Odisha news

ବୈଶିଙ୍ଗା ଡାକ୍ତରଖାନା ଏବେ ଅବ୍ୟବସ୍ଥା ଘେରରେ

0
ବେତନଟୀ : ୨୦ରୁ ଉର୍ଦ୍ଧ୍ୱ ପଞ୍ଚାୟତର ପ୍ରାୟ ଏକ ଲକ୍ଷ ଜନସାଧାରଣଙ୍କ ଜୀବନ ରେଖା ହୋଉଛି ଏହି ଚିକିତ୍ସାଳୟ l ଏବେ ଏହି ବୈଶିଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଡଃ ଅମିତ କୁମାର ନାଏକ ଓ ଡଃ ସତ୍ୟପ୍ରକାଶ ଦାସ ୨ ଜଣ ଏମବିବିଏସ ଡାକ୍ତରଙ୍କ ସହିତ ଡଃ ସୁକାନ୍ତ ପାତ୍ର  ଆୟୁଷ ଡାକ୍ତର ଭାବେ ନିୟୋଜିତ ଅଛନ୍ତି l ହେଲେ ଏଠାରେ ମୁଖ୍ୟ ସମସ୍ୟା ହେଉଛି କୌଣସି ବି ଡାକ୍ତର ଡାକ୍ତରଖାନା ପରିସରରେ ଥିବା କ୍ୱାର୍ଟରରେ ସର୍ବଦା ରହୁନାହାନ୍ତି l ରୋଟେସନ କରି ଜଣକ ୨ ଦିନ ଲେଖାଏଁ ଡିଉଟି କରୁଛନ୍ତି l ଯୋଉଁଥିପାଇଁ ସପ୍ତାହରେ ୨ ଦିନରୁ ଅଧିକ ଆୟୁଷ ଡାକ୍ତରଙ୍କ ଭରସାରେ ଡାକ୍ତରଖାନା ଚାଲିଛି l ସୂଚନା ଅଛି କି ଆୟୁଷ ଡାକ୍ତରଙ୍କ ଡିଉଟି ସମୟରେ ଜଣେ ନିୟମିତ ଏମବିବିଏସ ଡାକ୍ତର ଜରୁରୀକାଳୀନ ପରିସ୍ଥିତି ପାଇଁ ଡାକ୍ତରଖାନା ପରିସରରେ ରହିବା କଥା l ହେଲେ ଦୁର୍ଭାଗ୍ୟର ବିଷୟ ଗତକାଲି ବୁଢ଼ାବଳଙ୍ଗ ନଦୀରେ ବୁଡି ଯାଇ ଗୁରୁତର ଅବସ୍ଥାରେ ଜଣେ ନାବାଳକକୁ ନେଇ ତାଙ୍କ ପରିବାର ବର୍ଗ ଆସି ଉକ୍ତ ଡାକ୍ତରଖାନରେ ପହଂଚିବା ପରେ ଆୟୁଷ ଡାକ୍ତର ଶ୍ରୀପାତ୍ର ତାଙ୍କୁ ଆସି ଚିକିତ୍ସା କରିବାକୁ ସାହସ କରିନଥିଲେ l ପରେ ଜଣା ପଡିଥିଲା କି ନାବାଳକ ଜଣଙ୍କର ମୃତ୍ୟୁ ହୋଇସାରିଛି, ହେଲେ ମୃତ ଘୋଷଣା କରିବାକୁ ଭୟରେ ଆସି ନଥିଲେ ଆୟୁଷ ଡାକ୍ତର ଏବଂ ସବୁଠୁ ଦୁଃଖର ବିଷୟ ଉକ୍ତ ସମୟରେ ଏମର୍ଜେନ୍ସି ଦାୟିତ୍ୱରେ ଥିବା ଡାକ୍ତର ସତ୍ୟପ୍ରକାଶ ଦାସ ବୈଶିଙ୍ଗା ଡାକ୍ତରଖାନା ତ ଦୂରର କଥା ବୈଶିଙ୍ଗା ଅଂଚଳରେ ବି ଉପସ୍ଥିତ ନଥିଲେ l ଏମିତିକି ଡାକ୍ତରଖାନାର ମୁଖ୍ୟ ଡାକ୍ତର ଶ୍ରୀନାଏକଙ୍କ କହିବା କଥା ଡାକ୍ତର ସତ୍ୟ ତାଙ୍କ ଫୋନ ମଧ୍ୟ ଉଠାଇ ନଥିଲେ, ଫଳରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା l ପରେ ଏହି ବିଷୟ ନେଇ ସିଡ଼ିଏମଓଙ୍କୁ ଅବଗତ କରାଇବାରୁ ସେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ସିପୁନ ପଣ୍ଡାଙ୍କୁ ପରିସ୍ଥିତି ସମ୍ଭାଳି ବାକୁ ବୈଶିଙ୍ଗା ପଠାଇ ଥିଲେ l ବେତନଟୀ ସ୍ଥାନୀୟ ଲୋକଙ୍କ କହିବା କଥା ୩ଜଣ ଡାକ୍ତରଙ୍କ ତାଙ୍କ ଇଛାନୁସାରେ ଆସନ୍ତି ଓ ଯାଆନ୍ତି l ସବୁବେଳେ କେବଳ ଜଣେ ଡାକ୍ତରଙ୍କ ଦ୍ୱାରା ହିଁ ଏହି ଡାକ୍ତରଖାନା ଚାଲିଛି l ସେଥିପାଇଁ ଅଧିକାଂଶ ସମୟରେ ମୁଖ୍ୟ ଡାକ୍ତରମାନଙ୍କର ଦେଖା ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଅଧିକାଂଶ  ସମୟରେ ନର୍ସ  ଓ ଫାର୍ମାସିଷ୍ଟ ଏଠି ଡାକ୍ତରଙ୍କ କାମ ତୁଲାଉଥିବା  ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତମ ଚିକିତ୍ସା ନ ପାଇ ରୋଗୀମାନେ ଫେରିଯାଉଛନ୍ତି । ଏପରିକି ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ଲୋକେ ସଠିକ ଚିକିତ୍ସା ନପାଇ ମୃତ୍ୟୁବରଣ କରୁଥିବା କାରଣରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଡାକ୍ତରଖାନାରେ ଡାକ୍ତର ମାନେ ନିଜର ଦାୟିତ୍ୱ ସଠିକ ଭାବେ ତୁଲାଉ ନାହାନ୍ତି । ଯାହାର ପ୍ରଭାବ ସାଧାରଣ ରୋଗୀଙ୍କ ଉପରେ ପଡ଼ୁଛି l ୧୦୦ ବର୍ଷ ପୁରୁଣା ବୈଶିଙ୍ଗା ଡାକ୍ତରଖାନାର ସମସ୍ୟା ସମାଧାନ ପାଇଁ ତଥା ଅନୁସଙ୍ଗିକ ଉନ୍ନତିକରଣ ପାଇଁ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ତଥା ସ୍ଥାନୀୟ ଲୋକ ବାରମ୍ବାର ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ ବି ଏଯାବତ କୌଣସି ଦୃଢ଼ ପଦକ୍ଷେପ ନେଇନାହାନ୍ତି ସରକାର l ଯୋଉଁଥିପାଇଁ ଖୁବ ଶୀଘ୍ର ଆଞ୍ଚଳିକ ବିକାଶ ପରିଷଦ ଓ ସ୍ଥାନୀୟ ସାମ୍ବାଦିକ ମାନେ ଧାରଣାରେ ବସିବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି l
Leave A Reply