ଭଦ୍ରକ, ତା ୪/୩ : ରାତି ଅଧରେ ଗାଁରେ ବେଆଇନ ମଦ ବିକ୍ରି ବିରୋଧ କଲେ ମହିଳା। ମଦ ବିକ୍ରେତାଙ୍କୁ ବିରୋଧ କରିବା ସହ ଟାୟାର ଓ ମଦ ଜାଳି ବିରୋଧ କଲେ । ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ବିରୋଧ କରିବା ସହ ଅଟକାଇ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜିଦରଡା ଫାଣ୍ଡି ଅନ୍ତର୍ଗତ ଆହାରପଦା ଗାଁରେ । ଏହି ଆହାରପଦାର ହାତୀସାହିରେ ଜଣେ ବ୍ୟକ୍ତି ଦୀର୍ଘଦିନ ଧରି ଚୋରାରେ ମଦ ବିକ୍ରି କରୁଛି । ଏହା ଦ୍ବାରା ଗାଁରେ ଶାନ୍ତ ପରିବେଶ ନଷ୍ଟ ହେଉଛି। ଛାତ୍ର, ଯୁଵକ, ଵୃଦ୍ଧ ପ୍ରତ୍ୟେକ ବର୍ଗ ଏହି ମଦ ନିଶାରେ ଚୁର ରହୁଛନ୍ତି । ଏପରିକି ସଞ୍ଜ ନଇଁଲେ ଝିଅ ବୋହୁଙ୍କର ଘରୁ ବାହାରିବା ମୁଶକିଲ ହୋଇଯାଉଛି । ଏହାକୁ ନେଇ ଵାରମ୍ବାର ଗୁଜିଦରଡା ଫାଣ୍ଡି ଓ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ ଫଳ ଶୂନ । ଏହି ମଦ ବେପାରୀ ମୋଟା ଅଙ୍କର ଟଙ୍କା ଦେଇ ଗୁଜିଦରଡା ଫାଣ୍ଡିର ପୋଲିସ ଓ ଅବକାରୀ କର୍ମଚାରୀଙ୍କୁ ମାସିକିଆ ଦେଉଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ମଦ ବେପାରୀ ଏଣୁ ଅବାଧରେ ଗାଁରେ ମଦ କାରଵାର କରୁଛି । ଧିରେ ଧିରେ ଗାଁର ପରିବେଶ ନଷ୍ଟ ହେଉଛି । ଗତକାଲି ଏହି ଗାଁରେ ମହିଳାମାନେ ମଦ ଵେପାରୀ ବେଆଇନ ଭାବରେ ମଦ ରଖୁଥିବା କେବିନକୁ ଭାଙ୍ଗି ଓଲଟା ପକାଇ ମଦ ଆଣି ନଷ୍ଟ କରିଥିଲେ । ଗାଁରେ ପରିବେଶ ଅଶାନ୍ତ ହେଵାରୁ ଗୁଜିଦରଡା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହା ପରେ ପୋଲିସ ମହିଳାମାନଙ୍କୁ ବୁଝାସୁଝା କରିବାରୁ ମହିଳାମାନେ ଉତକ୍ଷିପ୍ତ ହୋଇଥିଲେ । ପରେ ମହିଳା ମାନେ ଏହାକୁ ନେଇ ଗତକାଲି ରାତିରେ ଆହାରପଦା ଛକରେ ମଦ ଓ ଟାୟାର ଜାଳି କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ। ଗାଁରେ ଏଭଳି ଅଶାନ୍ତ ପରିବେଶ ପାଇଁ ଗୁଜିଦରଡା ଫାଣ୍ଡି ପୋଲିସକୁ ଦାୟୀ କରିଥିଲେ। ପରିସ୍ଥିତି ଅଣ ଆୟତ୍ତ ହେଵାରୁ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ମଦ ଵେପାରୀଙ୍କୁ ଥାନାକୁ ଉଠାଇ ଆଣି ଅଟକ ରଖି ତଦନ୍ତ ରଖିଛନ୍ତି। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ମହିଳା ମାନେ ଶାନ୍ତ ପଡିଥିଲେ।