ବ୍ରହ୍ମପୁର, ୧।୩- ବୈଦ୍ୟନାଥପୁର ଥାନା ଅର୍ନ୍ତଗତ ସୂର୍ଯ୍ୟନଗର ୨ୟଗଳିରେ ଗତକାଲି ରାତିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୃତ ମହିଳାଜଣଙ୍କ ଚିତ୍ତରଂଜନ ସାହୁଙ୍କ ପତ୍ନୀ ଲଳିତା କୁମାରୀ ସାହୁ (୨୬)। ଖବର ପାଇ ପୁଲିସ ସେଠାରେ ପହଁଚି ଶବ ଜବତ କରିଥିଲା। କିନ୍ତୁ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ନେଇ ମୃତକଙ୍କ ଭାଇ ଦିଲୀପ ସାହୁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତି କରି ୧୦୭/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପଟେ ଚିତ୍ତରଞ୍ଜନଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ୨୦୧୫ ମସିହାରେ ଗୋପାଳପୁର ବଡ ସାହିର ସ୍ବର୍ଗତ ତ୍ରିନାଥ ସାହୁଙ୍କ ଝିଅ ଲଳିତାଙ୍କୁ ଚିତ୍ତରଂଜନଙ୍କ ବିବାହ କରିଥିଲେ। ତାଙ୍କର ୫ ବର୍ଷର ଝିଅଟିଏ ମଧ୍ୟ ଅଛି। କିନ୍ତୁ ଝିଅ ଜନ୍ମ ହେବାପରେ ଶାଶୂଘର ଲୋକେ ଲଳିତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ଗତକାଲି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ଲଳିତାଙ୍କ ଭାଇ ଦିଲୀପ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଆଜି ସକାଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଶବ ପଂଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ବଡ଼ଡାକ୍ତରଖାନାକୁ ପଠାଯାଇଥିଲା।