ବେତନଟୀ : ଆଜି ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ ବେତନଟୀ ଏସଡିପିଓଙ୍କୁ ଭେଟି ଗତ ଚାରି ତାରିଖରେ ବୈଶିଙ୍ଗା ଥାନା ଅଧୀନ ଜାମଶୂଳୀର ସ୍ୱର୍ଗତଃ ଲଙ୍ଗା ଟୁଡୁଙ୍କ ପୁଅ ବାରିସା ଟୁଡୁ ନାମକ ଆଦିବାସୀ ଯୁବକଙ୍କୁ ବଟି ମାଗିବା, ମାଡ ମାରିବା ଓ ଜାତିଆଣ ଗାଳିଗୁଲଜ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରି ଥିଲେ । ମୋରଡା ଥାନା ଅଞ୍ଚଳରେ ଚାଲି ଥିବା ଏକ ଉନ୍ନତିମୂଳକ କାମରେ ନିୟୋଜିତ ଏକ ଗାଡି ହଠାତ ଫସି ଯାଇ ଥିଲା ଓ ଉକ୍ତ ଉନ୍ନୟନ କାର୍ଯ୍ୟରେ ସୁପରଭାଈଜର ଭାବେ ନିଯୁକ୍ତ ଥିବା ବାରିସା ଉକ୍ତ ଗାଡିକୁ ଉଠାଇବାକୁ ପ୍ରଚେଷ୍ଟା କରି ଥିଲେ ।
ବାରିସା ଉକ୍ତ ଗାଡିକୁ ଜଗି ଥିବା ବେଳେ ମୋରଡା ଥାନା ଅଧୀନ ମୋରଡାର ଅଜୟ ମହାନ୍ତିଙ୍କ ପୁଅ ଅବିନାଶ ମହାନ୍ତି, ସ୍ୱର୍ଗତଃ ଅଚ୍ୟୁତ ବେହେରାଙ୍କ ପୁଅ ଘାସିରାମ ବେହେରା, ମାଳିହାତୀର ସ୍ୱର୍ଗତଃ ସୁବଳ ରାଉତଙ୍କ ପୁଅ ମୁନା ରାଉତ, ଗୋଲକ ରାଉତଙ୍କ ପୁଅ ବାପି ରାଉତ ପ୍ରମୁଖ ମିଶି ବାରିସାକୁ ମରଣାନ୍ତକ ଆକ୍ରମଣ କରିବା ସହିତ, ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇ ଥିଲେ । ମାଲିକକୁ ଡକା ବୋଲି କହି ବଟି ଦାବି କରି ଥିଲେ ବୋଲି ବାରିସା ମୋରଡା ଥାନାରେ ଲିଖିତ ଭାବେ ଅଭିଯୋଗ କରି ଥିଲେ । ଏହି ଅଭିଯୋଗକୁ ନେଇ ମୋରଡା ଥାନା ଆଇଆଇସି ଦଫା ୩୪୧, ୨୯୪, ୩୨୩, ୩୮୫, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ତଥା ଅନୁଚ୍ଛେଦ ୩ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ ମୂଳେ ମାମଲା ନମ୍ବର ୭୪/୨୦୨୦ ରୁଜୁ କରି ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକଙ୍କୁ ତଦନ୍ତ ପାଇଁ ନିବେଦନ କରି ଥିଲେ । ଏହା ପରେ ବେତନଟୀ ଏସଡିପିଓ ଏହାର ତଦନ୍ତ କରୁଛନ୍ତି । ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଘଟଣା ବାବଦରେ ନିଜେ ସ୍ପଟକୁ ଯାଇ ତଦନ୍ତ କରି ଥିବାର ଠିକାଦାର ସଂଘକୁ ସୂଚନା ଦେଇ ଥିଲେ । ଅଭିଯୁକ୍ତ ମାନେ ଯିଏବି ହୁଅନ୍ତୁ ନା କାହିଁକି ଆଇନ ଚକ୍ଷୁରେ ସମସ୍ତେ ସମାନ ତେଣୁ କଠୋର କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ସୂଚନା ପ୍ରଦାନ କରି ଥିଲେ ।
ସାମାଜିକ ଦୂରତା ରକ୍ଷା ସହିତ ଠିକାଦାର ସଂଘର ସଦସ୍ୟ ମାନେ ଆଲୋଚନା କରିବା ପରେ ଏସଡିପିଓଙ୍କ ନିର୍ଭର ପ୍ରତିଶୃତି ପାଇବା ପରେ ଏସଡିପିଓଙ୍କୁ କୃତଜ୍ଞତା ଜଣାଇ ଥିଲେ । ମୟୂରଭଞ୍ଜ ଠିକାଦାର ସଂଘର ଉପଦେଷ୍ଟା ମୂରାରୀଲାଲ ଶର୍ମା, ସଭାପତି ପରେଶଚନ୍ଦ୍ର ମହାନ୍ତ, ଉପସଭାପତି ତରୁଣ ମହାନ୍ତି, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ଖଣ୍ଡେଲୱାଲା, ସନ୍ଦୀପ ପତି, ନନ୍ଦଲାଲ ମିଶ୍ର, ସୁବ୍ରତ ପାତ୍ର, ରବୀନ୍ଦ୍ର ପାଢ଼ୀ, ପ୍ରିୟବ୍ରତ ଦାସ, ଟୁକୁନା ବାରିକ, ବେତନଟୀ ଉପଖଣ୍ଡ ସରକାରୀ ଠିକାଦାର ସଂଘର ସଭାପତି ରାମେଶ୍ୱର ମିଶ୍ର, ସଦସ୍ୟ ସନ୍ତୋଷ କୁମାର ଜେନା, ରଣଜିତ ସାହୁ, ସାଗର କୁମାର ପରିଡା, ଇଂ. ଆଶିଷ କୁମାର ପାଲ, ଜ୍ଞାନରଞ୍ଜନ ବେହେରା, ଅଜିତ ପଣ୍ଡା ଓ ସଂଘର ଅନ୍ୟମାନେ ଏହି ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପୋଲିସ ପୀଡିତ ଯୁବକ ବାରିସା ଟୁଡୁଙ୍କ ନାମରେ ଏକ ପ୍ରତିପକ୍ଷ ମାମଲା ରୁଜୁ କରି ଥିବାର ସୂଚନା ମିଳିଛି । ଏହି ମାମଲା ଅନ୍ୟାୟ ବୋଲି ଦର୍ଶାଇ ମୟୂରଭଞ୍ଜ ଠିକାଦାର ସଂଘ ଏହାର ଘୋର ବିରୋଧ କରି ଥିଲା । ପରେ ସଂଘର କର୍ମକର୍ତ୍ତା ମାନେ ମୋରଡା ଥାନା ଯାଇ ସେଠାରେ ଆଇଆଇସିଙ୍କୁ ଭେଟିବା ସହିତ ପ୍ରତିପକ୍ଷ ମାମଲା ମିଥ୍ୟା ବୋଲି ତାଙ୍କୁ ଜଣାଇ ଉକ୍ତ ମାମଲାକୁ ସଠିକ ତଦନ୍ତ କରି ଆଦିବାସୀ ଯୁବକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରି ଥିବାର ଜଣା ପଡିଛି ।