ଓଡିଶା ଫାର୍ମାସିଷ୍ଟ ସେବା ସଂଘର ୧୭ ରୁ ସମୂହ ଛୁଟି କୁ ବେତନଟୀ ସି.ଏଚ.ସି.ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ସମର୍ଥନ
ବେତନଟୀ : ସାରା ଓଡିଶାରେ ସ୍ୱାସ୍ଥ୍ୟ ବିଭାଗ ଅଧୂନରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରି ରାଜ୍ୟ ସରକାର ତାଙ୍କ ସହ ଖେଳ ଖେଳୁଛନ୍ତି ବୋଲି ଫାର୍ମାସିଷ୍ଟ ସେବା ସଂଘର ସଭାପତି ଚିନ୍ମୟ କ୍ରମାର ସିହ୍ନା ପ୍ରକାଶ କରିଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ଜିଲ୍ଲାର ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବାରମ୍ଵାର ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯିବା ପରେ ମଧ୍ୟ ବିଫଳ ହୋଇଥିଲା। ସେଥିପାଇଁ ସମସ୍ତ ଜିଲ୍ଲା ର ସି.ଏଚ୍.ସି. ଅଧିନରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନେ ସମୂହ ଛୁଟି ନେବାପାଇଁ ସିଦ୍ଧାନ୍ତ ନେଇଥିଲେ। ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ୫ଟି ଦାବୀ ପୂରଣ ନ ହେଲେ ୧୭ତାରିଖ ଠାରୁ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଛୁଟି ନେବା ସହିତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏହି ପରିପେକ୍ଷୀରେ ବେତନଟୀ ସି.ଏଚ.ସି.ଅଧୀନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ଫାର୍ମାସିଷ୍ଟ ମନୋରଞ୍ଜନ ମିଶ୍ର, ଲକ୍ଷ୍ମୀପ୍ରୀୟା ବିନ୍ଧାଣୀ, ସଞ୍ଜିବ କୁମାର ସାହୁ, ଭକ୍ତିଲତା ଗିରି, ପ୍ରଶାନ୍ତ କୁମାର ଜେନା, ଅଜିତ କୁମାର ପଲାଇ ପ୍ରମୁଖ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସିପୁନ୍ କୁମାର ପଣ୍ଡା ଙ୍କୁ ଭେଟି ଗତ ୬ ତାରିଖରେ ସମୂହ ଛୁଟି ନେବାପାଇଁ ଜଣାଇଛନ୍ତି। ସରକାର ଏହି ଫାର୍ମାସିଷ୍ଟ ମାନଙ୍କର ଦାବୀ ପୂରଣ କରିବା ପାଇଁ ଯଦି ପଦକ୍ଷେପ ନ ନିଅନ୍ତି ତେବେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।