ବେତନଟୀ, ୨୩/୯ : ମୟୂରଭଞ୍ଜରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଏହା ଛଡା ଗ୍ରାମୀଣ ଜନ ସାଧାରଣ ଏବେ ମଧ୍ୟ କରୋନା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ପାରୁ ନାହାଁନ୍ତି । ସଚେତନତା ଅଭାବ ହିଁ ଏହାର ପ୍ରମୁଖ କାରଣ ବୋଲି କୁହା ଯାଉଛି । ଏହି ଘଟଣାକୁ ନେଇ ରାଗଧା ଜୁନିଅର କଲେଜର ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟ ଘରର ସଭାପତି ପ୍ରଫେସର ରାମଚନ୍ଦ୍ର ଦାସ ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି । ଏହି କଲେଜରେ +୨ କଳା ଓ ବିଜ୍ଞାନରେ ଆଡମିଶନ ଚାଲିଛି ।
ଆଡମିଶନ ପାଇଁ ଆସୁ ଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ କଲେଜକୁ ପଶିବା ସମୟରେ କରୋନା ପ୍ରତିରୋଧକ ସାନିଟାଇଜର ଲଗାଇବା, ଶରୀର ତାପମାତ୍ରା ମାପିବା, ମାସ୍କ ବ୍ୟବହାର, ସାମାଜିକ ଦୂରତା ଉପରେ ଗୁରତ୍ୱ ଦିଆ ଯାଉ ଥିବାର ଦେଖା ଯାଉଛି । ଏହି ଛାତ୍ରଛାତ୍ରୀ ମାନେ ଶିକ୍ଷିତ ହୋଇ ଥିବାରୁ ଏମାନଙ୍କ ଜରିଆରେ ସେମାନଙ୍କ ପରିବାର ଓ ଗ୍ରାମବାସୀ ମାନଙ୍କୁ ସଚେତନା କରିବାର ସନେ୍ଦଶ ମଧ୍ୟ ପ୍ରେରଣ କରା ଯାଉଛି ।
ପ୍ରତ୍ୟେକ ଛାତ୍ରଛାତ୍ରୀ ସେମାନଙ୍କର ଆଡମିଶନ କାର୍ଯ୍ୟ ଶେଷ ହେବା ପରେ ସେମାନଙ୍କୁ ଅଧ୍ୟାପକ, କର୍ମଚାରୀର ଏକ ପ୍ୟାନେଲ କରୋନା ପ୍ରତିରୋଧକ ପଦକ୍ଷେପ ବାବଦରେ ବୁଝାଇବା ସହିତ ଏହାକୁ ନିଜ ଲୋକଙ୍କ ମଧ୍ୟରେ ସେୟାର କରିବାକୁ ଉପଦେଶ ଦିଆ ଯାଉଛି । କରୋନା ସହିତ ଲଢ଼ିବା ବେଳେ ରୋଗୀକୁ ଘୃଣା ନକରିବାକୁ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ଦାସ ନିଜେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଉ ଥିବାର ଦେଖା ଯାଇଛି ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଦୀପ୍ତି ପ୍ରକାଶ ମହାନ୍ତ, ଅଧ୍ୟାପକ ଅନନ୍ତ ନାରାୟଣ ମିଶ୍ର, ଅଧ୍ୟାପକ ମୂରଲୀଧର ମହାନ୍ତ, ଅଧ୍ୟାପକ ଶତ୍ରୁଘ୍ନ ମହାନ୍ତ, ଅଧ୍ୟାପକ ନବକିଶୋର ବେହେରା, ଅଧ୍ୟାପକ ଡ. ହାଡିବନ୍ଧୁ ବେହେରା, ଗୋରାଚାନ୍ଦ ମହାନ୍ତ, ସନ୍ତୋଷ କୁମାର ମହାନ୍ତ, ବିକ୍ରମାଦିତ୍ୟ ଦାସ, ପ୍ରକାଶ ମିଶ୍ର, ମହେଶ୍ୱର ମହାନ୍ତ, ସୁବାସ ଦାସ, ଅନୁପକ୍ରୀଷ୍ଣା ଦାସ, ମହେନ୍ଦ୍ରନାଥ ସିଂ, ଲକ୍ଷ୍ମୀଧର ମହାନ୍ତ, କୈଳାସଚନ୍ଦ୍ର ମହାନ୍ତ, ଗୌରମୋହନ ମହାନ୍ତ, ଶ୍ରବଣ କୁମାର ମହାନ୍ତ, ସପନ କୁମାର ନାଥ ପ୍ରମୁଖ ସହଯୋଗ କରି ଥିଲେ ।