Odisha news

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ

ଜୀବନବ୍ୟାପୀ ନିଷ୍ଠାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇବ

0
ବ୍ରହ୍ମପୁର ତା.୨।୧ : “ଜୀବନବ୍ୟାପୀ ନିଷ୍ଠାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷସ୍ଥାନରେ ପହଞ୍ଚାଇଥାଏ ।ଏଥି ପାଇଁ ଜୀବନରେ ବହୁ ବନ୍ଧୁରପଥ ଦେଇ ଗତି କରିବାକୁ ପଡ଼େ । ଜୀବନ ବିକାଶରେ ମୂଲ୍ୟବୋଧ ହିଁ ବଡ଼ ଉପାଦାନ । ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ଓ ଭାବପ୍ରବଣତାର ବିକାଶ ହେଉଛି ଯଥାର୍ଥରେ ଏହାର ଭିତ୍ତିଭୂମିର ବିକାଶ”। ଏହା ପ୍ରକାଶ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧ୍ଵକରଣର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ମ ଶ୍ରୀ ସୁବ୍ରତ୍ ବାଗ୍‌ଚୀ । ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବରେ ଯୋଗଦେଇ ସେ ଆହୁରି କହିଥିଲେ ଯେ “ ଏହି ବିଶ୍ବବିଦ୍ୟାଳୟର ଛାତ୍ରମାନେ ଖୁବ ଶୃଙ୍ଖଳିତ,ଧୈର୍ଯ୍ୟଶୀଳ, ଜ୍ଞାନପିପାସୁ ଏବଂ ଏହି ଶିକ୍ଷାନୁଷ୍ଠାନର ପରିସର ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ। ଧୈର୍ଯ୍ୟ, ସ୍ଵଚ୍ଛତା ଓ ନିର୍ମଳତା ସହିତ ଲକ୍ଷ୍ୟ ଓ ଏକାଗ୍ରତା ହିଁ ଛାତ୍ରମାନଙ୍କୁ ସଫଳତାର ପାହାଚ ପରେ ପାହାଚ ଚଢ଼ାଇଥାଏ । ଏସବୁ ସମ୍ଭବ ହୁଏ ଦୃଢ଼ ଇଚ୍ଛାଶକ୍ତି ବଳରେ ।ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କର କାର୍ଯ୍ୟପନ୍ଥା ବିଶ୍ବବିଦ୍ୟାଳୟକୁ ଆହୁରି ୧୦୦ ବର୍ଷ ଆଗକୁ ଆଗେଇ ନେଇପାରିବ” ବୋଲି ସେ ମତ ପ୍ରକାଶ କରିଥିଲେ ।ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ସ୍ମୃତିରେ ‘ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାର’ ପ୍ରଦାନ କରାଯାଇ ଥିଲା । ଏହି ପୁରସ୍କାର ସ୍ଵରୂପ ଶ୍ରୀ ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଉପଢୌକନ ଓ ମାନପତ୍ର ଦିଆଯାଇଥିଲା । ଶ୍ରୀ ମହାପାତ୍ର ତାଙ୍କର ବକ୍ତବ୍ୟରେ କହିଲେ ଯେ- କବି ହେବା ଅତ୍ୟନ୍ତ କଠିନ ବ୍ୟାପାର ।ସେଥିପାଇଁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ପରି କବିମାନଙ୍କର ଉଦାହରଣ ଦେଇ ତାଙ୍କର ଜୀବନ ବ୍ୟାପୀ ସାଧନାକୁ ସେ ସ୍ମରଣ କରିଥିଲେ। ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ, ବରଂ ଯୁବପିଢ଼ିଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଦେବ ବୋଲି ସେ ପ୍ରକାଶ
କରିଥିଲେ । ଏପରି ଏକ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଥିବାରୁ ସେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ସମଗ୍ର ଦକ୍ଷିଣ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବରେ ଓଡ଼ିଶା ର ଜନପ୍ରିୟ ଲୋକକବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନି
