Odisha news

ବର୍ଷକରେ ୬. ୦୫ କୋଟି ଜରିମାନା ହେଲମେଟ ନପିନ୍ଧି ଗଣିଛନ୍ତି ୫କୋଟିରୁ ଉର୍ଦ୍ଧ ଟଙ୍କା

0

ଵ୍ରହ୍ମପୁର , ୭/୧– ଅମାନିଆଙ୍କୁ କୌଣସି ନିୟମ କାଟୁ କରୁନାହିଁ। ୨୦୨୨ ଜାନୁଆରୀ ମାସରୁ ଡିସେମ୍ବର ମାସ ଶେଷ ସୁଦ୍ଧା  ଵ୍ରହ୍ମପୁର ଟ୍ରାଫିକ ଥାନା ପକ୍ଷରୁ ମୋଟ ୬ କୋଟି ୫ ଲକ୍ଷ ୪୬ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହେଲମେଟ ନ ପିନ୍ଧିବା ଅଭିଯୋଗରେ ସହରବାସୀ ବର୍ଷକରେ ସର୍ବାଧିକ ୫ କୋଟି ୭୨ ଲକ୍ଷ ୫୫ହଜାର ୬ ଶହ ଟଙ୍କା ଜରିମାନା ଗଣିଛନ୍ତି। ସଡକ ସୁରକ୍ଷା ନିୟମ କଡାକଡି କରିବା ପାଇଁ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିଥିଲେ।  ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇଛି। ବିଶେଷ କରି ହେଲମେଟ୍‌ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି। ଅମାନିଆଙ୍କ ପାଇଁ ହେଲମେଟ ନ ପିନ୍ଧିଲେ ଏବେ ଆଉ ୫ଶହ ନୁହେଁ ସଂଶୋଧିତ ନିୟମ ଅନୁସାରେ ୧ହଜାର ଟଙ୍କା ଜରିମାନା ଆଦାୟ କରିବା ବ୍ୟବସ୍ଥା କରାଯାଇଛି।

ଏପରିକି ହେ‌ଲମେଟ୍‌ ନପିନ୍ଧିଲେ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ(ଡିଏଲ୍‌) ରଦ୍ଦ କରିବା ପାଇଁ ପୋଲିସ ଆଞ୍ଚଳିକ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କୁ ସୁପାରିସ୍‌ କରିବା ବୋଲି ନିୟମ କରାଯାଇଛି। ଏହି ଧାରାରେ ୨୦୨୨ ମସିହାରେ   ବ୍ରହ୍ମପୁରରେ ଟ୍ରାଫିକ ଥାନା ପକ୍ଷରୁ  ଜରିମାନା ବାବଦରେ ମାନୁଆଲ୍‌ ଏବଂ ଇ-ଚାଲାନ୍‌ ବାବଦରେ ୬ କୋଟି ୫ଲକ୍ଷ ୪୬ ହଜାର ଟଙ୍କା ଅମାନିଆ ଚାଳକଙ୍କ ଉପରେ ଧାର୍ଯ୍ୟ ହୋଇ ସାରିଲାଣି ବୋଲି ଟ୍ରାଫିକ୍‌ ଥାନାଧିକାରୀ ରାମ ସୁବ୍ରମନ୍ୟମ ପ୍ରଧାନ ସୂଚନା ଦେଇଛନ୍ତି। ଇତିମଧ୍ୟରେ ୬୩ ହାଜର ୨୯୪ ଗାଡି ଚାଳକଙ୍କୁ  ଏହି ଜରିମାନାଧାର୍ଯ୍ୟ କରାଯାଇଛି ।

