ଭଦ୍ରକ :ଭଦ୍ରକ ଜିଲ୍ଲାରେ ମଦ ଓ ଡ୍ରଗ୍ସ କାରବାରକୁ ପ୍ରୋତ୍ସାହନ ଯୋଗାଉଥିବା ଓ ବିଭିନ୍ନ ଅପରାଧିକ କାର୍ଯ୍ୟ କରୁଥିବା ମଦ ମାଫିଆ ‘ଗୁପ୍ତା’ ସିଧାସଳଖ ଆଦିବାସୀଙ୍କୁ ବୁଲ୍ଡୋଜର ଚଢାଇ ମାରିଦେବା ଧମକକୁ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏଥିସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବୀ କରିଛି ।
ଭଦ୍ରକ ଚରମ୍ପା ତ୍ରିଶଳପୁର ଠାରେ ଦୀର୍ଘବର୍ଷ ଧରି ୪୦ ଆଦିବାସୀ ପରିବାର ବସବାସ କରିବା ସହିତ ଚରମ୍ପା ରାଇସ୍ମିଲରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଛନ୍ତି । ସେମାନଙ୍କର ନାମ ଭୋଟର ତାଲିକାରେ ପଞ୍ଜିକୃତ ହୋଇଥିବା ବେଳେ ସେମାନେ ରାସନ କାର୍ଡ ମଧ୍ୟ ପାଇଛନ୍ତି । ବିପିଏଲ୍ ଯୋଜନା ଅନୁଯାୟୀ ବିଦୁ୍ୟତ ସଂଯୋଗ ମଧ୍ୟ ପାଇଛନ୍ତି ।
ସେମାନେ ରହୁଥିବା ଯାଗା ଚରମ୍ପା ରାଇସ୍ମିଲ୍ର ହୋଇଥିବା ବେଳେ ମିଲ୍ ମାଲିକ ସୀତାରାମ ଅଗ୍ରୱାଲ ଉକ୍ତ ଜାଗାକୁ ଆଦିବାସୀଙ୍କୁ ରହିବାକୁ ଚୁକ୍ତିପତ୍ର ମାଧ୍ୟମରେ ଦେଇଥିଲେ । ମାତ୍ର ଗତ କିଛି ଦିନ ତଳେ ସେମାନଙ୍କୁ ଦିଆଯାଇଥିବା ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ କରାଯିବା ପରେ ଆଦିବାସୀମାନେ ଏହାର କାରଣ ଜାଣିବାକୁ ଚାହିଁବାରୁ ସୀତାରାମଙ୍କ ପୁତ୍ର ପ୍ରବୀଣ ଅଗ୍ରୱାଲ ବାପାଙ୍କ ଦେହାନ୍ତ ପରେ ଉକ୍ତ ଜାଗାକୁ ମଦ ମାଫିଆ ଗୁପ୍ତାଙ୍କୁ ବିକ୍ରି କରିଦେଇଥିବାରୁ ଏବେ ଗୁପ୍ତା ଉକ୍ତ ଆଦିବାସୀମାନଙ୍କୁ ସଂପୃକ୍ତ ଜାଗାରୁ ହଟାଇବାକୁ ନିଜର ଅର୍ଥବଳ ପ୍ରୟୋଗ କରି ଏପରିକି ବୁଲ୍ଡୋଜର ଚଢାଇ ମାରିଦେବାକୁ ଧମକ ଦେଇଛନ୍ତି ।
ଏ ନେଇ ସଂପୃକ୍ତ ଆଦିବାସୀ ସାହିରେ ଥିବା ବୀର୍ସା ମୁଣ୍ଡା ଆଦିବାସୀ ସଂଗଠନ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବା ସହିତ ଏ ସଂକ୍ରାନ୍ତରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଦିବାସୀ ସଂଗଠନ ଏ ସଂକ୍ରାନ୍ତରେ ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କୁ ଅବଗତ କରାଇବା ପରେ ଆଜି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ କଂଗ୍ରେସ ନେତା ସୁବ୍ରତ ଦାସ, ବିଜୟ ବାରିକ, ଉମେଶ ଚନ୍ଦ୍ର ବାରିକ ପ୍ରମୁଖ ଆଦିବାସୀ ସାହିକୁ ଯାଇ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ତୁରନ୍ତ ବିଦୁ୍ୟତ୍ ବିଭାଗ କର୍ମଚାରୀ ଏବଂ ପୁଲିସର ସହଯୋଗରେ ସେମାନଙ୍କୁ ବିଦୁ୍ୟତ ସଂଯୋଗ ଯୋଗାଇ ଦେଇଛନ୍ତି । ଅନ୍ୟପକ୍ଷରେ ମଦ, ଡ୍ରଗ୍ସ ତଥା ବିଭିନ୍ନ ଅପରାଧିକ ମାମଲାରେ ନିଜେ ଜଡିତ ରହିବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଭିନ୍ନ ସମୟରେ ଧମକ ଦେଉଥିବା ଗୁପ୍ତାକୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ମହାନ୍ତି ଦାବୀ କରିଛନ୍ତି