ବେତନଟୀ : ବୈଶିଙ୍ଗା ବଜାର ତଥା ୧୮ନଂ ଜାତୀୟ ରାଜପଥ ଠାରୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଯୁଗପୁରା ରେଳ ଷ୍ଟେସନ। ନିକଟବର୍ତ୍ତୀ ସ୍ଥାନରେ ଛୋଟ ବଡ଼ ଦୋକାନ ମାନଙ୍କୁ ନେଇ ଏକ ବଜାର ସୃଷ୍ଟି ହେଉଥିବା ଲକ୍ଷ କରାଯାଇଛି। ଏଥି ସହିତ ଆମ୍ବିକା ରାଇସ ମିଲ ସଂଲଗ୍ନ ଷ୍ଟେସନ ବଜାର, ୫୦ ମିଟର ଦୂରରେ ସନ୍ତରା ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ଵ କାର୍ଯ୍ୟାଳୟ, ପୋଷ୍ଟ ଅଫିସ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ର ଶାଖା ସ୍ଥାପିତ ହୋଇଛି। ଜିଲ୍ଲାର ସର୍ବପୁରାତନ ରାଇସ୍ ମିଲ୍ ମଧ୍ୟ କାର୍ଯ୍ୟକ୍ଷମ। ସ୍ଵଳ୍ପ ଦୂରତା ରେ ଉତ୍ତର ଓଡ଼ିଶାର ସର୍ବବୃହତ “ବୈଶିଙ୍ଗା ଅରୋ ଫ୍ଲୋର ମିଲ” ଅବସ୍ଥିତ। ଯୁଗପୁରା ବଜାର ଓ ସନ୍ନିକଟ ଅଞ୍ଚଳର ଜନସଂଖ୍ୟା ପଚିଶ ହଜାର ରୁ ଉର୍ଦ୍ଧ୍ବ। ତେବେ ଏଟିଏମ୍ ଟିଏ ନଥିବା ଅଞ୍ଚଳବାସୀଙ୍କ ଦୁଃଖର କାରଣ ହୋଇଛି। ଅନେକ ସମୟରେ ଟ୍ରେନ ଧରିବାକୁ ଆସୁଥିବା ଯାତ୍ରୀଙ୍କ ଟଙ୍କା ଦରକାର ପଡିଲେ ଗ୍ରାମ୍ୟ ବ୍ୟାଙ୍କରେ ଲାଇନରେ ଛିଡ଼ା ହୋଇ ରହିବାକୁ ପଡୁଥିବା ଅଞ୍ଚଳବାସୀଙ୍କ ଅଭିଯୋଗ। ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଅର୍ଥରାଶି ପ୍ରଦାନ କରାଯାଉଥିବା ବେଳେ ଆବଶ୍ୟକ ସମୟରେ ଟଙ୍କା ଉଠାଇବା ପାଇଁ ଏକ ମାତ୍ର ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଭିଡ଼ ଯୋଗୁଁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ନୋଚେତ ୨/୩ କିମି ଦୂରରେ ବୈଶିଙ୍ଗା ସ୍ଥିତ ଏଟିଏମ୍ କୁ ଆସିବାକୁ ପଡୁଛ ।ଏଣୁ ଜିଲ୍ଲାପାଳ ଏଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ସହିତ ବ୍ୟାଙ୍କ ଅଧିକାରୀ ଉପଭୋକ୍ତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏକ ଏଟିଏମ୍ ସ୍ଥାପନ କରାଇବା ପାଇଁ ଯୁଗପୁରା ବଜାର ବ୍ୟବସାୟୀ ସଂଘ ଓ ରେଳ ଷ୍ଟେସନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଦାବି କରିଛନ୍ତି।ଏହା ଦ୍ଵାରା ରେଳ ଯାତ୍ରୀ ତଥା ଅଞ୍ଚଳବାସୀ ଉପକୃତ ହୋଇପାରିବେ ।