Odisha news

ଆନ୍ଧ୍ର-ତେଲେଙ୍ଗାନା ସରକାରଙ୍କ ହିନ୍ଦୁ ବିରୋଧୀ ଷଡଯନ୍ତ୍ର ବିରୁଦ୍ଧରେ ଭିଏଚ୍‍ପିର ରାଷ୍ଟ୍ରପତିଙ୍କୁ ଦାବିପତ୍ର

0

ଭଦ୍ରକ:ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସରକାର ବିଗତ କିଛି ବର୍ଷ ଧରି ରାଜ୍ୟରେ ହିନ୍ଦୁ ବିରୋଧୀ ଯୋଜନାମାନ ପ୍ରଣୟନ କରି ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତି ଚଲାଉଛନ୍ତି । ଏହି ତୁଷ୍ଟିକରଣ ଯୋଜନା ଉଭୟ ସମ୍ବିଧାନ ଓ ନ୍ୟାୟପାଳିକା ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହଁ । ଯୋଜନା ମଧ୍ୟରେ ରାଜ୍ୟରେ ଚର୍ଚ୍ଚ ତିଆରି ହେଲେ ରାଜକୋଷରୁ ଅର୍ଥ ଯୋଗାଇଦେବା, ଖ୍ରୀଷ୍ଟିୟାନ ବହୁଳ ଗ୍ରାମରେ ନିଶ୍ଚିତ ଏକ ଚର୍ଚ୍ଚ ନିର୍ମାଣ କରାଯିବା, ସରକାରୀ କୋଷରୁ ପାଦ୍ରୀମାନଙ୍କୁ ୫୦୦୦ ଟଙ୍କା ପ୍ରତିମାସ ଦିଆଯିବାର ଘୋଷଣା, ହିନ୍ଦୁ ତୀର୍ଥ ଯାତ୍ରୀଙ୍କ ଠାରୁ ୨ରୁ ୩ ଗୁଣ କର ଆଦାୟ କରିବା ଏମିତିକି ସଂଖ୍ୟାଲଘୁ ତୀର୍ଥଯାତ୍ରୀଙ୍କୁ ବସ୍‍ ଓ ଟ୍ରେନ ଟିକେଟର ମାଗଣରେ ପ୍ରଦାନ କରିବା, ରାଜ୍ୟରେ ବିଭିନ୍ନ ତୀର୍ଥସ୍ଥଳୀକୁ ଯାଉଥିବା ବସ ଟିକେଟ ପଛପଟେ ଜେରୁଜେଲମ (ଖ୍ରୀଷ୍ଟିୟାନଙ୍କ ଧର୍ମସ୍ଥଳ) ଗଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀମାନଙ୍କୁ ସବସିଡି ଦିଆଯିବାର ପ୍ରଲୋଭନ ଦିଆଯାଉଛି । ଏସବୁ ତୁଷ୍ଟିକରଣ ଯୋଜନା ପାଇ ଦୁଇ ରାଜ୍ୟରେ ଧାର୍ମିକ ସଦ୍‍ଭାବନା ନଷ୍ଟ ହେଉଛି ବୋଲି ଅନୁଭବ କରି ଭିଏଚ୍‍ପି(ବିଶ୍ୱହିନ୍ଦୁ ପରିଷଦ)ଅଖିଳ ଭାରତୀୟ ସ୍ତରରେ ଆଜି ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ଉପରୋକ୍ତ ଯୋଜନା ବନ୍ଦ କରିବା ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କ୍ରମରେ ଭଦ୍ରକ ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଭଦ୍ରକ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରତିନିଧି ମଣ୍ଡଳରେ ଉପସଭାପତି ନିରଞ୍ଜନ ସାହୁ, କୈଳାସ ଦାସ, ବଜରଙ୍ଗ ଦଳ ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧିନ ସୁନ୍ଦର ଦାସ, ମାତୃଶକ୍ତି ଜିଲ୍ଲା ସଂଯୋଜିକା ସରୋଜିନୀ ଦାସ, ରେଖା ଶର୍ମା, ନଗର ସଭାପତି ପୁନିଲ ସାମନ୍ତ, ମହେଶ୍ୱର ବେହେରା, ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟ, ଚନ୍ଦନ ଦାସ, ଦେବାଶିଷ ଜେନା, ଦୀପକ ବେହେରା, ସନ୍ତୋଷ ନାୟକ, ମାନସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.