Odisha news

ସିଡବ୍ଲୁସି ସଦସ୍ୟାଙ୍କ ହତ୍ୟା,  ରକ୍ତଭିଜା କପଡ଼ା ଓ କଟର୍ ଜବତ, ଡ୍ରାଇଭର୍ ଗିରଫ

0
ବ୍ରହ୍ମପୁର, ୧୨।୧୦: ଗୋସାଇଁ ନୂଆଗାଁ ଥାନା ଅଂଚଳରେ ଗତକାଲି ରାତିରେ ଜଣେ ମହିଳାଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି। ମୃତ ମହିଳା ହେଲେ ଶିଶୁ ମଙ୍ଗଳ ସମିତି ସଦସ୍ୟା ସୌଦାମିନୀ ରଥ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ମୃତ୍ୟୁ ହୋଇଥିବା ପୁଲିସ ତା’ର ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ଗାଡ଼ି ଡ୍ରାଇଭରକୁ ପୁଲିସ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ପଂଚନାମା କରାଯିବା ପରେ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
 ଏସମ୍ପର୍କରେ ଟାଉନ୍‌ ଏସଡିପିଓ ରାଜୀବ ଲୋଚନ ପଣ୍ଡା ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ମୁତାବକ, ସୌଦାମିନୀ ପ୍ରାୟ ୧୨ବର୍ଷ ହେବ ଏକ ବେସରକାରୀ ସଂସ୍ଥା ‘ଅରୁଣା’ର ସମ୍ପାଦିକା ଥିଲେ। ୨-୩ଦିନ ତଳେ ଭୁବନେଶ୍ବର କୌଣସି ଅଫିସ କାମରେ ଯାଇଥିଲେ। ଗଲାବେ‌ଳକୁ ତାଙ୍କ ଡ୍ରାଇଭର୍‌କୁ ଏସମ୍ପର୍କରେ ଜଣାଇ ତା’କୁ ଛୁଟିରେ ରହିବାକୁ କହିଥିଲେ। କିନ୍ତୁ କୌଣସି କାରଣବଶତଃ ଗତାଲି ରାତିରେ ସେ ଘରକୁ ଫେରିଆସିଥିଲେ। ଘର ଭିତରେ ତାଙ୍କ ଡ୍ରାଇଭର ଥିବା ଦେଖିବାକୁ ପାଇଥିଲେ। ସେ ଚୋରି ଅବା ଅନ୍ୟ କୌଣସି କାରଣରୁ ସେହି ଘରକୁ ଆସିଥାଇପାରେ। ବୋଧେ ତାହା ସୌଦାମିନୀ ଜାଣିଦେବାରୁ ପାଖରେ ଥିବା ଏକ କଟର୍‌ରେ ତାଙ୍କର ମୁଣ୍ଡକୁ ପିଟି ହତ୍ୟା କରିଛି। ଘରକୁ ଫେରି ତାଙ୍କର କୌଣସି ଷ୍ଟାଫ୍ ସହ ସେ କଥା ହେଉଥିବା ବେଳେ ବୋଧେ ଏହିସବୁ ଘଟଣା ଘଟିଛି। ଫଳରେ ମୋବାଇଲ୍‌ରେ ସେ ମରିଗଲି ବୋଲି କହୁଥିବା ଶୁଣି ଫୋନ୍‌ ଧରିଥିବା ଷ୍ଟାଫ୍‌ଙ୍କ ସ‌ନ୍ଦେହ ହୋଇଥିଲା। ତେଣୁ ସେ ଅନ୍ୟ ଷ୍ଟାଫ୍‌ଙ୍କ ସହ ମିଶି ସୌଦାମିନୀଙ୍କ ଘରକୁ ଆସି ଦେଖିଲା ବେଳକୁ ସୌଦାମିନୀ ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଆଖପାଖର ସିସିଟିଭିକୁ ପୁଲିସ ଯାଂଚ କରୁଛି ବୋଲି ଏସ୍‌ଡିପିଓ ପ୍ରତିକ୍ରିୟା ରଖିଥିଲେ। ତେବେ ଡ୍ରାଇଭର୍‌ ତାଙ୍କୁ କାହିଁକି ମାରିଲା? ସୌଦାମିନୀ ଘରକୁ ‌ଫେରିବା ପରେ ତାଙ୍କୁ ପିଛା କରି ଅଭିଯୁକ୍ତ ଆସିଥିଲା, ନାଁ ପୂର୍ବରୁ  ଘରେ ପଶିଥିଲା? ସୌଦାମିନୀଙ୍କୁ ହତ୍ୟା ପାଇଁ ଯାଇଥିଲା ନାଁ ଚୋରି ଉଦ୍ଦେଶ୍ୟରେ ଯାଇଥିଲା? ଯଦି ହତ୍ୟା ଉଦ୍ଦେଶ୍ୟରେ ଯାଇଥିଲା, ତା’କୁ କେହି ପଠାଇଥିଲା ନାଁ କୌଣସି ବ୍ୟକ୍ତିଗତ କାରଣ ଥିଲା? ସାଧାରଣରେ ଏଭଳି ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Leave A Reply