ବେତନଟୀ : କେନ୍ଦୁଆ (ଉଲଡିହ)ର ବୈଶିଙ୍ଗା-ମାଣତ୍ରୀ ରାସ୍ତା ପାର୍ଶ୍ଵରେ ଅଚିହ୍ନା ବୃଦ୍ଧ ବ୍ୟକ୍ତି ଜଣଙ୍କ ଶାରିରୀକ ଅସୁସ୍ଥ ହେବା ପରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଆଜି ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ(ଉଲଡିହ) ଗ୍ରାମର ବୈଶିଙ୍ଗା-ମାଣତ୍ରୀ ରାସ୍ତା ପାର୍ଶ୍ଵରେ ଥିବା ପୂର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟଙ୍କ ପୁଅ ଆଲୋକ ଚନ୍ଦ୍ର ଆଚାର୍ଯ୍ୟଙ୍କ ଘର ସାମ୍ନାରେ ଗତକାଲି ଶନିବାର ସକାଳ ସମୟରେ ଜନୈକ ଅଚିହ୍ନା ବୃଦ୍ଧ ବ୍ୟକ୍ତି ଜଣକ ଶାରିରୀକ ଅସୁସ୍ଥ ହୋଇ କଷ୍ଟ ପାଉଥିବା ଦେଖି ଘର ମାଲିକ ଆଲୋକ ଚନ୍ଦ୍ର ଏକ ଗାଡି ଯୋଗେ ଉକ୍ତ ଅଚିହ୍ନା ବୃଦ୍ଧଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ଶନିବାର ସକାଳ ୭.୪୦ ସମୟରେ ଡ଼ାକ୍ତରଖାନାରେ ଏଡମିଟ ହୋଇ ଚିକିତ୍ସିତ ହେଉଥିବା ବେଳେ ଅପରାହ୍ନ ୩.୫୦ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତରଖାନା ତରଫରୁ ଜଣାଯାଇଥିଲା। ଡାକ୍ତରଙ୍କ ତରଫରୁ ଖବର ପାଇ ବୈଶିଙ୍ଗା ପୁଲିସ ବେତନଟୀ ଡାକ୍ତରଖାନା ପହଞ୍ଚି ଶବକୁ ଜବତ କରି ୫୭/୨୨ର ଏକ ଅପମୃତ୍ୟୁ ମାମଲା ମୂଳେ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲକୁ ପଠାଇ ଦେଇଥିଲେ । ଉକ୍ତ ଅଚିହ୍ନା ବୃଦ୍ଧ ଜଣକଙ୍କର ପରିଚୟ ମିଳି ନ ଥିବା ବେଳେ ସେ ଧଳା ରଙ୍ଗର ବେନିଅନ ଓ ଲାଲ ରଙ୍ଗର ଗାମୁଛା ପିନ୍ଧି ଥିବା ବେଳେ ଅଣ୍ଟାରେ ହଳଦିଆ ରଙ୍ଗର ଗାମୁଛା ବାନ୍ଧିଥିଲେ ଏବଂ ଦୁଇ ହାତରେ ଧଳା ରଙ୍ଗର ଚୁଡି ବାନ୍ଧିଥିଲେ । ଯଦି କୌଣସି ସହୃଦୟ ବ୍ୟକ୍ତି ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କର ପରିଚୟ ପାଆନ୍ତି ତାହାଲେ ମୋ.(୯୪୩୮୯୧୬୩୯୪)ନଂରେ ଜଣାଇବା ପାଇଁ ବୈଶିଙ୍ଗା ପୁଲିସ ତରଫରୁ ଅନୁରୋଧ କରାଯାଇଛି ।