ଙ୍କୁ ‘ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସ୍ଵରୂପ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି,ମାନପତ୍ର ଓ ଉପଢୌକନ ଦିଆଯାଇଥିଲା । ପୁନଶ୍ଚ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଓ ଯଶସ୍ୱୀ ଛାତ୍ରୀ ତଥା ସଂପ୍ରତି କିଟ୍ ମାନିତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର୍ ସସ୍ମିତା ସାମନ୍ତ ଯୋଗ ଦେଇଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଖ୍ୟାତି କିପରି ଦେଶ ବିଦେଶକୁ ପରିବ୍ୟାପ୍ତ ହୋଇ ପାରିବ, ବହୁ ଉଦାହରଣ ଦେଇ ସେ ସେସବୁର ବ୍ୟାଖ୍ୟା କରିଥିଲେ । ତାଙ୍କୁ ‘ପ୍ରାକ୍ତନ ଛାତ୍ରୀ ସମ୍ମାନ’ରେ ସମ୍ମାନିତ କରାଯାଇଥିବାରୁ ବିଶ୍ବବିଦ୍ୟାଳୟ ନିକଟ ରେ ସେ ଋଣୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ଓ ସାମାଜିକ କର୍ମୀ
ପାରଳାଖେମୁଣ୍ଡିର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଶିଷ୍ଟ ନାଟ୍ୟକାର ଓନାଟ୍ୟନିର୍ଦ୍ଦେଶକ ପ୍ରଫେସର୍ ରମାରମଣ ପାଢ଼ୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।ପ୍ରାରମ୍ଭରେ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ । କୁଳପତି ପ୍ରଫେସର ଦାଶ ତାଙ୍କ ବକ୍ତବ୍ୟରେ ବିଶ୍ବବିଦ୍ୟାଳୟର କୃତି ଓ କୃତିତ୍ଵ ସଂପର୍କରେ
ସୂଚନା ଦେବା ସହିତ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସମ୍ବର୍ଦ୍ଧିତ ଅତିଥିମାନଙ୍କ ଉଦ୍ଦେଶ୍ୟରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଡ. ଶାରଦା ପ୍ରସାଦ ସାହୁ, ଡ. ସରିତା ଦାସ, ଡ.ସମୀର ଭୋଇ ଏବଂ ଶ୍ରୀ ଶକ୍ତିରଞ୍ଜନ ଦାଶ ମାନପତ୍ର ପାଠ କରିଥିଲେ । ବିଶ୍ଵବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଦାଶ ମୁଖ୍ୟ ଅତିଥୁ ଶ୍ରୀ ବାଗ୍‌ଚୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ଏହି ସମାରୋହରେ ବିଶ୍ବବିଦ୍ୟାଳୟର କୃତି ଛାତ୍ରଛାତ୍ରୀ, ଗବେଷକ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା । ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରଫେସର୍ ପ୍ରସନ୍ନ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ମୁଖ୍ୟ ଅତିଥୁ ଶ୍ରୀ ବାଗ୍‌ଚୀ ବିଶ୍ବବିଦ୍ୟାଳୟ ର ଛାତ୍ରମାନଙ୍କ ସହିତ ପ୍ରାୟ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱକାଳ ଧରି ଦେଶ ଓ ଜାତି ଗଠନରେ ସେମାନଙ୍କର ଯୋଗଦାନ ଓ ଛାତ୍ରମାନଙ୍କର ଦକ୍ଷତାର ସୁବିନିଯୋଗ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବହୁ ନିମନ୍ତ୍ରିତ ଅତିଥିଙ୍କ ସମେତ ବହୁ ପ୍ରାକ୍ତନ ଶିକ୍ଷକ, ବିଶ୍ଵବିଦ୍ୟାଳୟର ଶିକ୍ଷକ, କର୍ମଚାରୀ,ଗବେଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ବିଶ୍ଵବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନ ଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
Leave A Reply