Odisha news

ଦେଶର ପ୍ରଥମ ହେବ ବ୍ରହ୍ମପୁର ମହାନଗର  ନିଗମ, ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ରହ୍ମପୁରରେ…

0
ବ୍ରହ୍ମପୁର :-ବ୍ରହ୍ମପୁର ସହରର ସମସ୍ତ ଘରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ‘ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ସଂପୂର୍ଣ୍ଣ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କନ୍‌ଭେନସନ ସେଣ୍ଟରରୁ ଆଭାସୀରେ ଉଦଘାଟନ କରିଥିଲେ। ଅପରପକ୍ଷେ ବ୍ରହ୍ମପୁର ଟାଉନ ହଲ୍‌ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ବିବେକ ରେଡ଼ି, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ୱାଟ୍‌କୋର ମୁଖ୍ୟ ଅପରେଟିଂ ଅଫିସର ସୀତାରାମ ପଣ୍ଡା ମଞ୍ଚାସିନ ଥିଲେ।
ବ୍ରହ୍ମପୁର ମହାନଗର ନିଗମର ୨୫ଟି ଜୋନ୍‌ରେ ୫୪ ହଜାର ୩୮୯ଟି ବାସଗୃହକୁ ୨୪ ଘଣ୍ଟିଆ ପାଇପ୍‌ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଗତ ଡିସେମ୍ବରରେ ସେଥିରୁ ୯ଟି ଜୋନ୍‌ରେ ଜଳ ଯୋଗାଣର ଶୁଭାରମ୍ଭ ହୋଇଥିଲା। ସୋମବାରୂ ଆଉ ୧୬ଟି ଜୋନ୍‌ରେ ଜଳ ଯୋଗାଣର ଶୁଭାରମ୍ଭ କରାଯାଇଛି। ତେବେ ଜାତୀୟ ରାଜପଥର ଅପରପାର୍ଶ୍ବରେ ଥିବା ପ୍ରାୟ ୧ ହଜାର ଘରକୁ ଜଳ ଯୋଗାଣ କାର୍ଯ୍ୟ ଚାଲିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏସବୁ ଘରକୁ ମଧ୍ୟ ଜଳ ଯୋଗାଣ ସଂଯୋଗ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଫଳରେ ମହାନଗର ହିସାବରେ ବ୍ରହ୍ମପୁର ଦେଶର ପ୍ରଥମ ସହର ହୋଇଯିବ, ଯେଉଁଠି ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିବ ବୋଲି ସଭାରେ ସୂଚନା ଦିଆଯାଇଥିଲା। ସାଂସଦ ଶ୍ରୀ ସାହୁ କହିଥିଲେ ଯେ, ସହରର ପାନୀୟ ଜଳ ଯୋଗାଣ ସମସ୍ୟା ବହୁ ଦଶନ୍ଧୀ ଧରି ରହିଥିଲା। କିନ୍ତୁ ଜାନବିଲି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ବର୍ଷ ବର୍ଷର ସମସ୍ୟା ଦୂର ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସହରବାସୀମାନେ ପାନୀୟ ଜଳ ଯୋଗାଣ ସୁବିଧା ପାଇଥିବା ଯୋଗୁ ରାଜନୈତିକ ଜୀବନର ସବୁଠୁ ବଡ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲି ବୋଲି ସାଂସଦ ଶ୍ରୀ ସାହୁ କହିଥିଲେ। ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡା. ଚ୍ୟାଉପଟ୍ଟନାୟକ କହିଥିଲେ ଯେ, ଗୋଟିଏ ସମୟ ଥିଲା ରାଜ୍ୟବାସୀ ପୋଖରୀ ଜଳ ପିଉଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ବ ଦେଇଥିଲେ। ଏହି କ୍ରମରେ ବ୍ରହ୍ମପୁର ସହରର ବହୁ ବର୍ଷର ପାନୀୟ ଜଳ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ଦୂର କରିପାରିଛନ୍ତି। ଟ୍ୟାପ୍‌ରେ ପାନୀୟ ଯୋଗ୍ୟ ଜଳ ଯୋଗାଣ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବର ପ୍ରମାଣ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବହୁ କର୍ପୋରେଟର, ଜଳ ସାଥୀ ଏବଂ ୱାଟ୍‌କୋର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ୫ଟି ସହର ସମେତ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ୨୪ ଘଣ୍ଟିଆ ଜଳ ଯୋଗାଣ ସୁବିଧାର ଶୁଭାରମ୍ଭ କରିଛନ୍ତି। ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମରେ ଜନସାଧାରଣ ଟ୍ୟାପରୁ ସିଧାସଳଖ ବିଶୁଦ୍ଧ ପିଇବା ପାଣି ପାଇପାରୁଛନ୍ତି। ଏଥିରେ ଟ୍ୟାପ ପାଣିକୁ ଫିଲ୍‌ଟର କରିବାର ଆବଶ୍ୟକ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳ ଅମୂଲ୍ୟ। ପ୍ରତିଟି ଜଳବିନ୍ଦୁରେ ରହିଛି ଜୀବନ। ତେଣୁ ସମସ୍ତଙ୍କୁ ଭଲ ପିଇବା ପାଣି ଯୋଗାଇବା ଆମ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାର ଲକ୍ଷ୍ୟ। ୫-ଟି ଉପକ୍ରମ ପ୍ରୟୋଗରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ଆଜି ସାରା ଦେଶ ପାଇଁ ଓଡିଶା ଏକ ମଡେଲ ହୋଇଛି ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ ଥିଲେ। ବିଭାଗୀୟ ପ୍ରମୁଖ ସଚିବ ଜି. ମାଥି ଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ।

Leave A Reply