ବୈତରଣୀ ନଦୀରେ ବନ୍ୟା : ଉଦ୍ଧାର କାର୍ଯ୍ୟ ପାଇଁ ଭଦ୍ରକରେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ , ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ସ୍ଥାନାନ୍ତର ପାଇଁ ପ୍ରଶାସନର ଗୁରୁତ୍ୱ
ଭଦ୍ରକ : ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳପତ୍ତନ ବୃଦ୍ଧି ପାଇ ବିପଦ ସଂକେତ ଅତିକ୍ରମ କରିଛି । ରିପୋର୍ଟ ଲେଖିବା ବେଳକୁ ୧୮ମିଟର ଉପରେ ଜଳ ପ୍ରବାହିତ ହେଉଛି । ପ୍ରକାଶ ଥାଉକି : ଆଖଉଆପଦା ଠାରେ ବୈତରଣୀ ନଦୀର ବିପଦ ସଂକେତ ୧୭.୮୩ ମିଟର । ତେବେ ଆନନ୍ଦପୁର ଠାରେ ବୈତରଣୀ ନଦୀର ଜଳପତ୍ତନ ବୃଦ୍ଧି ପାଉଥିବା ଯୋଗୁଁ ବୈତରଣୀ ନଦୀର ବନ୍ୟା ଜଳ ବୃଦ୍ଧି ପାଇଁ ରାତିସୁଦ୍ଧା ୧୯ମିଟର କିମ୍ବା ଏହାଠାରୁ ଅଧିକ ହୋଇ ପାରେ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ସୂଚନା ଦେଇଛନ୍ତି । ଏହା ଫଳରେ ଭଣ୍ଡାରିପେଖରୀ, ଧାମନଗର ଓ ଚାନ୍ଦବାଲି ବ୍ଲକର ନଦୀକୂଳିଆ ତଥା ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି ।
ଆଜି ସମ୍ଭାବ୍ୟ ବନ୍ୟା ସ୍ଥିତିର ଅନୁଧ୍ୟାନ ଲାଗି ଜିଲ୍ଲାପାଳ ଶ୍ରୀ ଦାସ ଆଖୁଆପଦା ଯାଇଛନ୍ତି । ତେବେ ଜିଲ୍ଳାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ବନ୍ୟାଞ୍ଚଳରେ ଉଦ୍ଧାର ଓ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥ୍ାନାନ୍ତର ପାଇଁ ଗୋଟିଏ ଏନଡିଆରଏଫ ଟିମ୍ ଓ ଓଡ୍ରାଫ୍ ଟିମ୍ ଭଦ୍ରକରେ ପହଞ୍ଚିଛନ୍ତି । ଏନଡିଆରଏଫ୍ ଟିମକୁ ଭଣ୍ଡାରିପୋଖରୀ ଓ ଓଡ୍ରାଫ୍ ଟିମ୍କୁ ଧାମନଗର କୁ ପଠାଯାଇଛି । ଏମାନଙ୍କ ସହ ଧାମନଗର ଓ ଭଣ୍ଡାରିପୋଖରୀ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି । ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବନ୍ୟା ପରିସ୍ଥିତିର ମୁକାବିଲା ଓ ପରି‘ାଳନା ପାଇଁ ୩ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପରିଚାଳନା ଦାୟିତ୍ୱରେ ଉପଜିଲ୍ଲାପାଳ ପୀତାମ୍ବର ସାମଲ, ଧାମନଗର ବ୍ଲକ ଦାୟିତ୍ୱରେ ଡିଆଡିଏର ପିଡି ମଧୁସୂଦନ ଦାସ ଓ ଚାନ୍ଦବାଲି ବ୍ଲକ ଦାୟିତ୍ୱରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଅରୁଣ କୁମାର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ବିଶେଷ କରି ସଂପୃକ୍ତ ଅଞ୍ଚଳ ଗୁଡିକର ନଦୀତଟବର୍ତ୍ତୀ ତଳିଆ ଅଞ୍ଚଳ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟା ପରିସ୍ଥିତିକୁ ଦେଖି ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ବନ୍ୟାଞ୍ଚଳ ମାନଙ୍କରେ ରିଲିଫ୍ ସାମଗ୍ରୀ ସହ ଉଦ୍ଧାର କାର୍ଯ୍ୟ ପାଇଁ ବୋଟ୍ ଗୁଡିକୁ ସଜାଗ ରଖାଯାଇଛି । ସ୍ଥାନୀୟ ବନ୍ୟାପ୍ଲାବିତ ବ୍ଲକ ଗୁଡିକର ତହସିଲଦାର ଓ ବିଡିଓମାନଙ୍କ ସ୍ଥିତି ଉପରେ ନଜର ରଖିବାକୁ କଡା ତାଗିଦ କରାଯାଇଛି ।
୩ଟି ବ୍ଲକ ଦାୟିତ୍ୱରେ ଥିବା ଏହି ୩ ବରିଷ୍ଠ ଅଧିକାରୀମାନେ ଆଜି ବିଡିଓ ଓ ତହସିଲଦାରଙ୍କ ସହ ତଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଭଦ୍ରକରେ ୧୦୦.୨ ମିଲିମିଟିର ବର୍ଷା ହୋଇଥିବା ବେଳେ ବାସୁଦେବପୁରର ୧୫୮ ମିମି, ଭଣ୍ଡାରିପୋଖରୀରେ ୧୩୮, ବନ୍ତରେ ୧୦୬, ଚାନ୍ଦବାଲିରେ ୧୧୧.୬, ଧାମନଗରରେ ୮୦, ତିହିଡିରେ ୧୨୦.୪ ମିମି ବର୍ଷା ହୋଇଛି । ଏହିପରି ଜିଲ୍ଳାରେ ମୋଟ ୮୧୯.୨ ମିଲିମିଟର ବର୍ଷା ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ୧୧୭.୦୨ ମିମି ବୋଲି ରେକର୍ଡ କରାଯାଇଛି ।
ସେହିପରି ସାଳନ୍ଦୀ ନଦୀର ଉପରମୁଣ୍ଡ ଠାକୁରମୁଣ୍ଡା ଓ ଶିିମିଳିପାଳରେ କମ୍ ବର୍ଷା ହୋଇଥିବାରୁ ଓ ହଦଗଡ ଡ୍ୟାମରୁ ଜଳ ନିଷ୍କାସନ ହେଇନଥିବାରୁ ସାଳନ୍ଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥଙ୍କ ସୂତ୍ରରୁ ଜଣାଯାଇଛି । ଭଦ୍ରକରେ ଥିବା ସାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୫.୧୦ମିଟର ଥିବା ବେଳେ ଏବେ ଏହା ୧୩.୫୩ ମିଟରରେ ଜଳ ପ୍ରବାହିତ ହେଉଛି । ଗତକାଲି ଠାକୁରମୁଣ୍ଡାରେ ୧୯୩ ମି.ମି ବର୍ଷା ହୋଇଥିବା ବେଳେ ଶିମିଳିପାଳରେ ୬୬ମି.ମି ବର୍ଷା ହୋଇଥିଲା