ବେତନଟୀ : ବୈଶିଙ୍ଗା ପୁଲିସ ଭୟରେ ମଛପଦା ଗ୍ରାମରୁ ଚୋରି କରିଥିବା ବାଇକ କୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ସ୍ଥାନରେ ରଖି ଚମ୍ପଟ ମାରିଲା ଚୋର । ସୂଚନା ଯୋଗ୍ୟ ବୈଶିଙ୍ଗା ଥାନା ଅଧୀନ ମଛପଦା ଗ୍ରାମର ସୋମବାର ଅପରାହ୍ନ ସମୟରେ ଜନୈକ ବ୍ୟକ୍ତିଙ୍କ ମୋଟର ସାଇକେଲକୁ ଚୋରି କରିନେବା ଘଟଣାରେ ୧୨୮/୨୩ ମାମଲା ମୂଳେ ମଛପଦା ଗ୍ରାମ ସଂଲଗ୍ନ ବିଭିନ୍ନ ସ୍ଥାନରେ ବୈଶିଙ୍ଗା ପୁଲିସ ଚଢ଼ାଉ କରିଥିଲା। ଧରାପଡିଯିବା ଭୟରେ ବାଇକଚୋର ଜଣକ ଚୋରି ଥିବା ସ୍ଥାନରେ ବାଇକ ରଖିଦେଇ ପଳାଇ ଯାଇଥିବାର ମଙ୍ଗଳବାର ସକାଳେ ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ l ମଛପଦା ଗ୍ରାମର ରଣଜିତ ସାହୁଙ୍କ ଅଭିଯୋଗ ମୁତାବକ ସୋମବାର ଅପରାହ୍ନରେ ଗାଁମୁଣ୍ଡରେ ଥିବା ନିଜର ତରଭୁଜ କ୍ଷେତକୁ କୌଣସି କାମରେ ଯାଇଥିବା ବେଳେ ରାସ୍ତା କଡ଼ରେ ଓଆର-୧୧ଜି- ୫୭୨୬ ର ସ୍ପ୍ଲେଣ୍ଡୋରପ୍ଲସ ମୋଟର ସାଇକେଲକୁ ଲକ କରି ଯାଇଥିଲେ l କିଛି ସମୟ ପରେ ତିନି ଜଣ ଯୁବକ ଏକ ବାଇକ ଯୋଗେ ଆସି ତାଙ୍କ ବାଇକଟିର ଲକ ଭାଙ୍ଗି ଚୋରି ର ଉଦ୍ୟମ କରୁଥିବାର ଦେଖି ରଣଜିତ ଚିତ୍କାର କରି ଗାଡି ନିକଟକୁ ଦୌଡ଼ି ଆସୁଆସୁ ଲୁଟେରା ମାନେ ଗାଡି ଧରି ଚମ୍ପଟ ମାରିଥିଲେ l ଏନେଇ ବୈଶିଙ୍ଗା ପୁଲିସ ଏକ ମାମଲା ରୁଜୁ କରି ସୋମବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉରେ ଭୟଭୀତ ହୋଇ ବାଇକଚୋର ଜଣକ ବିଳମ୍ବିତ ରାତିରେ ଚୋରି କରିଥିବା ସ୍ଥାନରେ ପୁର୍ନବାର ଗାଡି ରଖିଦେଇ ଚମ୍ପଟ ମାରିଥିଲା l ମଙ୍ଗଳବାର ସକାଳ ସମୟରେ ସେହି ବାଇକଟିକୁ ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେବା ସହିତ ବାଇକର ମାଲିକ ଜଣକ ଉକ୍ତ ବାଇକ ଟିକୁ ନେଇ ଆସିଥିବା ଜଣାଯାଇଛି।