ବ୍ରହ୍ମପୁର , ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଘଟଣା ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହିଧାରାରେ ବଡବ୍ଜ଼ାର ଅଞ୍ଚଳରେ ରହୁଥିବା ଜଣେ ମହିଳା ଠକେଇର ଶୀକାର ହୋଇଛନ୍ତି। ଜଣେ ମହିଳାଙ୍କ ଠାରୁ ୭୦ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ବଡବ୍ଜ଼ାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ସମୀର ନାୟକ ତାଙ୍କ ଘର ତାରିସିଂ ଥାନା ଅନ୍ତର୍ଗତ ଲୁଣିଗୁଣ୍ଡି ଗ୍ରାମର ମୂଳ ନିବାସୀ ହୋଇଥିବା ବେଳେ ସେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବଡବାଉରୀ ସାହିରେ ରହୁଛନ୍ତି। ଅଭିଯୁକ୍ତ ଜଣଙ୍କ ସମୀର ନାୟକ(୨୯) । କେସ ନଂ ୧୦୧/୨୨ ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଏକ ପ୍ରେସ ନୋଟ ଜରିଆରେ ସୂଚନା ଦେଇଛନ୍ତି।
ପ୍ରକାଶ ଯେ , ଚାକିରି ସନ୍ଧାନରେ ଥିବା ଅଭିଯୋଗକାରୀ ମହିଳା ଜଣଙ୍କ ଆଜକୁ ଦେଢ ବର୍ଷ ତଳେ ଅଭିଯୁକ୍ତ ସମୀର ସହ ପରିଚିତ ହୋଇଥିଲେ। ସମୀର ନିଜକୁ ଓଡ଼ିଶା ମେଡିକାଲ ରିକ୍ୟୁରିଟମେଣ୍ଟ ବୋର୍ଡର ସେକ୍ରେଟାରୀ ବୋଲି ଦର୍ଶାଇବା ସହ ମହିଳାଙ୍କୁ ନିରାମୟ କେନ୍ଦ୍ରରେ ଚାକିରି କରାଇଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଚାକିରି ପାଇବାକୁ ହେଲେ ୭୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ ବୋଲି ଅଭିଯୁକ୍ତ ଜଣଙ୍କ ସଂପୃକ୍ତ ମହିଳାଙ୍କୁ କହିଥିଲେ। ସେହିକ୍ରମରେ ମହିଳା ଜଣଙ୍କ ଅଭିଯୁକ୍ତଙ୍କୁ ଫୋନ-ପେ ଜରିଆରେ ବିଭିନ୍ନ ଦିନରେ ମୋଟ ୬୨ ହଜାର ଟଙ୍କା ଦେଇଥିଲେ। ଟଙ୍କା ସହ ମହିଳା ଜଣଙ୍କ ନିଜର ସମସ୍ତ ଓରିଜିନାଲ ସାର୍ଟିଫିକେଟ ମଧ୍ୟ ଦେଇଥିଲେ। କିଛି ଦିନ ପରେ ବଳକା ୮୦୦୦ ଟଙ୍କା ମଧ୍ୟ ଅଭିଯୁକ୍ତଙ୍କୁ ଦେଇଥିଲେ ।
ହେଲେ ଅନେକ ଦିନ ବିତିବା ପରେ ମଧ୍ୟ ମହିଳା ଜଣଙ୍କ ଚାକିରି ସମ୍ପର୍କିତ କଲ ଳେଟର ନପାଇବାରେ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଶେଷରେ ମହିଳା ଜଣଙ୍କ ବଡବଜାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅଭିଯୁକ୍ତ ସମୀର କେବଳ ଏହି ମହିଳାଙ୍କୁ ନୁହେଁ ଏଓଆରୀ ଗଞ୍ଜାମ ଓ ଗଜପତି ଜିଲାର ଅନେକ ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି କରାଇଦେବାକୁ କହି ପ୍ରାୟ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଅଭିଯୁକ୍ତଙ୍କ ଠାରୁ ଅଭିଯୋଗକାରୀ ମହିଳାଙ୍କ ସମସ୍ତ ଓରିଜିନାଲ ସାର୍ଟିଫିକେଟ ଜବତ କରାଯାଇଛି ବୋଲି ପୋଲିସ ଠାରୁ ସୂଚନା ମିଳିଛି।