ବେତନଟୀ : ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ ର ଶୁଭାରମ୍ଭ କରାଯାଇଥିବା ବେଳେ ବେତନଟୀ ବ୍ଲକର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଜନସାଧାରଣ, ବିଭିନ୍ନ ଶ୍ରମିକ, କର୍ମଚାରୀ ଏବଂ ଅନ୍ୟ ମାନଙ୍କୁ ଫାଇଲେରିଆ ଔଷଧ ସେବନ କରାଇବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ମଞ୍ଜୁଶ୍ରୀ ଦାସଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଡାକ୍ତରଖାନା ଅଧିକାରୀ ଡ. ସିପୁନ କୁମାର ପଣ୍ଡା ଫିତାକାଟି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଏହି ଅବସରରେ ଦନ୍ତ ବିଶେଷଜ୍ଞ ଡ. ବିଶ୍ୱଜିତ ଦ୍ବିବେଦୀ, ଆୟୂଷ ବିଭାଗର ଡ. ସନ୍ଦୀପ କୁମାର ସାମଲ, ଡ. ରାଜଶ୍ରୀ ସାହୁ, ବିପିଏମ ସସ୍ମିତା ଦାଶ, ଅମିତାଭ ଦାଶ, ଉର୍ମିଳା ଦଳେଇ, ବସନ୍ତ ବେହେରା, ଲକ୍ଷ୍ମୀପ୍ରିୟା ବିନ୍ଧାଣୀ, ଅହଲ୍ୟା ମହାନ୍ତ, ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲଥିଲେ । ଅଗଷ୍ଟ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ୧୦ଦିନିଆ ଅଭିଯାନ ଚାଲିଥିବା ବେଳେ ଡାକ୍ତରଖାନା ଅଧୀନରେ କାର୍ଯ୍ୟରତ ଡାକ୍ତର, ଫାର୍ମାସିଷ୍ଟ, ମହିଳାସ୍ବାସ୍ଥ୍ୟ କମୀ, ପୁରୁଷ ସ୍ବାସ୍ଥ୍ୟ କର୍ମୀ, ଡ୍ରଗ୍ସ ଏଡମିନିଷ୍ଟ୍ରେଟର, ଲାବରଟୋରୀ ଟେକ୍ନିସିଆନ ସମେତ ସମସ୍ତ କର୍ମଚାରୀ ଏଥିରେ ଦାୟୀତ୍ଵ ନିର୍ବାହ କରୁଥିବାର ଜଣାଯାଇଛି। ତେବେ ଏହି ୧୦ଦିନିଆ ଫାଇଲେରିଆ ନିରାକରଣ ଅଭିଯାନରେ ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଏବଂ ଅସୁସ୍ଥ ବ୍ୟାକ୍ତିଙ୍କୁ ବାଦ ଦେଲେ ଅନ୍ୟ ସମସ୍ତଙ୍କୁ ଏଥିରେ ସାମିଲ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଅଭିଯାନକୁ ଶତପ୍ରତିଶତ ସଫଳ କରିବାକୁ ୭୩୮ଜଣ ଡ୍ରଗ ଏଡମିନିଷ୍ଟ୍ରେଟରଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସମସ୍ତ ଡ୍ରଗ ଏଡମିନିଷ୍ଟ୍ରେଟର ମାନଙ୍କ ଉପରେ ନଜର ରଖିବାକୁ ୭୪ଜଣ ସୁପରଭାଇଜରଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି l ବେତନଟୀ ଓ ବୈଶିଙ୍ଗା ଡାକ୍ତରଖାନାରେ ମଧ୍ୟ ଫାଇଲେରିଆ ଔଷଧ ଖୁଆଇବାକୁ ଦୁଇଟି ସ୍ବତନ୍ତ୍ର ଷ୍ଟଲ ରଖାଯାଇଥିବା ବେଳେ ୩ଟି ରାପିଡ ରେସପୋନ୍ସ ଟିମ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିବା ଜଣାଯାଇଛି ।
