ଠାକୁରମୁଣ୍ଡା -10/10 ; ଠାକୁରମୁଣ୍ଡା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ପାଇଁ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନ ୩ ଟା ସମୟରେ ସାଇବର ରଥ ଠାକୁରମୁଣ୍ଡା ଠାରେ ପହଞ୍ଚିବା ପରେ ଲଷ୍ମୀ ନାରାୟଣ ମନ୍ଦିର ନିକଟରୁ ସ୍ୱାଗତ କରାଯାଇଥିଲା l ଏସଏଚଜି ମହିଳା, ଛାତ୍ର ଛାତ୍ରୀ, ସାଂସ୍କୃତିକ ନୃତ୍ୟ ଦଳ ଦ୍ୱାରା ସ୍ୱାଗତ କରାଯାଇ ଶୋଭାଯାତ୍ରା ଓ ନୃତ୍ୟର ତାଳେ ତାଳେ ବଜାର ପରିକ୍ରମା କରି ମିନି ଷ୍ଟାଡିୟମକୁ ଅଣାଯାଇଥିଲା l ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ସଭାପତିତ୍ୱରେ ସାଇବର ସୁରକ୍ଷା ଦିଗରେ ବିଶେଷ ଆଲୋଚନା କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ନିଜ ବକ୍ତବ୍ୟରେ ସାଧାରଣ ଲୋକ ଯେତେବେଳେ ଦୈନନ୍ଦିନ ଜୀବନରେ ସାଇବର ଠକାମୀର ଶିକାର ହେଉଥିବା ଉପଲବ୍ଧି କରି ଓଡିଶା ସରକାର ସଚେତନତା ପାଇଁ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ କରିଛନ୍ତି l ଆମେ ସମସ୍ତେ ସଚେତନ ହେବା ଠକାମୀରୁ ବଞ୍ଚିବା ବୋଲି ପରାମର୍ଶ ଦେଇଥିଲେ l
ସମ୍ମାନିତ ଅତିଥି ଭାବେ ସମାଜସେବୀ ବସନ୍ତ କୁମାର ପଇବର୍ତ୍ତି, ପ୍ରେସ କ୍ଳବ ସଭାପତି ଶରତ କୁମାର ତ୍ରିପାଠୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାଏକ, ଷ୍ଟେଟ ବ୍ୟାଙ୍କ ପରିଚାଳକ ଅଶ୍ୱିନୀ ମୁର୍ମୁ ପ୍ରମୁଖ ଉପାଦେୟ ବକ୍ତବ୍ୟ ରଖିଥିଲେ l ମୁଖ୍ୟ ବକ୍ତା ଭାବେ ମୟୁରଭଞ୍ଜ ଅତିରିକ୍ତ ପୋଲିସ ଅଧିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସାଇବର ଅପରାଧର ବାସ୍ତବ ଦିଗ ଗୁଡିକ କିପରି ସମାଜରେ ଘଟୁଛି ତାର ଉଦାହରଣ ରଖି ଏଥିରୁ କିପରି ମୁକ୍ତି ପାଇବା ସେ ଦିଗରେ ଆଲୋକପାତ କରିଥିଲେ l ଶେଷରେ ସାଇବର ଡ଼ିଏସପି ଡୋଳାମଣି ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ଗୀତିକାର ପଦ୍ମଲୋଚନ ନନ୍ଦ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ l ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଳରାମ ସ୍ୱାଇଁ ଏବଂ ତାଙ୍କର ଟିମ ତଥା ଛାତ୍ରୀ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିଥିଲେ l ଛାତ୍ରୀ ମାନଙ୍କ ଦ୍ୱାରା ସାଇବର ସଚେତନତା ବାର୍ତ୍ତା ସମ୍ବଳିତ ରଙ୍ଗୋଲି ପ୍ରସ୍ତୁତି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିପାରିଥିବା ଦେଖିବାଳୁ ମିଳିଥିଲା l