Odisha news

ଓଡ଼ିଆଙ୍କ ସ୍ୱପ୍ନକୁ ସକାର କରିବା ପାଇଁ ଆମେ ଆମର ଦାୟିତ୍ୱକୁ ବୁଝିବା – ଧର୍ମେନ୍ଦ୍ର ପ୍ରଧାନ

0

୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ପାଇଁ ହେଲେ ଆଗାମୀ ୧୦ ବର୍ଷ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଓଡ଼ିଶାକୁ ଅପପୁଷ୍ଟିରୁ ମୁକ୍ତ କରିବା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବାରଣ କରିବା,ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଗୋଟିଏ ପାଦ ଆଗକୁ ବଢାଇବା
ବିକଶିତ ଭାରତ ଡାଏଲୋଗର ଉଦ୍ଦେଶ୍ୟ ହେଉଛି ଯୁବବର୍ଗଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା
ଓଡ଼ିଶାରେ ରୋଜଗାର ବଢାଇବା ପାଇଁ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ ଏକ ଜନଆନ୍ଦୋଳନ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୧୧ – ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ପାଇଁ ହେଲେ ପ୍ରତିଟି ଓଡ଼ିଆଙ୍କୁ ନିଜର ଦାୟିତ୍ୱବୋଧ ବୁଝିବାକୁ ହେବ ।  ଓଡ଼ିଶାକୁ ଅପପୁଷ୍ଟିରୁ ମୁକ୍ତ କରିବା, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବାରଣ କରିବା, ବ୍ୟାପକ ବୃକ୍ଷରୋପଣ କରିବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ବଢାଇବାକୁ ହେବ । ଯେତେବେଳେ ଆମେ ନିଜର ଦାୟିତ୍ୱକୁ ଠିକ୍ ଭାବେ ବୁଝିପାରିବା, ସେତେବେଳେ ବିକଶିତ ଓଡ଼ିଶା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ଏବଂ ସମସ୍ତଙ୍କ ଅଧିକାର ପୂରା ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀ ଠାରେ ‘ବିକଶିତ ଭାରତ ୟଙ୍ଗ୍ ଲିଡର ଡାଏଲୋଗ୍ – ୨୦୨୬’ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ଯୁବ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି, ବିକଶିତ ଭାରତ ଡାଏଲୋଗର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ‘ବଣମଲ୍ଲୀକୁ ପାରିଜାତ ପୁଷ୍ପରେ’ ରୂପାନ୍ତରିତ କରିବା । ଆଲୋଚନା କାଳରେ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି, ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଆମ ଦେଶରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି । ଏହି ନୀତି କେବଳ ସହର ନୁହେଁ, ବରଂ ଗ୍ରାମାଞ୍ଚଳର ପିଲାମାନଙ୍କ ପାଇଁ ମଧ୍ୟ ସମାନ ସୁଯୋଗ ସୃଷ୍ଟି କରୁଛି । ଏହି ନୂତନ ଶିକ୍ଷା ନୀତିର ସବୁଠାରୁ ବଡ଼ ଶକ୍ତି ହେଉଛି ଟେକ୍ନୋଲୋଜି ।
ଆଜିର ଏଆଇ ଯୁଗରେ ଭାଷା ଆଉ ବାଧକ ହୋଇ ରହିବ ନାହିଁ । ଆଇଆଇଟି ମାଡ୍ରାସରେ ଯେଉଁ ଜଟିଳ ବିଷୟ ଇଂରାଜୀରେ ପଠାଯାଉଛି, ଏଆଇ ସାହାଯ୍ୟରେ ତାହା ଆମ ମାତୃଭାଷାରେ ରୂପାନ୍ତରିତ ହୋଇପାରୁଛି । ଏହାର ଅର୍ଥ, ଆଗାମୀ ଦିନରେ ଆମ ରାଇରଙ୍ଗପୁର କିମ୍ବା କୋରାପୁଟର ଜଣେ ଛାତ୍ର ମଧ୍ୟ ବିଶ୍ୱସ୍ତରୀୟ ଶିକ୍ଷା ନିଜ ଭାଷାରେ ପାଇପାରିବେ । ଏଆଇ କ୍ଷେତ୍ରରେ କାମ କରୁଥିବା ‘ସରଭମ୍’ ର ସହପ୍ରତିଷ୍ଠାତା ଓଡ଼ିଆ ପୁଅ ପ୍ରତ୍ୟୁଷ କୁମାର ଓଡ଼ିଶାର ଗୌରବ ବଢାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ବର୍ଷ ବର୍ଷ ଧରି ଆମେ ମାକାଉଲେଙ୍କ ଦ୍ୱାରା ପ୍ରଣୀତ ଶିକ୍ଷା ବ୍ୟବସ୍ଥାରେ ବାନ୍ଧି ହୋଇ ରହିଥିଲେ, ଯେଉଁଠି କେବଳ ଡିଗ୍ରୀକୁ ମାନ୍ୟତା ମିଳୁଥିଲା। କିନ୍ତୁ ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ‘ଡିଗ୍ରୀ ଅପେକ୍ଷା ଦକ୍ଷତା’କୁ ପ୍ରାଥମିକତା ