Odisha news

ଅନୁଗୋଳ ‘ଧଉରାପାଲି ଦୋଳଯାତ୍ରା ଶତବାର୍ଷିକୀ ମହୋତ୍ସବ’ରେ କେନ୍ଦ୍ରମନ୍ତ୍ରୀ , ଦୋଳଯାତ୍ରା ଓଡ଼ିଆ ସଂସ୍କୃତି ଓ ଏକତାର ଅନନ୍ୟ ପରିଚୟ – ଧର୍ମେନ୍ଦ୍ର ପ୍ରଧାନ

0

• ଧଉରାପାଲି ଦୋଳଯାତ୍ରା ୧୦୦ ବର୍ଷ ପୂରଣ କରିବା ଐତିହାସିକ ଉପଲବ୍ଧି
• ଏହା ପୂର୍ବପୁରୁଷଙ୍କ ଭକ୍ତି, ଗ୍ରାମବାସୀଙ୍କ ମଧ୍ୟରେ ଥିବା ଏକତା ଏବଂ ସମୃଦ୍ଧ ପରମ୍ପରାର ପ୍ରତିଫଳନ
• ଧଉରାପାଲି ଓଡ଼ିଆ ଜନଜୀବନର ଏକ ନିଚ୍ଛକ ସାଂସ୍କୃତିକ ମହାସ୍ରୋତ
• ଏହି ମାଟିର ଆଧ୍ୟାତ୍ମିକ ପରିବେଶ ଏବଂ ଅତୀତର ସ୍ମୃତି ମୋତେ ସବୁବେଳେ ପ୍ରେରିତ କରିଛି

ଅନୁଗୋଳ/କିଶୋରନଗର, ଫେବୃୟାରୀ ୨୭ – ଦୋଳ ପୂର୍ଣ୍ଣିମା ଆଧ୍ୟାତ୍ମିକ ବିଜୟର ଉତ୍ସବ । ଓଡ଼ିଆ ସଂସ୍କୃତି ଓ ଏକତାର ଅନନ୍ୟ ପରିଚୟ । ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାଙ୍କର ଏହି ଦିବ୍ୟ ମିଳନ ପ୍ରେମ ଓ ଭକ୍ତି ହିଁ ଜୀବନର ଶ୍ରେଷ୍ଠ ପୁଞ୍ଜି ବୋଲି ବାର୍ତ୍ତା ଦେଇଥାଏ । ଶୁକ୍ରବାର ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକର ଧଉରାପାଲି ଗ୍ରାମଠାରେ ଆୟୋଜିତ ଐତିହାସିକ ‘ଦୋଳଯାତ୍ରା ଶତବାର୍ଷିକୀ ମହୋତ୍ସବ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଧଉରାପାଲି ଗ୍ରାମ ସହ ମୋର ସମ୍ପର୍କ ଅତି ନିବିଡ଼ ଓ ଦୀର୍ଘ ସମୟର । ମୋ ପାଇଁ ଧଉରାପାଲି କେବଳ ଏକ ଭୌଗୋଳିକ ଅବସ୍ଥିତି ନୁହେଁ, ବରଂ ଏହା ଓଡ଼ିଆ ଜନଜୀବନର ଏକ ନିଚ୍ଛକ ସାଂସ୍କୃତିକ ମହାସ୍ରୋତ । ଏହି ପବିତ୍ର ମାଟିର ଆଧ୍ୟାତ୍ମିକ ପରିବେଶ ଏବଂ ଅତୀତର ସ୍ମୃତି ମୋତେ ସବୁବେଳେ ପ୍ରେରିତ କରିଆସିଛି ।  ଧଉରାପାଲି ଦୋଳଯାତ୍ରା ୧୦୦ ବର୍ଷ ପୂରଣ କରିବା ଏକ ସାଧାରଣ ଘଟଣା ନୁହେଁ, ବରଂ ଏହା ଏକ ଐତିହାସିକ ଉପଲବ୍ଧି । ଗୋଟିଏ ଶତାବ୍ଦୀର ଏହି ଦୀର୍ଘ ଯାତ୍ରା ଆମ ପୂର୍ବପୁରୁଷଙ୍କ ଅଗାଧ ଭକ୍ତି, ଗ୍ରାମବାସୀଙ୍କ ମଧ୍ୟରେ ଥିବା ଅତୁଟ ଏକତା ଏବଂ ଆମ ସମୃଦ୍ଧ ପରମ୍ପରାର ପ୍ରତିଫଳନ । ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର ସମେତ ଅନେକ ଦେବଦେବୀଙ୍କ ପୀଠ ଏହି ମାଟିକୁ ପବିତ୍ର କରିଥିବା ବେଳେ ଏହି ଶତବାର୍ଷିକୀ ପାଳନ ଗାଁର ଉଚ୍ଚ ସଂସ୍କୃତି ଓ ପରମ୍ପରାର ଶ୍ରେଷ୍ଠ ପରିଚୟ ପ୍ରଦାନ କରୁଛି ।

ଏହି ଶୁଭ ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଶ୍ରୀଚରଣରେ କୋଟି କୋଟି ପ୍ରଣାମ ଜଣାଇବା ସହ ଧଉରାପାଲି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ଏବଂ ସମସ୍ତ ଗ୍ରାମବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

Leave A Reply