ବ୍ରହ୍ମପୁର,୩୧ା୮ ସହରର ବିଭିନ୍ନ ଜନଗହଳି ସ୍ଥାନରେ ବାଇକ ଚୋରି ବଢ଼ିଥିଲା। ପୋଲିସ ପାଇଁ ତାହା ଚାଲେଞ୍ଜ ହୋଇପଡିଥିଲା। ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଏକ ଟିମ ଗଠନ ହୋଇଥିଲା। ଶେଷରେ ଏଜି ଟିମ ଚୋର ଗ୍ୟାଙ୍ଗକୁ ଠାବ କରିଛି । ସ୍ଥାନୀୟ ରାମଲିଙ୍ଗମ ପାର୍କ ନିକଟରେ ଚୋରି ଗାଡି ବିକ୍ରି ପାଇଁ ଡିଲ ହେଉଥିବା ଖବରପାଇ ପୋଲିସ ଏହି ଦୁଇଜଣିଆ ଚୋର ଗ୍ୟାଙ୍ଗକୁ ଗୁରୁବାର ଧରିଛି । ଅଭିଯୁକ୍ତ ମାନେ ହେଲେ ଗୋଳନ୍ଥରା ଥାନା ରଙ୍ଗିପୁର ଗ୍ରାମର ରବି ନାୟକ(୧୯) ଓ ବିକାଶ ନାୟକ(୧୯) । ଜେରା ବେଳେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରୁ ବାଇକ ଓ ସାଇକେଲ ଚୋରି କରିଥିବା ସେମାନେ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି । ସେମାନଙ୍କ ବୟାନକୁ ଆଧାର କରି ପୋଲିସ ୧୭ ବାଇକ ଓ ୩୦ ସାଇକେଲ ଜବତ କରିଛି।
ଏହି ଦୁଇଜଣିଆ ଚୋର ଗ୍ୟାଙ୍ଗ ଏମକେସିଜି ମେଡିକାଲକୁ ଆସୁଥିବା ରୋଗୀ ସମ୍ପର୍କୀୟ, ରେଳ ଷ୍ଟେଶନକୁ ଯାତ୍ରୀଙ୍କୁ ଛାଡିବାକୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ । ସୁଯୋଗ ଦେଖି ସେମାନଙ୍କ ଗାଡିି ଚୋରି କରୁଥିଲେ । ଘରୋଇ ଟ୍ୟୁସନ ବାହାରେ ଛାତ୍ରୀଛାତ୍ର ରଖୁଥିବା ସାଇକେଲକୁ ବି ସେମାନେ ଚୋରି କରୁଥିଲେ । ଚୋରି କରିବା ପରେ ସେମାନେ ଯାନଗୁଡିକୁ ଅନ୍ୟ ଏକ ସ୍ଥାନରେ ରଖୁଥିଲେ । ଦିନେ ଦୁଇଦିନ ପରେ ଗ୍ରାହକ ଖୋଜି ସେଗୁଡିକୁ ବିକ୍ରି କରୁଥିଲେ ବୋଲି ଅତିରିକ୍ତ ଏସପି ଅସୀମ କୁମାର ପଣ୍ଡା ଶନିବାର ବିଏନପୁର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ପେଶାଦାର ଚୋର । ସେମାନେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାଡି ଓ ସାଇକେଲ ଚୋରି କରିଥିବା ତଦନ୍ତ ବେଳେ ସ୍ୱୀକାର କରିଛନ୍ତି । ନଂ. ୨୦୬/୨୪ରେ ଏକ ମାମଲା ରୁଜୁ କରାଯାଇ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଗତ ଏପ୍ରିଲ ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବିକ୍ରମପୁର ଗାଁର ଶୁଭ୍ରଜିତ ପାହାନ(୩୨) ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ଶୁଭ୍ରଜିତ ତାଙ୍କ ସ୍କୁଟି ଓଡି ୦୨ ବିଏନ ୬୪୪୩ ୱାର୍ଡ ବାହାରେ ପାର୍କିଂ କରିଥିଲେ । ପରଦିନ ସକାଳେ ଦେଖିଲା ବେଳକୁ ତାଙ୍କ ଗାଡି ଗାଏବ ହୋଇଯାଇଛି । ଏ ସଂକ୍ରାନ୍ତରେ ଶୁଭ୍ରଜିତ ଅଭିଯୋଗ କରିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଟ୍ରାକିଂ ଜାରି ରଖିଥିଲା । ଗତ ଦୁଇ ଦିନ ତଳେ ଉକ୍ତ ଗାଡିଟି ବିକ୍ରି ପାଇଁ ରାମଲିଙ୍ଗମ ପାର୍କ ନିକଟରେ ଡିଲ ହେଉଥିବା ବେଳେ ଉକ୍ତ ଗ୍ୟାଙ୍ଗ ଉପରେ ପୋଲିସ ମାଡି ବସିଥିଲା । ପରେ ଗାଡି ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି ବୋଲି ଅତିରିକ୍ତ ଏସପି କହିଛନ୍ତି ।
