ବ୍ରହ୍ମପୁର, ୧୪/୧୧ ବ୍ରହ୍ମପୁରରେ ସୋମବାର ସିବିଆଇ ଟିମ । ଗୋଶାଣିନୁଆଗାଁ ଥାନା ଅନ୍ତର୍ଗତ ହରେକୃଷ୍ଣନଗରରେ ରହୁଥିବା କେନ୍ଦ୍ର ସରକାରଙ୍କ ଫାର୍ମାସ୍ୟୁଟିକାଲ୍ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆ(ପିଏମ୍ବିଆଇ)ର ମାର୍କେଟିଂ ଅଫିସର୍ ସ୍ବରୂପ ପଣ୍ଡାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ପାଇଁ ଲାଇସେନ୍ସ ପ୍ରଦାନ କରିବା ନିମନ୍ତେ ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ତାଙ୍କୁ ଧରିଥିବା ସୂଚନା ମିଳିଛି। ସିବିଆଇ ଟିମ୍ ମାର୍କେଟିଂ ଅଫିସର୍ ସ୍ବରୂପଙ୍କୁ ଭୁବନେଶ୍ବର ନେଇଥିବା ଜଣାପଡ଼ିଛି।
କେନ୍ଦ୍ର ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଖୋଲା ଯାଉଛି। ଏହି କେନ୍ଦ୍ରରେ ଜେନେରିକ୍ ଔଷଧ ପ୍ରଦାନ କରାଯାଉଛି। ଜନ ଔଷଧୀ କେନ୍ଦ୍ର କରିବା ପାଇଁ କୁକୁଡ଼ାଖଣ୍ଡିର ନାଇଡୁ ଦିବାକର ଆବେଦନ କରିଥିଲେ। ଏଥିପାଇଁ ପିଏମ୍ବିଆଇର ମାର୍କେଟିଂ ଅଫିସର୍ ତାଙ୍କୁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଦିବାକର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ସେ ନେଇ ସବିଆଇ ଟିମ୍ ଅଭିଯୋଗର ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ଭୁବନେଶ୍ବର ୟୁନିଟ୍ର ଏକ ଟିମ୍ ବ୍ରହ୍ମପୁର ଆସିଥିଲା। ଅଧିକାରୀ ଏ.କେ ନନ୍ଦଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍ ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ହରିକୃଷ୍ଣନଗରରେ ରହୁଥିବା ମାର୍କେଟିଂ ଅଫିସର୍ ସ୍ବରୂପଙ୍କ ଘରେ ଚଢ଼ଉ କରିଥିଲା। ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ଟିମ୍ ତାଙ୍କୁ ଉଠାଇ ଭୁବନେଶ୍ବର ଅଭିମୁଖେ ନେଇଥିବା ସୂଚନା ମିଳିଛି। ଏ ନେଇ ସିବିଆଇ ଅଧିକ ତଦନ୍ତ ଜାରି ରଖିଛି।