ବେତନଟୀ : ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ହାତୀଝୁରି ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟି ଯାଇଛି,ଏଥିରେ ଜନୈକ ସ୍କୁଟି ଆରୋହୀ ଗୁରୁତର ଭାବେ ଆହତ ହୋଇ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣା ଯାଇଛି। ଘଟଣାରୁ ପ୍ରକାଶ ବେତନଟୀ ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କ ପୁଅ କାର୍ତ୍ତିକ ଚନ୍ଦ୍ର ବେହେରା(୩୮) ଏକ ସ୍କୁଟି ଯୋଗେ ବାଲେଶ୍ଵର ଅଭିମୁଖେ ଯାଉଥିବା ସମୟରେ ହାତୀଝୁରି ନିକଟରେ ଏକ ଷଣ୍ଢ ସାମ୍ନାକୁ ଚାଲିଆସିବା ଯୋଗୁଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋର ହେଲା ଯେ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା । ସ୍କୁଟି ଆରୋହୀଙ୍କ ମୁଣ୍ଡ ମାଡ ହୋଇ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁଁ ଚେତାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକେ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଆସିଥିଲେ। ଉପସ୍ଥିତ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।