ବ୍ରହ୍ମପୁର,୯ା୯-ଜିଲାରେ ଏବେ ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ବେକାର ଯୁବକ ଯୁବତୀଙ୍କ ସାଇବର ଠକ ମାନେ ତାଙ୍କ ଅଦୃଶ୍ୟ ଜାଲରେ ପକାଉଛନ୍ତି।ଜଣେ ଯୁବକଙ୍କ ମୋବାଇଲକୁ ଏକ ମେସେଜ ଆସିଲା। ଘରେ ବସି ଟଙ୍କା ରୋଜଗାର କରିହେବ ବୋଲି ଏଥିରେ ଉଲ୍ଲେଖ ରହିଲା। ଏହାସହ ଯୁବକଙ୍କ ମୋବାଇଲକୁ କଲ ମଧ୍ୟ ଆସିଲା। ଏକ କମ୍ପାନୀର ମାନବ ସମ୍ବଳ ବିଭାଗର ଅଧିକାରୀର ପରିଚୟ ଦେଲେ ଜଣେ ଯୁବତୀ। ଏକ କମ୍ପାନୀର ୱେବ ସାଇଟ୍କୁ ସବସ୍କ୍ରାଇବ କଲେ ଟଙ୍କା ମିଳିବ। ଗୋଟିଏ ସବସ୍କ୍ରିପସନକୁ ୫୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ମିଳିଲା। ଫଳରେ ଯୁବକ ଜଣକ ସେହିପରି କଲେ। ଏହାପରେ ଟଙ୍କା ବିନିଯୋଗ କଲେ ଅଧିକ ଅର୍ଥ ମିଳିବ ବୋଲି ଲୋଭ ଦେଖାଇଲେ। ଥରେ ଦୁଇଥର ଅଧିକ ଅର୍ଥ ଦେଇ ଲୋଭ ଦେଖାଇଲେ। ଏହିପରି ଆଳରେ ସାଇବର ଠକମାନେ ତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁର ଦେବାଶିଷ ପଟ୍ଟନାୟକ(୨୮)। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ପ୍ରଥମେ ସେ ଏକ ସାଇଟ୍କୁ ସବସ୍କ୍ରାଇବ କରିବା ପରେ ତାଙ୍କ ଆକାଉଣ୍ଟକୁ ୧୫୦ ଟଙ୍କା ଆସିଲା। ଏହାପରେ ୩୨୦ ଟଙ୍କା ଆସିଲା। ଏହାପରେ ସେମାନେ ଏକ ଆକାଉଣ୍ଟକୁ ଏକ ହଜାର ଟଙ୍କା ପଠାଇବାକୁ କହିଲେ। ସେ ଏପରି କରିବା ପରେ ତାଙ୍କ ଆକାଉଣ୍ଟକୁ ୧୩୯୦ ଟଙ୍କା ଆସିଲା। ଏହାପରେ ଏକ ଟେଲିଗ୍ରାମ ଗ୍ରୁପରେ ତାଙ୍କ ନମ୍ବରକୁ ଯୋଡି ଦିଆଗଲା। ଏହାସହ ଅଧିକରୁ ଅଧିକ ଟଙ୍କା ଲଗାଇବା ପାଇଁ ତାଙ୍କୁ କୁହାଗଲା। ସେ ୭ ହଜାର ୨୦୦ ଟଙ୍କା ପୈଠ କଲେ। ତାଙ୍କ ଆକାଉଣ୍ଟକୁ ୯୩୮୩ ଟଙ୍କା ଆସିଲା। ଏହାପରେ ଅଧିକ ଟଙ୍କା ଲଗାଇବା ପାଇଁ ତାଙ୍କୁ କୁହାଗଲା। ତାଙ୍କର ସନ୍ଦେହ ହେବାରୁ ସେ ଉକ୍ତ ହ୍ବାଟ୍ସ ଆପ ଗ୍ରୁପର ଜଣେ ସଦସ୍ୟଙ୍କ ସହ କଥା ହେଲେ। ସଂପୃକ୍ତ ସଦସ୍ୟ ଜଣକ ତାଙ୍କୁ ଏକ ସ୍କ୍ରିନ୍ ସର୍ଟ ପଠାଇଲେ। ଯେଉଁ ସ୍କ୍ରିନ୍ ସର୍ଟରେ ଉଲ୍ଲେଖ ରହିଥିଲା ଦୁଇଟି ଦଫାରେ ୧୨ ଲକ୍ଷ ୬୪ ହଜାର ୪୮୦ ଟଙ୍କା ସଂପୃକ୍ତ ସଦସ୍ୟଙ୍କ ଆକାଉଣ୍ଟକୁ ଆସିଛି। ତେଣୁ ଦେବାଶିଷଙ୍କ ବିଶ୍ବାସ ସୃଷ୍ଟି ହେଲା ଯେ ସେ ମଧ୍ୟ ଅଧିକ ଟଙ୍କା ଲଗାଇଲେ ଅଧିକ ଟଙ୍କା ଫେରି ପାଇବେ। ଏହି ଭରସାରେ ସେ ୩୯ଟି ଟ୍ରାନ୍ଜେକସନରେ ୨୦ ଲକ୍ଷ ଟଙ୍କା ପୈଠ କଲେ। ହେଲେ ତାଙ୍କ ଆକାଉଣ୍ଟକୁ ଆଉ ଟଙ୍କା ଫେରିଲା ନାହିଁ। ଏହାପରେ ତାଙ୍କ ମୋବାଇଲ ନମ୍ବରକୁ ଉକ୍ତ ଟେଲିଗ୍ରାମ ଗ୍ରୁପରୁ ହଟାଇ ଦିଆଗଲା। ଯେଉଁ ବ୍ୟକ୍ତିମାନେ ତାଙ୍କ ସହ ଚାଟ କରୁଥିଲେ ସେମାନେ ଦେବାଶିଷଙ୍କ ନମ୍ବରକୁ ବ୍ଲକ କରିଦେଲେ। ଏହାପରେ ଦେବାଶିଷ ହୃଦୟଙ୍ଗମ କଲେ ଯେ ସେ ସାଇବର ଠକଙ୍କ ଶିକାର ହୋଇ ୨୦ ଲକ୍ଷ ଟଙ୍କା ହରାଇଛନ୍ତି। ଏହାପରେ ସେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ନଂ. ୨୩/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
