ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନକୁ ସୁନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (Suvendra Pattanaik) : ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ପ୍ରଦାନ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ୟ୍ୟକାରିତା ସୁନିଶ୍ଟିତ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଏହ ମର୍ମରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବ, ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳ ମାନଙ୍କୁ ଏକ ନିର୍ଦ୍ଦେଶମାନାରେ ସବିସ୍ତୃତ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ଅତ୍ୟାବଶ୍ୟକ ସେବାଗୁଡ଼ିକ କିପରି ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଠିକ୍ ଭାବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଉପଲବ୍ଧ ହେବ, ସେଥିପାଇଁ ପତ୍ରରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଛି । ଓଡ଼ିଶା ସରକାର ଜନସାଧାରଣଙ୍କ ନିକଟରେ ସାର୍ବଜନୀନ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ଭାବେ ପ୍ରତିବଦ୍ଧତାର ସହ କାର୍ୟ୍ୟ କରୁଛନ୍ତି।ଏହି ଆଇନ ଅନୁଯାୟୀ ଏ ପର୍ୟ୍ୟନ୍ତ ୩୨ଟି ବିଭାଗର ୪୨୮ଟି ସାଧାରଣ ସେବାକୁ ସୂଚିତ କରାଯାଇଛି।ଏହି ଆଇନର କାର୍ୟ୍ୟାନ୍ୱୟନ ପାଇଁ ପ୍ରତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍ଅଧିକାରୀ ଭାବରେ ନିୟୋଜିତ କରାଯାଇଛି ।
ସଚିବ ମାନେ ନିଜ ନିଜ ବିଭାଗରେଏହି ଆଇନ୍ ଅଧିନରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ସୁନିଶ୍ଚିତ କରିବା ସହିତ କ୍ଷେତ୍ର ପରିଦର୍ଶନ ସମୟରେ ସେମାନେ ବିଭିନ୍ନ ଜିଲ୍ଲା ଗସ୍ତ ବେଳେ ଏହି ଆଇନ ଅଧିନସ୍ଥ ସେବା ଗୁଡ଼ିକ ବିଜ୍ଞପ୍ତି ଅନୁଯାୟୀ ସମୟସୀମା ମଧ୍ୟରେ ନାଗରିକ ମାନଙ୍କୁ ପ୍ରଦାନ କରାଯାଇଛି କି ନାହିଁ ତାହା ଯାଞ୍ଚ କରିବା ଏବଂ ସଫଳତାର ପ୍ରତିଶତ ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଜିଲ୍ଲାପାଳମାନେ ମଧ୍ୟ ନିଜ ନିଜ ଜିଲ୍ଲାରେ ପ୍ରତି ମାସରେ ଜିଲ୍ଲାରେ ସାର୍ବଜନୀନ ସେବା ପ୍ରଦାନ ସମ୍ପର୍କରେ ଜିଲ୍ଲାର ସଫଳତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଆଇନରେ ଜନସାଧାରଣ ସେମାନଙ୍କର ଉଦ୍ଦିଷ୍ଟ ସେବା ନ ପାଇପାରିଲେ ବା ବିଳମ୍ବିତ ହେଲେ, ପ୍ରଥମ ପଦକ୍ଷେପରେ ସେମାନେ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରିପାରିବେ । ଯଦି ସୁଫଳ ନମିଳେ, ତେବେ ରିଭିଜନାଲ କର୍ତ୍ତୃପକ୍ଷଙ୍କ ନିକଟରେ ନ୍ୟାୟ ପାଇଁ ପୁନଶ୍ଚ ଆବେଦନ କରିବାର ବ୍ୟବସ୍ଥା ରହିଛି । ଓଡ଼ିଶା ଲୋକ ସେବା ଅଧିକାର ଅଧିନିୟମର ସଫଳ କାର୍ୟ୍ୟକାରିତା ପାଇଁ ଉତ୍ତମ ମନୋଭାବ ପ୍ରଦର୍ଶନ ପୂର୍ବକ ଉପରୋକ୍ତ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।