ଵ୍ରହ୍ମପୁର, ୯/୯ – ଶନିବାର ୧୨ ଦଫା ଦାବି ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ନର୍ସିଂ ଅଫିସରମାନେ କଳା ବ୍ୟାଜ ପରିଧାନ କରିଛନ୍ତି। ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ମୂଳ ଦରମାକୁ ତୁଳନା କରି ଓଡ଼ିଶାରେ ନର୍ସିଂ ଅଫିସରଙ୍କ ଦରମାରେ ଥିବା ଅସଙ୍ଗତିକୁ ଦୂର କରିବା,ନର୍ସିଂ ଅଫିସରଙ୍କ ମୂଳ ସ୍ତରର ଦରମାକୁ ସଂଶୋଧନ କରାଯିବା, ୨୦୧୩ ମସିହା ନଭେମ୍ବର ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରମାନଙ୍କ ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି, ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ମୂଳ ପୋଷ୍ଟର ଅପ-ଗ୍ରେଡେସନ୍ କରି ପଦୋନ୍ନତି କରିବା ଏବଂ ୬ରୁ ୩୦ ବର୍ଷ ଚାକିରୀ କରି କୌଣସି ପଦୋନ୍ନତି ପାଇ ନଥିବା ସମସ୍ତ ଯୋଗ୍ୟ ନର୍ସିଂ ଅଫିସରଙ୍କୁ ତୁରନ୍ତ ପଦୋନ୍ନତି ପ୍ରଦାନ କରିବା ଆଦି ୧୨ ଦଫା ଦାବି ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ନର୍ସିଂ ଅଫିସରମାନେ କଳା ବ୍ୟାଜ ପରିଧାନ କରିଛନ୍ତି। କଳା ବ୍ୟାଜ ପରିଧାନ କରି ସବୁ ଦିନ ଭଳି ସେମାନଙ୍କ କାର୍ଯ୍ୟ କରିବା ସହ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏଭଳି କଳା ବ୍ୟାଜ ପରିଧାନ କରି କାର୍ଯ୍ୟ କରିବେ ଏବଂ ଦାବି ପୂରଣ ନ ହେଲେ ରାଜ୍ୟ ନର୍ସିଂ କର୍ମଚାରୀ ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱର ପିଏମଜି ଛକରେ ଶାନ୍ତିପୂର୍ଣ୍ଣ ଭାବେ ଗଣ ବିକ୍ଷୋଭ କରାଯିବ ବୋଲି କହିଛନ୍ତି ସଂଘର ସଭାନେତ୍ରୀ କନକଲତା ଦାଶ ଏବଂ ସଂପାଦିକା ସୁପ୍ରଭା ବେହୁରା କହିଛନ୍ତି। ମେଡିକାଲ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସିଂ ଅଫିସର ସଂଘର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ନିଜର ସମସ୍ୟାକୁ ବଖାଣିବା ସହ ସରକାରୀ ଉଦାସୀନତାର ପ୍ରତିବାଦ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନର୍ସିଂସଂଘର ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ , ଵ୍ରହ୍ମପୁର ନର୍ସିଂ ଅଫିସର ସଂଘର ଯୁଗ୍ମ ସମ୍ପାଦକ ସୁୁଜିତ୍ ସିଂ,ମହେନ୍ଦ୍ର ଗମାଙ୍ଗ,କୋଷାଧ୍ୟକ୍ଷ ଅପର୍ଣ୍ଣା ଖୁଣ୍ଟିଆ, କାର୍ଯ୍ୟନିର୍ବାହୀ ସଦସ୍ୟ ସଞ୍ଜିତା ପାଢୀ,ବଳରାମ ପାରିଗା, ଅନୁଭବ ଦାଶ ପ୍ରମୁଖଙ୍କ ସମେତ ବହୁ ନର୍ସିଂ ଅଫିସର ସାମିଲ ହୋଇଥିଲେ।