ବ୍ରହ୍ମପୁର(ଅମରେନ୍ଦ୍ର ପଟ୍ଟନାୟକ ) : ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଖେଳ ପଡ଼ିଆ ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ମୁଖ୍ୟ ଭାବେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ମେଳାରେ ମୋଟ ୧୦୦ଟି ଷ୍ଟଲ ଖୋଲା ଯାଇଛି। ଏହି ଷ୍ଟଲ ଗୁଡ଼ିକରେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଛି। ଚାଷୀ ଭାଇ ମାନେ କିଭଳି ବିଭିନ୍ନ ଯନ୍ତ୍ରପାତିକୁ ଚାଷ କାର୍ଯ୍ୟ ରେ ବ୍ୟବହାର କରି ନିଜର ଚାଷକୁ ସରଳୀକରଣ କରିବା ସହିତ ଅଧିକରୁ ଅଧିକ ଅମଳ ଉତ୍ପାଦନ କରିପାରିବେ ସେ ନେଇ ଏହି ମେଳାର ଆୟୋଜନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରରୁ ବ୍ୟବସାୟୀ ମାନେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଯନ୍ତ୍ରପାତି ଏହି ମେଳାକୁ ଆଣିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଳକର ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତ ଓ ଚାଷୀ ମାନଙ୍କୁ କୃଷି ବିଭାଗର ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୪ଟି ବ୍ଳକରୁ ୭୦୦ କୃଷକ ଆସିଥିଲେ । ଏହାଛଡ଼ା ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି ପ୍ରତି ଜିଲ୍ଲାରୁ ୧୦ ଜଣ ଲେଖାଏଁ ଚାଷୀ ମେଳାରେ ଯୋଗ ଦେଇଥିଲେ । ଏହି ମେଳା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ବିଭିନ୍ନ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏଭଳି କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯିବା ଦ୍ବାରା ଚାଷୀ ମାନେ ବିଭିନ୍ନ ଯନ୍ତ୍ରପାତିକୁ ନେଇ ଅଧିକ ଜାଣିବା ସହିତ ଏହାର ବ୍ୟବହାର ମଧ୍ୟ କରିପାରିବେ । ଏହି କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଭି.କୀର୍ତ୍ତି ଭାସନଙ୍କ ସମେତ କୃଷି ବିଭାଗର ବହୁ ଅଧିକାରୀ ଓ ଚାଷୀ ମାନେ ଯୋଗ ଦେଇଥିଲେ ।