ସେହିପରି ରାସ୍ତାରେ ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା , ଟ୍ରପିଲ ରାଇଡିଂ ପ୍ରଭୁତି ନିୟମ ପାଳନ କରୁନଥିବା ଚାଳକଙ୍କ ଠାରୁ ୩୨ ଲକ୍ଷ ୯୦ ହଜାର ୪ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ୨୦୮୦ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ପାଇଁ ଆରଟିଙ୍କୁ ସୁପାରିସ କରାଯାଇଛି ବୋଲି ଥାନାଧିକାରୀ ପ୍ରଧାନ  ସୂଚନା ଦେଇଛନ୍ତି ।ଏହି ଧରପଗଡ଼ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଣୁ ହେଲମେଟ୍‌ ପିନ୍ଧି, ଟ୍ରାଫିକ୍‌ ନିୟମ ପାଳନ କରିବା ସହ  ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ ବୋଲି ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି। ବ୍ରହ୍ମପୁର ସହରରେ ହେଲମେଟ୍‌ ଯାଞ୍ଚ ସହ ସହିତ ଟ୍ରିପଲ୍‌ ରାଇଡିଂ, ରଙ୍ଗ ପାର୍କିଂ  ଅଭିଯାନ ଜୋରଦାର କରାଯାଇଛି। ଏପରିକି ସିଟ୍‌ ବେଲ୍ଟ ନପିନ୍ଧିଲେ ଓ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଜରିମାନା ଆଦାୟ କରାଯାଇଥିଲା।  ‌ସହରର ବିଭିନ୍ନ ଛକରେ ଲାଗିଥିବା ଆଟିଏମ୍‌ଏସ୍‌ ବ୍ୟବସ୍ଥାର ସିସି କ୍ୟାମେରାରେ ଯେଉଁମାନେ ଧରା ପଡ଼ୁଥିଲେ ସେମାନଙ୍କ ମୋବାଇଲ୍‌କୁ ଇ-ଚାଲାନ୍‌ ପଠାଯାଉଥିଲା।

ଏବେ ଏହାକୁ ଆହୁରି କଡ଼ାକଡ଼ି ଭାବେ ପାଳନ କରାଯାଇଛି।  ଆଇଟିଏମ୍‌ସ ବ୍ୟବସ୍ଥା ସହିତ ପୋଲିସ ସହରର ବିଭିନ୍ନ ଛକରେ ଜଗି ରହି ହେଲମେଟ୍‌ ଯାଞ୍ଚ କରୁଛି।  କିଛି ଅମାନିଆ ଏବେ ବି ସୁଧୁରୁ ନାହାନ୍ତି। ଯେଉଁମାନେ କି ପୋଲିସ ହାତରେ ଧରାପଡ଼ି ଜରିମାନା ଗଣୁଛନ୍ତି। ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧ତାରିଖରୁ ବ୍ରହ୍ମପୁର ମହାନଗରରେ ଆଇଟିଏମ୍‌ଏସ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ବ୍ରହ୍ମପୁର ମହାନଗରରେ ୩ କୋଟି ୭୨ଲକ୍ଷ ଟଙ୍କା ବ୍ୟୟରେ କାନାଡ଼ା ବୈଷୟିକ ଜ୍ଞାନକୌଶଳକୁ ଅବଲମ୍ବନ କରି ସମନ୍ବିତ ଟ୍ରାଫିକ ପରିଚାଳନା ସିଷ୍ଟମ(ଆଇଟିଏମ୍‌ଏସ୍‌)କୁ କାର୍ଯ୍ୟକାରୀ କରାଯାଇଥିଲା। ଏହାଦ୍ବାରା ବିପର୍ଯ୍ୟସ୍ତ ଟ୍ରାଫିକରେ ସୁଧାର ଆଣିବା ସହ ସିସି କ୍ୟାମେରା ଜରିଆରେ ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଉଛି। ପ୍ରଥମ ପର୍ଯ୍ୟାୟରେ ଟାଟାବେଞ୍ଜ ଛକ, କମାପଲ୍ଲୀ, କୋର୍ଟପେଟା ଛକ, ପିଭିଏନ୍‌ ରାଓ ପେଟ୍ରୋଲ ପମ୍ପ ଛକ ଓ ଗେଟବଜାର ଛକରେ ଏହା କାର୍ଯ୍ୟକାରୀ କରାଯାଇଛି। ଏହା ସହିତ ସହରର ବିଭିନ୍ନ ସ୍ଥାନରେ ଅତିରିକ୍ତ ୧୦୦ଟି ସିସି କ୍ୟାମେରା ଖଞ୍ଜାଯାଇଛି ବୋଲି ସେ କହିଛନ୍ତି ।

Leave A Reply