ବ୍ରହ୍ମପୁର ୧୦।୨ – ସହରରେ ଏବେ ଲୁଟିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଲୁଟିଆ ଗ୍ୟାଙ୍ଗ ଦୁଇଟି ଥାନା ଅଞ୍ଚଳରୁ ଚୋରି କରିଛନ୍ତି। ଗୋଟିଏ ବୈଦ୍ୟନାଥପୁର ଥାନା ଗଣେଶନଗରରେ ହୋଇଥିବା ବେଳେ ଅନ୍ୟଟି ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରେ ଚୋରି କରିଛନ୍ତି। ଗଣେଶନଗରରେ ଏକ ନିର୍ମାଣାଧୀନ ଘରୁ ଦୁଇଗୋଟି ପାଣି ମୋଟର ପମ୍ପ, ୪୦ଟି ସୁଇଚ୍ ବୋର୍ଡ଼, ୨୦ଟି ବିଦ୍ୟୁତ୍ ତାର, ଗୋଟିଏ ଡ୍ରିଲ୍ ମେସନ୍ ଏଭଳି ପ୍ରାୟ ୪୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଛି।
ଏନେଇ ଲାଂଜିପଲ୍ଲୀ ଗୌଡ଼ ସାହିର ଚିନ୍ତାମଣି ଭୂୟାଁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ନିର୍ମାଣାଧୀନ ଘରଟି ତାଙ୍କ ଶଢ଼ୁଙ୍କ ହୋଇଥିବା ବେଳେ ସେ ଏହାର ତଦାରଖ ଦାୟିତ୍ବ ନେଇଥିଲେ। ସେ ଗତ ୮ତାରିଖ ସକାଳେ ଉକ୍ତ ନିର୍ମାଣଧୀନ ଘରୁ ଚୋରି ହୋଇଥିବା ଦେଖିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୭୭/୨୩ ରେ ଏକ ମାମଲା ରୁଜ କରି ଘଟଣାର ତଦନ୍ତ କରୁଛି।
ସେହିପରି ଗୋଷଣୀ ନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାରରେ ରହୁଥିବା ପୋଲିସ ମାନଙ୍କ ପାଇଁ ରହିଥିବା ଗୃହ ନିର୍ମାଣ ବୋର୍ଡ଼ର ଜଣେ କନିଷ୍ଠ ଯନ୍ତ୍ରୀ ଗତ ୫-୭ତାରିଖ ପର୍ଯ୍ୟନ୍ତ ଘରେ ତାଲା ପକାଇ ଆସ୍କାରେ ଚାଲିଥିବା କାମ ତଦାରଖ କରିବାକୁ ଯାଇଥିଲେ। ସେଠାରୁ ଗତ ୮ତାରିଖ ସେ ଘରକୁ ଫେରିଲା ପରେ ଘରର ସାମ୍ନାପଟ କବାଟର ତାଲା ଭଂଗା ହୋଇଥିବା ଦେଖିବାକୁ ପାଇଥିଲେ। ଭିତରେ ଥିବା ହିରୋହଣ୍ଡା ଗ୍ଲାମର୍(ଓଆର୍୦୫ ଏସ୍ ୪୦୧୫), ଓ ଆଲମାରୀରୁ ୧୦ହଜାର ଟଙ୍କା ଚୋରି ହୋଇଥିବା ସେ ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୩୬/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
