Odisha news

ସାଇବର ଅପରାଧୀ ବରିଷ୍ଠ ନାଗରିକଙ୍କ ୨.୦୫ଲକ୍ଷ ନେଇଗଲେ

0

ବ୍ରହ୍ମପୁର, ୧୯।୭-  ସାଇବର ଅପରାଧୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଦୃଶ୍ୟ ଅପରାଧୀଙ୍କ ଜାଲରେ ଏବେ ସବୁ ବର୍ଗର ଯୁବକ, ଯୁବତୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ,ଅଧ୍ୟାପକ, ବ୍ୟବସାୟୀ ପଢିଛନ୍ତି। ଏହିଧାରାରେ ବିଦେଶୀ ବନ୍ଧୁ ପଠାଇଥିବା ଉପହାର ପହଞ୍ଚାଇବା ବାହାନାରେ ଜଣେ ବରିଷ୍ଠ ନାଗରିକ ଙ୍କୁ ଟାର୍ଗେଟ କରି ସାଇବର ଅପରାଧୀ ମାନେ ତାଙ୍କ ଠାରୁ ଦୁଇ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଛନ୍ତି।ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠନଗର ଅଂଚଳର ଅରୁଣ କୁମାର ଖାଡ଼ଙ୍ଗା (୬୨) ନାମକ ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୋସିଆଲ୍ ମିଡିଆରେ ଜଣେ ବିଦେଶୀଙ୍କ ସହ ବନ୍ଧୁତା ସ୍ଥାପନ ପରେ ସେ କିଛି ଉପହାର କୋରିୟର୍ ମାଧ୍ୟମରେ ପଠାଇଥିବା, ଏବଂ ସେହି ଉପହାରକୁ ଘରେ ପହଁଚାଇବା ପାଇଁ ବିଭିନ୍ନ ବାହାନା କରି ଜଣେ ଦୁର୍ବୃତ୍ତ ୨ଲକ୍ଷ ୫ହଜାର ଟଙ୍କା ଠକି ନେଇଥିବା ସମ୍ପର୍କରେ ଅରୁଣ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏସଂକ୍ରାନ୍ତରେ ୧୯/୨୩ଏକ ମାମଲା  ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ, , ‌ସୋସିଆଲ୍ ମିଡିଆରେ ୟୁନାଇଟେଡ଼ କିଙ୍ଗଦମ (ୟୁକେ) ର ହ୍ୟାରି ପଲ୍ ନାମକ ଜଣେ ବ୍ୟକ୍ତିଙ୍କ ସହ ଅରୁଣଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା। ୫-୬ମାସ ମଧ୍ୟରେ ସେମାନେ ପରସ୍ପର ମଧ୍ୟରେ ଚାଟିଂ କରିବାରେ ପରେ ସେମାନଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହୋଇଥିଲା। ଏହାପରେ ସେହି ବିଦେଶୀ ବନ୍ଧୁ ଜୋତା, ଆଇଫୋନ୍, ଗହଣା ଆଦି ଉପହାର ନ୍ୟାସନାଲ୍ ଟ୍ରଷ୍ଟ କୋରିୟର ସର୍ଭିସ ମାଧ୍ୟମରେ ପଠାଇଥିଲେ। ଏହାପରେ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍‌ ଆସିଲା। ପ୍ରଥମେ ୨୦ହଜାର ଟଙ୍କା ଦେଲେ ସେହି ଉପହାର ଏୟାରପୋର୍ଟରୁ ରିଲିଜ୍ ହେବ ବୋଲି କହିବାରୁ, ଅରୁଣ ଫୋନ୍‌ ପେ ମାଧ୍ୟମରେ ତାହା ପଠାଇଥିଲେ। ପୁଣି ସେହି ଅଜଣା ବ୍ୟକ୍ତି ଫୋନ୍‌ କରି ଉପାହାର ପ୍ୟାକେଟରେ ୩୫ହଜାର ପାଉଣ୍ଡ ବିଦେଶୀ ମୁଦ୍ରା ଥିବାରୁ କଷ୍ଟମ୍‌ ବିଭାଗକୁ ୭୫ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କହିଥିଲା। ସେହିକଥାକୁ ବିଶ୍ବାସ କରି ପୁଣି ଅରୁଣ ‌ଟଙ୍କା ତାଙ୍କୁ ପ୍ରେରଣ କରିଥିଲେ। ପୁଣିଥରେ ଫୋନ୍‌ କରି ସେହି ପାଉଣ୍ଡକୁ ଟଙ୍କାରେ ରୂପାନ୍ତର କରିବା ପାଇଁ ଏୟାର୍‌ପୋର୍ଟ ଅଧିକାରୀ ୧ଲକ୍ଷ୧୦ହଜାର ଟଙ୍କା ମାଗୁଥିବା କହିବାରୁ ତାହା ମଧ୍ୟ ସେ ଉକ୍ତ ଟଙ୍କାଦେଇଥିଲେ। ଏହାପରେ ପୁଣି ଆଇଟି କ୍ଲିୟରାନ୍ସ ପାଇଁ ୨ଲକ୍ଷ ୬୦ହଜାର ଟଙ୍କା ପଠାଇବା ପାଇଁ ତାଙ୍କ ହ୍ବାଟ୍ସଆପ୍ ନମ୍ବରକୁ ଏକ ମ୍ୟାସେଜ୍ ଆସିଥିଲା। ସେତିକିବେଳେ ଅରୁଣ ଠକାମୀର ଶିକାର ହୋଇଥିବା ଅନୁଭବ କରି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ବାରସ୍ଥ ହୋଇ ଟଙ୍କା ଫେରି ପାଇବା ପାଇଁ ଅନୁରୋଧ କରିଛନ୍ତି।

Nalco
Leave A Reply