Odisha news

ବ୍ରହ୍ମପୁର ମହାନଗର ନିଗମ କାଉନସିଲ ବୈଠକରେ ୱାର୍ଡ ସୀମା କୁ ନେଇ ଦୁଇ କର୍ପୋରେଟରଙ୍କ ମଧ୍ୟରେ ବିବାଦ

0
ବ୍ରହ୍ମପୁର :-ବ୍ରହ୍ମପୁର ମହାନଗର ନିଗମର କାଉନସିଲ ବୈଠକ ଶୁକ୍ରବାର ଅପରାହ୍ନରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ଆୟୁକ୍ତ ଜେ.ସୋନାଲ, ଅତିରିକ୍ତ ଆୟୁକ୍ତ ସମ୍ବିତ ରାଉତ ଏବଂ ରମେଶ ହାଁସଦା ପ୍ରମୁଖ ମଞ୍ଚାସିନ ଥିଲେ। ସହରର ବିଭିନ୍ନ ବିଷୟର ସମସ୍ୟା ଏବଂ ତାହାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା। ତେବେ ସୀମା ବିବାଦକୁ ନେଇ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ୩୭ ନମ୍ବର ଏବଂ ୩୮ ନମ୍ବର କର୍ପୋରେଟରଙ୍କ ମଧ୍ୟରେ ଅନେକ ମାସ ହେଲା ୱାର୍ଡ ସୀମାକୁ ନେଇ ବିବାଦ ଲାଗି ରହିଥିଲା। ବାରମ୍ବାର ଏନେଇ ଅଭିଯୋଗ ସତ୍ତ୍ବେ ମହାନଗର ନିଗମ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହାର ପ୍ରତିବାଦରେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନିତା ସାହୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସମ୍ମିଳନୀ କକ୍ଷର ତଳେ ବସି ପ୍ରତିବାଦ କରିଥିଲେ। ତାଙ୍କୁ କର୍ପୋରେଟର ପ୍ରଦୀପ ଶତପଥୀ, ରଞ୍ଜିତା ବେହେରା ମଧ୍ୟ ସମର୍ଥନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ଏବଂ ପାଟିତୁଣ୍ଡ ହୋଇଥିଲା। ମେୟର ଦଳେଇ ଏବଂ ବିଧାୟକ ପଣ୍ଡା ମଞ୍ଚ ଉପରୁ ତଳକୁ ଆସି ଆଲୋଚନା କରିଥିଲେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସୀମା ବିବାଦର ସମଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ସେମାନେ ନିଜେ ସୋମବାର ୱାର୍ଡ ପରିଦର୍ଶନରେ ଯାଇ ବ୍ୟକ୍ତିଗତ ଭାବେ ସମସ୍ୟା ବୁଝିବେ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସେହିଭଳି ବୈଠକରେ ମହାନଗର ନିଗମରେ କାର୍ଯ୍ୟରତ ଡିଏଲଆର୍‌ମାନଙ୍କ ଦରମା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ପ୍ରତି ବର୍ଷ ସେମାନଙ୍କ ଦରମା ଏକ ହଜାର ଟଙ୍କା ଲେଖାଏଁ ବୃଦ୍ଧି କରିବାକୁ ସର୍ବସମ୍ମତି ପ୍ରକାଶ ପାଇଥିଲା। ଏହା ଫଳରେ ମହାନଗର ନିଗମ ତରଫରୁ ଅତିରିକ୍ତ ୩୮ ଲକ୍ଷ ୭୬ ଟଙ୍କାର ବୋଝ ସହିବାକୁ ପଡ଼ିବ। ସେହିଭଳି ବୈଠକରେ କର୍ପୋରେଟରମାନେ ବିଭିନ୍ନ ପ୍ରସଙ୍ଗ ଯଥା, ସଫେଇ କାର୍ଯ୍ୟପାଇଁ ଅତିରିକ୍ତ ଭାବେ ନିୟୋଜିତ ସଫେଇ କର୍ମଚାରୀଙ୍କ ନିଯୁକ୍ତି, କଂସେଇଖାନାର ଟ୍ରେଡ୍‌ ଲାଇସେନ୍ସର ବୈଦ୍ଧତା, ରାସ୍ତାରେ ବୁଲୁଥିବା ଗାଈଗୁଡ଼ିକର ମାଲିକଙ୍କ ଠାରୁ ଜୋରିମାନା ଆଦାୟ ସହିତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। ତେବେ ୫-ଟି ସଚିବଙ୍କ ବ୍ରହ୍ମପୁର ଗସ୍ତ ପରେ ମନ୍ଦିର ଉନ୍ନତିକରଣ ପାଇଁ ସାଢ଼େ ୪ କୋଟି ଟଙ୍କା, ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ୪ କୋଟି ୨୫ ଲକ୍ଷ ଟଙ୍କା ଏବଂ ମହାବିଦ୍ୟାଳୟଗୁଡ଼ିକର ରୂପାନ୍ତରିକରଣ ପାଇଁ ୧୨ କୋଟି ଟଙ୍କାର ଅନୁଦାନକୁ ମଞ୍ଜୁରୀ ମିଳିଥିବା ଯୋଗୁ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା। ବୈଠକରେ କର୍ପୋରେଟର ଏବଂ ମହାନଗର ନିଗମର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ପ୍ରଥମେ ନୂତନ ଭାବେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କରାଯାଇଥିଲା।

Leave A Reply