ବେତନଟୀ : କୁଡ଼ୁମୀ ସମ୍ପ୍ରଦାୟଙ୍କୁ ଆଦିବାସୀ ସଂରକ୍ଷଣ ରେ ସାମିଲ କରିବାକୁ ନେଇ ବହୁ ଆନ୍ଦୋଳନ ହୋଇଥିଲେ ମଧ୍ୟ ସର୍ଭେ ନାମରେ ଲକ୍ଷ ଲକ୍ଷ କୁଡୁମୀ ଜନସାଧାରଣଙ୍କୁ ପୁଣି ଥରେ ଭୁଆଁ ବୁଲାଇବାକୁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି କୁଡୁମୀ ସେନାର ଅଧକ୍ଷ ଜୈମୁନି କୁମାର ମହାନ୍ତ ଏକ ବିବୃତି ରେ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟ ରେ କୁଡୁମୀ ଜାତିକୁ ଆଦିବାସୀ ବର୍ଗ ରେ ପୁନଃ ସାମିଲ କରିବାକୁ ସୁପାରିଶ କରିବେ ବୋଲି କହିଆସିଛନ୍ତି । ମାତ୍ର ଇତି ମଧ୍ୟରେ ଦୁଇ ଦଶନ୍ଧି ବିତି ଯାଇଥିଲେ ହେଁ ସେ ତାହା କରିନାହାନ୍ତି । କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଓଡିଶାର ପ୍ରାୟ ୨୫ ଲକ୍ଷ କୁଡୁମୀ ଭୋଟ ହାତେଇବାର ଉଦେଶ୍ୟ ରଖି ଏବେ ଗୋଟେ ସର୍ଭେ କରିବାକୁ ନିର୍ଦେଶ ଦେଇଛନ୍ତି ବୋଲି ଶ୍ରୀ ମହାନ୍ତ କହିଛନ୍ତି । ଯିଏ ୨୪ ବର୍ଷ ମଧ୍ୟରେ କୁଡୁମୀ ଜାତିର ଦାବି ପ୍ରତି କର୍ଣ୍ଣପାତ କରିନାହିଁ ସିଏ ହଠାତ ସର୍ଭେ କରିବାକୁ ଆଦେଶ ଦେବା ଘଟଣା ଏକ ରାଜନୈତିକ ଚକମା ଏବଂ କେବଳ ମାତ୍ର ଆସନ୍ତା ନିର୍ବାଚନ ବୈତରଣୀକୁ ପାରି ହେବା ପାଇଁ ଏକ ଭେଳିକି ବୋଲି ଜୈମୁନି କୁମାର ମହାନ୍ତ କହିଛନ୍ତି । ବିଗତ ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଡୁମୀ ଭୋଟ ପାଇବା ପାଇଁ କୁଡୁମୀ ଡେଭଲପମେଣ୍ଟ କାଉନସିଲ ଗଠନ କରାଯିବ ବୋଲି ଘୋଷଣା କରିଥିଲେ I ତେବେ ଚଳିତ ସରକାର ର କାର୍ଯ୍ୟକାଳ ସରିବାକୁ ବସିଥିବା ବେଳେ ଉକ୍ତ କାଉନସିଲ ଗଠନ କେବଳ ଘୋଷଣାରେ ହିଁ ରହିଗଲା । ତା ପୂର୍ବରୁ ୨୦୦୪ ମସିହାରେ ନିର୍ବାଚନ ଅବ୍ୟାହତି ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୁଡୁମୀ ଭୋଟ ପାଇବା ପାଇଁ ଯଶିପୁର ର ରାମତୀର୍ଥ ଠାରେ କୁଡୁମୀ କୃଷକ ସମାବେଶ ଅବସରରେ ଉପସ୍ଥିତ ଲକ୍ଷାଧିକ କୁଡୁମୀ ଜନସାଧରଣଙ୍କୁ ଉଦବୋଧନ ଦେଇ ଆମ ଜାତିକୁ ଆଦିବାସୀ ବର୍ଗରେ ସାମିଲ କରିବାପାଇଁ ସୁପାରିଶ କରିବେ ବୋଲି ଘୋଷଣା କରିଥିଲେ । ମାତ୍ର ତାହା ଯେ ଗୋଟିଏ ଧୂଆଁ ବାଣ ଥିଲା ସେ କଥା କୁଡୁମୀ ଜନସାଧାରଣ ଇତି ମଧ୍ୟରେ ବେଶ ଅନୁଭବ କରିସାରିଲେଣି ।ରାଜ୍ୟର ମୁଖିଆ ହିଁ ନିଜର ପ୍ରଜା ମାନଙ୍କୁ ମିଛ କହିବା ଓ ବାରମ୍ବାର ଠକିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଅଟେ ବୋଲି ଶ୍ରୀ ମହାନ୍ତ କ୍ଷୋଭ ପ୍ରକାଶ କରି କହିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବାରମ୍ବାର ପ୍ରତାରିତ ହୋଇ ଆମ ଜାତି ଭାଇମାନେ ତାଙ୍କ ଉପରୁ ଆସ୍ଥା ଓ ବିଶ୍ୱାସ ହରାଇ ସାରିଛନ୍ତି । ଆଉ କେଇ ଦିନ ମଧ୍ୟରେ ହେବାକୁ ଥିବା ନିର୍ବାଚନ ରେ କୁଡୁମୀ ଭୋଟ ତାଙ୍କ ବିରୋଧରେ ଯିବାର ଆଶଙ୍କା କରି ପୁଣି ଥରେ ଭଣ୍ଡାଇବା ପାଇଁ ଅପଚେଷ୍ଟା ଆରମ୍ଭ କରିଛନ୍ତି ନିକଟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ଦଶ ଗୋଟି ଜାତିକୁ ଆଦିବାସୀ ମାନ୍ୟତା ଦେବାପାଇଁ ରାଜ୍ୟ ସରକାର ସୁପାରିସ କରିଥିବାବେଳେ ଏଭଳି କୌଣସି ସର୍ଭେ ହୋଇନଥିଲା। ମାତ୍ର କୁଡ଼ୁମୀ ଜାତି କଥା ଆସିଲା ବେଳକୁ ସର୍ଭେ, ତାହା ପୁଣି ନିର୍ବାଚନ ପୂର୍ବରୁ କାହିଁକି ବୋଲି ଶ୍ରୀ ମହାନ୍ତ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜଣେ ଅଭ୍ୟାସ ଗତ ମିଛୁଆ ଏବଂ ପୁଣି ଏକ ମିଛ ସର୍ଭେ କରି କୁଡୁମୀ ଜାତିକୁ ଠକିବାରେ ଆଉ ସଫଳ ହୋଇପାରିବେନି ବୋଲି ଶ୍ରୀ ମହାନ୍ତ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବାସ୍ତବରେ ଯଦି ସେ କୁଡୁମୀ ଜାତିର ଉତଥାନ ଚାହାନ୍ତି ତାହାହେଲେ ଏମିତି ନାଟକ ବାଜି ନକରି ଅନ୍ୟଜାତି ମାନଙ୍କ ପରି ଆମ ଜାତି ପାଇଁ ମଧ୍ୟ ସିଧା ସଳଖ ଭାବେ କେନ୍ଦ୍ରକୁ ସୁପାରିଶ ପତ୍ର ପଠାନ୍ତୁ ବୋଲି ଶ୍ରୀ ମହାନ୍ତ ଆହ୍ୱାନ ଦେଇଛନ୍ତି ।