Odisha news

ବାରିପଦା ଉପଖଣ୍ଡ ସ୍ତରୀୟ ସର୍ଗିଫୁଲ,ବିଜ୍ଞାନ ମେଳା ଓ ଭଲିବଲ ପ୍ରତିଯୋଗିତା : ୨୦୨୪ ଅନୁଷ୍ଠିତ

0
ବେତନଟୀ : ମୟୂରଭଞ୍ଜ ଜିଲ୍ଲାର ବାରିପଦା ଉପଖଣ୍ଡ ସ୍ତରୀୟ ସର୍ଗିଫୁଲ,ବିଜ୍ଞାନ ମେଳା ଓ ଭଲ୍ଲି ବଲ ପ୍ରତିଯୋଗିତା – ୨୦୨୪ ବେତନଟୀ ବ୍ଲକ ଅଧୀନ ନହଣ୍ଡାଶୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବହୁ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ବାରିପଦା ଉପଖଣ୍ଡର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀଙ୍କ ଆବାହକତ୍ୱରେ ଏହି ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତିଲିପି ସାହୁ ସଭାପତିତ୍ୱ କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରିୟପଦ ନାଏକ ଯୋଗ ଦେଇ ବିଦ୍ଧିବଦ୍ଧ ଭାବେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ବାରିପଦା ଉପଖଣ୍ଡର ୩୦ ଟି ଆଶ୍ରମ ବିଦ୍ୟାଳୟ ,୨୨ ଟି ଉଚ୍ଚ ବିଦ୍ୟାଳୟ ,୨ ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଓ ଗୋଟିଏ ଅନ୍ୱେଷା ହଷ୍ଟେଲରୁ ମୋଟ ୮୫୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଥିରେ  ବାଗ୍ମିତା,ତର୍କ, ସୃଜନାତ୍ମକ ଲିଖନ, ମୁକ୍ତ ସ୍ଲୋଗାନ,ଚିତ୍ରାଙ୍କନ,ଜୀବନ କୌଶଳ ଭଳି ବିଭିନ୍ନ  ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହ ବିଜ୍ଞାନ ମେଳାରେ ମନୋନୀତ  ହୋଇଥିବା ବିଭିନ୍ନ ବିଦ୍ୟାଳୟର  ଏକାଧିକ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ସେହିପରି ଭଲିବଲ ଖେଳକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ବିଭିନ୍ନ ବିଦ୍ୟାଳୟର ପ୍ରସ୍ତୁତ ଟିମ ଦ୍ଵାରା ଖେଳ ପ୍ରଦର୍ଶନ କରାଯାଇଥିଲା l ଏହି ସମସ୍ତ ବିଭାଗରୁ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ସର୍ଗିଫୁଲ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଅପରାହ୍ନ ସମୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶ ସଭାପତିତ୍ୱ  କରିଥିବା ବେଳେ  ମୁଖ୍ୟ ଅତିଥି ଭାବେ ବଡସାହି ଜନପ୍ରିୟ ବିଧାୟକ ସନାତନ ବିଜୁଳି ଯୋଗଦେଇ ଥିଲେ l ଏଥିରେ ସମ୍ମାନନୀୟ ଅତିଥି ଭାବେ ନିଖିଳ ଉତ୍କଳ କଲ୍ୟାଣ ସଂଘ ଉପଦେଷ୍ଟା  ଦେବେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ  କଠୋର ପରିଶ୍ରମ ଓ ନିଷ୍ଠାପର ଉଦ୍ୟମ କରିବାକୁ  ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ମୁଖ୍ୟ ଅତିଥି ମୟୂରଭଞ୍ଜ ମାଟିର ମହକ କଥା ବ୍ୟାଖ୍ୟା କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ଦିଗ୍ ଦର୍ଶନ ଦେବା ସହ ଏହିଭଳି ଏକ ନିଆରା  ତଥା  ବିଶାଳ କାର୍ଯ୍ୟକ୍ରମ ଦେଖି ଅଭିଭୂତ ହୋଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ଯେମିତି ହକି ଖେଳ ପାଇଁ ପ୍ରସିଦ୍ଧି ଲାଭ କରିଛି, ଆମ ମୟୂର ଭଞ୍ଜ ଜିଲ୍ଲା ଫୁଟବଲ ଖେଳରେ ପ୍ରସିଦ୍ଧି ଲାଭ କରୁ,ଆଜିର ଯୁବପୀଢ଼ି ଏ ଦିଗରେ ଆଜିରୁ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ। ସମସ୍ତ  ଅତିଥି କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଜାତୀୟ ସ୍ତରରେ ପୁରସ୍କାର ପାଇଥିବା ଖଇରବଣୀ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିନୀତା ଦାଶଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଏବଂ ସାଲ ପ୍ରଦାନ କରି ମୁଖ୍ୟ ଅତିଥି ସମ୍ମାନିତ  କରିଥିଲେ। ଅତିଥି ମାନଙ୍କ ଉପସ୍ଥିତିରେ  ସନ୍ଧ୍ୟା ସମୟରେ ବିଭିନ୍ନ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗିରିଶ ପଣ୍ଡା, ଚିତ୍ତ ରଂଜନ ପ୍ରତିହାରୀ, ଧ୍ରୁବ ଚରଣ ମୁର୍ମୁ,ଜୟନ୍ତ ପାଣିଗ୍ରାହୀ,ରଜତ କୁମାର ଦାଶ, ବିଜୟ କୁମାର ନାୟକ,ପ୍ରଦୀପ କୁମାର ଭୂୟାଁ,ରଞ୍ଜନ କୁମାର ପ୍ରଧାନ,ଜୟନ୍ତ ଜେନା ଏବଂ ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ସର୍ବ ଶେଷରେ ବିଶ୍ଵନାଥ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Nalco
Leave A Reply