ବ୍ରହ୍ମପୁର, ୨୦/୬ ମହାରାଜା କୃଷ୍ଣଚନ୍ଦ୍ର ଗଜପତି( ଏମ୍କେସିଜି )ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିସନ୍(ଏନ୍ଏଚ୍ଆର୍ସି)ରେ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ପିଟିସନ୍ ରୁଜୁ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ଘଟଣା ବର୍ତ୍ତମାନ ସୁଦ୍ଧା ରହସ୍ୟ ଘେରରେ ରହିଥିବାରୁ ଏସ୍ଆଇଟି ଦ୍ବାରା ତଦନ୍ତ କରିବାକୁ ସେ ଏନ୍ଏଚ୍ଆର୍ସି ନିକଟରେ ଅନୁରୋଧ କରିଛନ୍ତି। ପୁରୁଷୋତ୍ତମପୁ ରଥସାହିର ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଝିଅ ଡା. ସୁଭାନି ପଟ୍ଟନାୟକ ଚର୍ମ ରୋଗ ବିଭାଗ ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସେ କଲେଜର ମହିଳା ହଷ୍ଟେଲ(ସିନିଅର୍ ରେସିଡେନ୍ସ)ରେ ରହୁଥିଲେ। ଗତ ୧୫ ତାରିଖ ତାଙ୍କୁ ହଷ୍ଟେଲ୍ ରୁମ୍ରୁ ଉଦ୍ଧାର କରି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମାଇଗ୍ରେନ୍ ସମସ୍ୟା ରହିଥିଲା। ଏଣୁ ସେ ମାତ୍ରାଧିକ ଔଷଧ ଖାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିଲା। ବୈଦ୍ୟନାଥପୁର ଥାନା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଅନ୍ୟପଟେ ମୃତଦେହ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଅନୁସାରେ ଶୋଇଥିବା ଅବସ୍ଥାରେ ଡା. ସୁଭାନିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରିବା ପାଇଁ ଭିସେରା ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରାଯାଇଛି। ତାହା ଭୁବନେଶ୍ବର ସ୍ଥିତ ଏସ୍ଏଫ୍ଏସ୍ଏଲ୍କୁ ପଠାଇ ଦିଆଯାଇଛି ବୋଲି ଏଫଏମଟି ବିଭାଗର ମୁଖ୍ୟ ଡା. ସୁଦୀପା ଦାସ ସୂଚନା ଦେଇଛନ୍ତି।