ରାଜନଗର : କେନ୍ଦ୍ରାପଡ଼ା ଜ଼ିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଂଚାୟତର ରଙ୍ଗଣୀ ଗାଁ ହେବ ଆଦର୍ଶ ଜନଜାତି ଗାଁ | ଗାଁରେ ୨୫ ପ୍ରତିଶତରୁ ଅଧିକ ଅର୍ଥାତ ୧୫୦ ଆଦିବାସୀ ପରିବାର ବାସ କରୁଥିବାରୁ ଗାଁକୁ ଆଦର୍ଶ ଜନଜାତି ଗାଁ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି | ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ରଙ୍ଗଣୀ ଗାଁରେପହଂଚିଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି |
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀପ୍ରଧାନ ଓ ଡ଼ିଏଫଓ ରଙ୍ଗଣୀ ପଂଚାୟତ ଅଫିସରେ ପହଂଚିଥିଲେ | ରଙ୍ଗଣୀ ଗାଁକୁ ଆଦର୍ଶ ଜନଜାତି ଗାଁ ଭାବେ ଘୋଷଣା କରାଯିବ | ସମସ୍ତ ଆଦିବାସୀ ପରିବାରକୁ ଜନଜାତି ସାର୍ଟିଫିକେଟ ସହିତ ସମସ୍ତ ଜନଜାତି ପରିବାରକୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ, ରାସନ କାର୍ଡ, ପିଇବା ପାଣି, ବିଦ୍ୟୁତ ସେବା ଯୋଗାଇ ଦିଆଯିବ | ଗାଁରେ ଚକାଚକ ରାସ୍ତା ସହିତ ଛୋଟ ମେଡିକାଲ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ | ଏଥି ସହିତ ରଙ୍ଗଣୀ, ଭେକଟା ଓ ପଟ୍ଟାପାରିଆ ଗାଁର ଲୋକେ ୨୦୦୬ ରେ ଫରେଷ୍ଟ ରାଇଟ ଆକ୍ଟରେ ପଟ୍ଟା ମିଳିଥିଲେ ମଧ୍ୟ ତାର ପାଉତି କଟାଯାଉନାହିଁ ବୋଲି ଅଭିଯୋଗ କରିଥିଲେ | ଏଥି ସହିତ ଭେକଟା ଗାଁର ସେଟଲମେଣ୍ଟ ଆଜି ଯାଏଁ ହୋଇନଥିବାରୁ ସେମାନେ କିପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ନେଇ କହିଥିଲେ | ବର୍ଷା ପରେ ସର୍ଭେ କରି ରିପୋର୍ଟ ଦେବା ସହିତ ସେଟଲମେଣ୍ଟ ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ | ବିଡ଼ିଓ ନିଶାନ ମିଶ୍ର, ତହସିଲଦାର ଅଜୟ କୁମାର ମହାନ୍ତି, ରଙ୍ଗଣୀ ସରପଞ୍ଚ ଲୋପାମୁଦ୍ରା ଜେନା, ସମିତି ସଭ୍ୟ ତପନ କୁମାର ସାହୁ, ତାଳଚୁଆ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ବଳରାମ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ | ଏହା ପରେ ଜିଲ୍ଲାପାଳ ଚାଆଁରାକୋଲ୍ଲାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରଙ୍ଗଣୀ ଜିପି ହାଇସ୍କୁଲରେ ପହଁଞ୍ଚି ବିଦ୍ୟାଳୟ ରେ ଭିତ୍ତିଭୂମି ଦେଖିଥିଲେ | ଜ଼ିଲ୍ଲାପାଳ ଙ୍କ ଗସ୍ତ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।