ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ
ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିବା ଫଳରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗତ ଛଅ ମାସ ଧରି ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଓଡ଼ିଶାର ୬ ଜଣ ଶ୍ରମିକଙ୍କୁ ମୁକ୍ତ କରାଯାଇପାରିଛି। ୨୦ ଫେବୃଆରୀ, ୨୦୨୬ରେ ଏନଏଚଆରସି ମନ୍ତ୍ରଣାଳୟକୁ ଚିଠି ପଠାଇବାର ପରଦିନ ଚାରି ଜଣ ଶ୍ରମିକଙ୍କୁ ଭାରତ ଫେରାଇ ଅଣାଯାଇଥିଲା। ସେମାନେ ନିଜ ନିଯୁକ୍ତିଦାତାଙ୍କ ଦ୍ୱାରା ବୁକ୍ କରାଯାଇଥିବା ଏକ ବିମାନରେ ବ୍ୟାଂକକରୁ କୋଲକାତାରେ ପହଞ୍ଚିଥିଲେ।
ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ପ୍ରଭାଗ ସୂଚନା ଦେଇଛି ଯେ ସେମାନେ ଅବଶିଷ୍ଟ ଦୁଇ ଉଦ୍ଧାର ଶ୍ରମିକଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଥାଇଲ୍ୟାଣ୍ଡ ଇମିଗ୍ରେସନ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଏହି ଶ୍ରମିକମାନେ ସେମାନଙ୍କର ଭିସା ଅବଧି ଠାରୁ ଅଧିକ ସମୟ ଧରି ରହିଥିବା କାରଣରୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରୁଛନ୍ତି ।
ସୂଚନାଯୋଗ୍ୟ, ୨୦ ଫେବୃଆରୀ ୨୦୨୬ରେ, ଏନଏଚଆରସି ଏକ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଥାଇଲ୍ୟାଣ୍ଡରେ ବନ୍ଦୀ ଶ୍ରମିକମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରଶ୍ନ କରିଥିଲେ । ଏନଏଚଆରସିଙ୍କ ଠାରୁ ସୂଚନା ପାଇବା ପରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଦକ୍ଷିଣ ପ୍ରଭାଗ ଥାଇଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କୁ ସେମାନଙ୍କୁ ମୁକ୍ତ କରିବାକୁ ଅନୁରୋଧ କରିଥିଲା ଏବଂ ଯେଉଁ କମ୍ପାନୀରେ ଛଅ ଜଣ ଶ୍ରମିକ କାମ କରୁଥିଲେ ସେଠାକାର ମାଲିକଙ୍କ ସହିତ ମଧ୍ୟ ଯୋଗାଯୋଗ କରିଥିଲା।
୧୭ ଫେବୃଆରୀ, ୨୦୨୬ ରେ, ଗଣମାଧ୍ୟମରେ ଏକ ଭିଡିଓ ପ୍ରକାଶ ପାଇଲା ଯେଉଁଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନେ ସେମାନଙ୍କର ଦୁର୍ଦ୍ଦଶା ବର୍ଣ୍ଣନା କରିଥିଲେ। ବ୍ୟାଂକକ ନିକଟସ୍ଥ ଏକ କାରଖାନାରେ ସେମାନଙ୍କୁ ମାଲିକ ବନ୍ଧକ ରଖିଥିଲେ ଏବଂ ସେଠାରେ ସେମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା। ସେମାନଙ୍କୁ ପ୍ଲାଏଉଡ୍ କାରଖାନାରେ ବିନା ଦରମାରେ ଏବଂ ଉପଯୁକ୍ତ ଖାଦ୍ୟ ବିନା ଦିନକୁ ୧୨ ଘଣ୍ଟା କାମ କରିବାକୁ ବାଧ୍ୟ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେମାନଙ୍କ ମାଲିକ ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରି ନେଇଥିଲେ।