Odisha news

ଧାନଶୋଳ ଗ୍ରାମରେ ବଣୁଆ ହାତୀ ଉପଦ୍ରବ : ଘର ଭାଙ୍ଗିଲା, ମୋଟର ସାଇକେଲ ଚେପା କଲା, ଧାନ ଓ ଚାଉଳ ଖାଇ ଦେଲା

0

ବେତନଟୀ : ବେତନଟୀ ଥାନା ଅଧୀନ ଧାନଶୋଳ ଗ୍ରାମରେ ବଣୁଆ ହାତୀ ଉପଦ୍ରବ ଦେଖା ଯାଇଛି । ଗତକାଲି ରାତ୍ରୀରେ ଧାନଶୋଳର କାଳିଆ ସିଂଙ୍କ ପୁଅ ଗିରିଧାରୀ ସିଂଙ୍କ ଗୁହାଳ, ରୋଷେଇ ଘରକୁ ଭାଙ୍ଗିବା ସହିତ ଧାନ ଓ ଚାଉଳ ଖାଇ ଯାଇଛି ।

ହାତୀଟି ଗୋଟିଏ ସୁଜୁକି ମୋଟର ସାଇକେଲ ଓ ଗୋଟିଏ ସାଇକେଲକୁ ଭାଙ୍ଗି ଦେଇଛି । ହାତୀଟି ଆକ୍ରମଣ କରିବା ବେଳେ ଗିରିଧାରୀ ଘରେ ଥିଲେ । ତେବେ ହାତୀ ଆକ୍ରମଣର ଖବର ପାଇ ସ୍ଥାନୀୟ ଶିବ ମନ୍ଦିର ପାଖରେ ଜାଗର ପାଇଁ ଏକତ୍ରିତ ହୋଇ ଥିବା ଗ୍ରାମବାସୀ ମାନେ ଆସି ପାଟିତୁଣ୍ଡ କରିବାରୁ ହାତୀଟି ପଳାଇ ଯାଇ ଥିଲା ।

ପରେ ଗ୍ରାମବାସୀ ମାନେ ନିଆଁ ଜାଳି ହାତୀଟିକୁ ଗ୍ରାମରୁ ଦୂରରେ ରଖି ଥିଲେ । ଆଜି ସକାଳୁ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଥିବାର ଜଣା ପଡିଛି । ସ୍ଥାନୀୟ ସମିତି ସଭ୍ୟା ଲାବଣୀବତୀ ମହାନ୍ତ, ସମାଜସେବୀ ଲମ୍ବୋଦର ମହାନ୍ତ ଓ ଅନ୍ୟମାନେ ଯାଇ ପୀଡିତଙ୍କ କ୍ଷୟକ୍ଷତି ବାବଦରେ ପଚାରି ବୁଝି ଥିଲେ ।

Leave A Reply