Odisha news

ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବଡସାହି ବିଧାନ କ୍ଷେତ୍ର ଅବହେଳିତ

0
ବେତନଟୀ : ସାତଟି ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ବାଲେଶ୍ଵର ସଂସଦୀୟ କ୍ଷେତ୍ର ମଧ୍ୟ ରେ ବଡସାହି ବିଧାନ କ୍ଷେତ୍ର ଅନ୍ୟତମ। ଯେହେତୁ ବଡସାହି କ୍ଷେତ୍ର ମୟୂରଭଞ୍ଜ ଜିଲ୍ଲା ରେ ଏବଂ ଜିଲ୍ଲା ସଂଗଠନ ସହିତ ଜଡିତ । ତେଣୁ ବାଲେଶ୍ଵରର ନିର୍ବାଚିତ ସାଂସଦ  ମାନେ ସବୁବେଳେ ଅଣଦେଖା କରି ଚାଲିଥିବାର ସାଧାରଣ ଜନତା ଅଭିଯୋଗ ଆଣିଛନ୍ତି। ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ଏବଂ ମହାମେଘବାହନ ଐର ଖାରବେଳ ସ୍ବାଇଁଙ୍କ ସମୟରେ ଯେପରି ଉନ୍ନତ୍ତି ମୂଳକ କାର୍ଯ୍ୟକ୍ରମ ହୋଇଥିଲା ପରବର୍ତ୍ତୀ କାଳରେ  ରବୀନ୍ଦ୍ର ଜେନାଙ୍କ ସମୟରେ ସେପରି କିଛି ଉନ୍ନତ୍ତିର ବାସ୍ନା ମଧ୍ୟ ମିଳିପାରିଲା ନାହିଁ। ଠିକ୍ ଏହା ପରେ ବିଜେପିର ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସାଂସଦ ଭାବେ ନିର୍ବାଚିତ ହେଲେ ଏବଂ କେନ୍ଦ୍ର କେବିନେଟରେ ମଧ୍ୟ ସ୍ଥାନ ପାଇଲେ ମାତ୍ର ତାଙ୍କର ଏତେ କାର୍ଯ୍ୟଦକ୍ଷତା ଭଲ ଥିଲା ଯେ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡିଲା। କୌଣସି ଲୋକାଭିମୁଖୀ ଯୋଜନା  କାର୍ଯ୍ୟକାରୀ ନ ହେବାରୁ କୃଷି ଏବଂ କୃଷକଙ୍କ ପାଇଁ କୌଣସି ଆଦର୍ଶ ଯୋଜନା ନ ହେବା ତଥା ରାସ୍ତା ଘାଟର ଉନ୍ନତିକରଣ ନ ହେବା ଆଦି ଅଭିଯୋଗ ସାଧାରଣ ଜନତାଙ୍କୁ ବ୍ୟଥିତ କରିଛି । ମାତ୍ର ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଯୋଜନା ପରେ ଯୋଜନା ଘୋଷଣା ଚାଲିଛି ସତ କିନ୍ତୁ କିଭଳି ଓ କେବେ କାର୍ଯ୍ୟକାରୀ ହେବ ତାହା ଆଶଙ୍କାରେ ରହିଛି ।  ବଡ଼ସାହି ବିଧାନସଭା କ୍ଷେତ୍ରରେ କର୍ମ ନିଯୁକ୍ତି ପାଇଁ ବହୁତ ସାଧନ ଥିଲେ ମଧ୍ୟ ଏହାକୁ ଫଳପ୍ରଦ କରାଇବା କ୍ଷେତ୍ରରେ ରାଜନେତା ମାନଙ୍କ ଇଚ୍ଛା ଶକ୍ତି ନ ଥିବା ପରିଲକ୍ଷିତ ହେଉଛି। ଆଗାମୀ ଦିନରେ  ସମସ୍ତ ରାଜନୈତିକ ଏବଂ ଅଣରାଜନୈତିକ ଦଳର ରାଜନେତା ମାନେ ଲୋକଙ୍କ ହିତ ପାଇଁ କିଛି ଜନହିତକର କାର୍ଯ୍ୟ ନ କରନ୍ତି ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭୋଟର ମାନେ ଉଚିତ ଜବାବ ଦେବେ ବୋଲି ଆଲୋଚନା ହେଉଛି।

Leave A Reply