Odisha news

ପୁଣି ଧସିଲା ଜାତୀୟ ରାଜପଥ ଆପ୍ରୋଚରୋଡର ପଥର ପ୍ୟାକିଂ : ବିଚ୍ଛିନ୍ନ ହେବ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥ , ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ

0

ଭଦ୍ରକ/ଆରଡି :ଭଦ୍ରକ ଜିଲ୍ଳାର ସୀମାନ୍ତବର୍ତ୍ତୀ ଅଞ୍ଚଳ ଆରଡି ନିକଟସ୍ଥ ବୋଡକ ନିକଟରେ ପୁଣି ଗତକାଲି ରାତିରେ ବୈତରଣୀ ନଦୀ ମଧ୍ୟକୁ ଜାତୀୟ ରାଜପଥ କୟାଁଗୋଲା ସେତୁର ଆପ୍ରୋଚ ରୋଡର ୨ଶହ ଫୁଟର ପଥର ପ୍ୟାକିଂ ଧସି ଯାଇଛି । ଫଳରେ ଆଖଣ୍ଡଳମଣି-କୁଆଖିଆ ୨୦ନଂ ଜାତୀୟ ରାଜପଥର ବିପଦ ଦେଖା ଦେଇଛି ।

ଏହି ଜାତୀୟ ରାଜପଥ ୨ଟି ପର୍ଯ୍ୟଟନସ୍ଥଳ ଭଦ୍ରକର ଆଖଣ୍ଡଳମଣିପୀଠ ଓ ଯାଜପୁରର ମା ବିରଜା କ୍ଷେତ୍ରକୁ ସଂଯୋଗ କରିଥିବାରୁ ଆଗନ୍ତୁକ ପଯର୍‍ୟଟକ ଓ ଶ୍ରଦ୍ଧାଳୁମାନେ ଉଭୟ ପର୍ଯ୍ୟଟନସ୍ଥଳ ଦର୍ଶନର ସୁବିଧା ପାଇଥାନ୍ତି ।

ହେଲେ ଜାତୀୟ ରାଜପଥ ପାଶ୍ୱର୍ର ପଥର ପ୍ୟାକିଂ କରିବା ପାଇଁ ଠିକା ନେଇଥିବା ଠିକାଦାରର ମନମୁଖି କାର୍ଯ୍ୟ ଯୋଗୁଁ ଲକ୍ଷାଧିକ ଟଙ୍କା ଏବେ ପାଣିରେ ପଡିଛି ବୋଲି ସ୍ଥାନୀୟ ବୈକୁ= ଜେନା, ବାଉଲା ନାୟକ, କପିଳ ଜେନାଙ୍କ ସହ ବହୁ ଲୋକ ଅଭିଯୋଗ ଆଣିଛନ୍ତି । ଏପରିକି କାଯର୍‍ୟରତ ଠିକାଦାର ଆପ୍ରୋଚ ରୋଡରେ ସିମେଣ୍ଟ ସ୍ପର ନିର୍ମାଣ ନକରି କାଦୁଅ ମାଟିରେ ପଥର ପ୍ୟାକିଂ କରୁଥିବାରୁ ଏପରି ଘଟଣା ବାରମ୍ବାର ଘଟୁଛି । ତାହାସହ ଘଟଣାକୁ ଲୁଚାଇବାକୁ ଯାଇ ଧସିଥିବା ସ୍ଥାନରେ ପାଲ ଘୋଡାଇ ଦେଉଛି ।

ଏପରି ଘଟଣା ବାବଦରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ । ତାହାସହ ପଥର ପ୍ୟାକିଂ କରାଯାଉଥିବା ପାଦ ଦେଶରେ ଏକ ପୋଖରୀ ଥିବାରୁ ତାହାକୁ ନପୋତିବା ଯାଏଁ ଏପରି ବାରମ୍ବାର ଧସିବ ବୋଲି ସ୍ତାନୀୟ ଲୋକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ: ଗତ ଅଗଷ୍ଟ ୨୦ରେ ଲଗାଣ ବର୍ଷା ଦ୍ୱାରା ପ୍ରାୟ ୩ଶହ ଫୁଟର ଫଥର ପ୍ୟାକିଂ ଉକ୍ତ ସ୍ଥାନରେ ଧସିଥିବାରୁ ତାହାକୁ ତରବରିଆ ଭାବେ କିଛି ବାଲିବସ୍ତା ଓ ବାଉଁଶ ବାଡ ଦେଇ ଠିକାଦାର କାର୍ଯ୍ୟ ସାରି ବସିଥିଲା ।

ଏବେ ପୁଣି ପଥର ପ୍ୟାକିଂ ୨ଶହ ଫୁଟ ଧସି ଯାଇଥିଲେ ମଧ୍ୟ ଘଟଣା ସ୍ଥଳକୁ କୌଣସି ପଦାଧିକାରୀ କିମ୍ବା ଠିକାଦାର ଆସିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ଆଗାମୀ ଦିନରେ ଯଦି ଏଠାରେ ସ୍ଥାୟୀ ମରାମତି ନକରାଯାଏ ତେବେ ଅଞ୍ଚଳବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply