ଵ୍ରହ୍ମପୁର , ୧୩/୧୦- ଅତିରିକ୍ତ ଜିଲା ଜଜ (ଏଲଆର) ଆଜି ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡାଦେଶ ର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କୁଟିଗୁଡ଼ା ଗ୍ରାମର ରଞ୍ଜନ କହଁର (୩୦)। ଜଜ ଅଭିଯୁକ୍ତଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୨୫ହଜାର ଟଙ୍କା ଜରିମାନା ଦେବାକୁ ସେ ନିର୍ଦେଶ ମଧ୍ୟ ଦେଇଛନ୍ତି। ଜରିମାନା ଅନଦେୟ ଅତିରିକ୍ତ ୬ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦେଶ ରହିଛି। ଘଟଣାରୁ ପ୍ରକାଶ ଯେ, ଵ୍ରହ୍ମପୁର ରେଳଷ୍ଟେସନକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୋଇନ୍ଦା ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ ଖବର ପାଇଥିଲେ। ଏନେଇ ସେ ଓ ତାଙ୍କ ଟିମ ଗତ ଏପ୍ରିଲ ୨୪ ତାରିଖ ସକାଳ ସାଢେ ୯ଟା ସମୟରେ ଷ୍ଟେସନ ରୋଡରେ ଚେକିଂ କରୁଥିଲେ । ଜଣେ ଯୁବକ ସନ୍ଧେଜନକ ଭାବରେ ଷ୍ଟେସନ ପଟକୁ ଯାଉଥିବା ବେଳେ ଅବକାରୀ ପୋଲିସ ତାଙ୍କୁ ଅଟକିଥିଲା। ତାଙ୍କ ବ୍ୟାଗ ଯାଞ୍ଚ ବେଳେ ସେଥିରେ ଗଂଜେଇ ଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ବେଳେ ଉକ୍ତ ବ୍ୟାଗରେ ୧୦କେଜି ଗଞ୍ଜେଇ ଥିବା ଜଣାପଢିଥିଲା। ସେଠାରୁ ଅବକାରୀ ଟିମ ସମ୍ପୃକ୍ତ ଯୁବକ ଓ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରି ଥାନାକୁ ଆଣିଥିଲା। ଜେରା ବେଳେ ଯୁବକ ଜଣଙ୍କ ରଞ୍ଜନ କହଁର ହୋଇଥିବା ବେଳେ ସେ ଉକ୍ତ ଗଞ୍ଜେଇ କନ୍ଧମାଳ ରୁ ଆଣି ଵ୍ରହ୍ମପୁର ରେଳଷ୍ଟେସନ ଅଣୁଥିଲା ବୋଲି ଜଣାପଡିଥିଲା। ମାମଲା ନମ୍ବର୪୮/୨୨-୨୩ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପରେ ରଞ୍ଜନଙ୍କୁ ଜାମିନ ମିଳିଥିଲା। ଗୁରୁବାର ଏହି ମାମଲାର ଶୁଣାଣି ବେଳେ ରଂଜନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ୩ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଜଜ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର ଏପିପି ବିକ୍ରମ କୁମାର କୁଣ୍ଡା ଓ ରଜତ କୁମାର ଦାସ ମକଦ୍ଦମା ପରିଚାଳନା କରିଥିଲେ।
