ଭୁବନେଶ୍ୱର, ତା.୧୩/୦୨: ଆଜି ମହାମହିମ ରାଜ୍ୟପାଳଙ୍କ ଅଭିଭାଷଣରେ ଗରୀବ, ଯୁବାକ, କୃଷକ ଏବଂ ମହିଳାଙ୍କୁ ବିକାଶର ଧାରାରେ ସାମିଲ କରିବାର ଆମ ସରକାରର ଅଭିମୁଖ୍ୟ ସ୍ପଷ୍ଟ ହୋଇଛି । ଜନସାଧାରଣଙ୍କ ନିକଟରେ ଅତ୍ୟାବଶ୍ୟକ ସରକାରୀ ସେବା ପହଂଚାଇବା, ନିଯୁକ୍ତି ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ଏଥି ସକାଶେ ଆବଶ୍ୟକୀୟ ଭିତିଭୁମି ନିର୍ମାଣର ପ୍ରାଥମିକତାକୁ ନେଇ ଡବଲ ଇଂଜିନ ସରକାରର ପ୍ରଚେଷ୍ଟାକୁ ଏଥିରେ ପ୍ରାଥମିକତା ଦିଆଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ପାନୀୟ ଜଳ, ବିଜୁଳି, ଜଳସେଚନ ଭଳି ଦୀର୍ଘ ୨୪ ବର୍ଷର ଅବହେଳିତ କ୍ଷେତ୍ରଗୁଡିକର ପୁନଃସର୍ଜନା ନିମନ୍ତେ ବିଶେଷ ଧ୍ୟାନ ଦିଆଯାଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସଂପନ୍ନ ଅମୃତ କାଳର ସର୍ବୋତମ ଉପଯୋଗ ନିମନ୍ତେ ଓଡିଶାର ପ୍ରସ୍ତୁତି ରାଜ୍ୟପାଳଙ୍କ ଭାଷଣରେ ସ୍ୱର ପାଇଛି । ରାଜ୍ୟ ସ୍ୱତନ୍ତ୍ର ପ୍ରଦେଶ ହେବାର ଶତବାର୍ଷିକି ଅର୍ଥାତ ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତିରେ ପରିଣତ କରି ବିକଶିତ ଭାରତକୁ ୧.୫ ଟ୍ରିଲିୟନ ଡଲାରର ଯୋଗଦାନ ପାଇଁ ଓଡିଆ ଜାତିର ସଂକଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି । ଓଡିଶାରେ ଶିଳ୍ପାୟନ ଏବଂ ନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି ପାଇଁ ନିକଟରେ ଆୟୋଜିତ ଉତ୍କର୍ଷ ଓଡିଶା ସମ୍ମିଳନୀରେ ୧୭ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ପାଇଁ ପ୍ରତିଶୃତି ହାସଲ କରିବା ରାଜ୍ୟ ସରକାରଙ୍କ ଯୁବସମାଜ ଓ ଭିତିଭୁମି ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ବିକଶିତ ଓଡିଶାର ନକ୍ସାରେ ଜନସାଧାରଣଙ୍କ ସହଭାଗିତା ସକାଶେ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ଜନସାଧାରଣଙ୍କଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରସ୍ତାବ ଆସିବା ଲୋକତାନ୍ତ୍ରୀକ ପ୍ରକ୍ରିୟା ପ୍ରତି ବିଜେପି ସରକାରଙ୍କ ଆଭିମୁଖ୍ୟ ମହାମହିମ ରାଜ୍ୟପାଳଙ୍କ ଭାଷଣରେ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସଭାପତି ସାମଲ କହିଛନ୍ତି ।
Next Post