ଚିହ୍ନଟ ହେବା ପରେ ଏହି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯାଇ ପ୍ରବେଶ ପଥକୁ ସିଲ୍ କରାଯାଇଛି । କେହି ବାହାରକୁ ଆସିପାରିବେ ନାହିଁ କି କେହି ଯାଇପାରିବେ ନାହିଁ ଓ ପ୍ରଶାସନ ପକ୍ଷରୁ ଖାଦ୍ୟ ଓ ନିତ୍ୟାବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ କରିବାକୁ ଘୋଷଣା ହେବା ସହ ସଂପୃକ୍ତ ଅଞ୍ଚଳର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ବେଙ୍ଗଲ ଫେରନ୍ତାଙ୍କ ଯୋଗୁଁ କରୋନା ସଂକ୍ରମଣ ଆଶାତୀତଭାବେ ବୃଦ୍ଧି ପାଇ ରାଜ୍ୟରେ ୨ୟ ସ୍ଥାନରେ ପହଞ୍ଚିବା ପରେ ସରକାରର ବରିଷ୍ଠ ପ୍ରଶାସକ ସଚିବ ସୁଶୀଲ ଲୋହାନୀ ଓ ଏଡିଜି ସୌମନ୍ଦ୍ରେ ପ୍ରିୟଦର୍ଶୀଙ୍କୁ ଭଦ୍ରକ ଜିଲ୍ଲାର ନୋଡାଲ ଅଫିସର ଭାବେ ନିଯୁକ୍ତି ଦେଇ ପରିସ୍ଥିତି ନିୟନ୍ତ୍ରଣ ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ଏହି ୨ବରିଷ୍ଠ ଅଧିକାରୀ ଜିଲ୍ଳାରେ ପହଞ୍ଚି ଜିଲ୍ଳାପାଳ ଡ.ଜ୍ଞାନ ଦାସ, ଏସ୍ପି ରାଜେଶ ପଣ୍ଡିତ, ଏଡିଏମ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ସିଡିଏମଓ ଡାକ୍ତର ଆର୍ଯ୍ୟ ମିଶ୍ର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରି କରୋନା ପରେ କଣ୍ଟେନମେଣ୍ଟ ଜୋନ୍ ହୋଇଥିବା ବାସୁଦେବପୁର ବ୍ଲକର ପଦ୍ମପୁର ଓ ଭଣ୍ଡାରିପୋଖରୀ ବ୍ଲକର ରହଣିଆ ଅଞ୍ଚଳକୁ ପରିଦର୍ଶନ କରିଥିଲେ । ତେବେ ସମୀକ୍ଷା କାଳରେ ଏହି ଅଧିକାରୀଦ୍ୱୟ ରାଜ୍ୟ ସୀମା ସିଲ୍ ଥିବା ବେଳେ କିଭଳି ଜିଲ୍ଲାକୁ ବେଙ୍ଗଲ ଫେରନ୍ତାଙ୍କ ଆଗମନ ବଢିଚାଲିଛି ସେଥିନେଇ ସେମାନେ ଗୁରୁତ୍ୱାରୋପ କରିବା ସହ ଫେରନ୍ତାଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ କ୍ୱାରେନଟାଇଇନରେ ରଖି ସେମାନଙ୍କ ସ୍ୱାବ ପରୀକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଜିଲ୍ଲାକୁ ଅବାଧରେ ବେଙ୍ଗଲ ଫେରନ୍ତାମାନେ ଗତ ୨୭.୩.୨୦ତାରିଖରେ ଶତାଧିକ ସଂଖ୍ୟାରେ କରିଛନ୍ତି । ଫେରନ୍ତାଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନଥିଲେ ବି ଗତ ୨୭.୩.୨୦ତାରିଖରୁ ବିଭିନ୍ନ ବ୍ଲକକୁ ୧୨ଶହରୁ ଅଧିକ ଲୋକ ଫେରିଥିବା ବେସରକାରୀ ଭାବେ କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ଜିଲ୍ଲାରେ ଲକଡାଉନ ବଳବତ୍ତର ଥିବା ବେଳେ ଓ ସୀମା ସିଲ୍ ଥିବା ବେଳେ କିଭଳି ବେଙ୍ଗଲ ଫେରନ୍ତାମାନେ ପ୍ରବେଶ କରୁଛନ୍ତି ସେଥିନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି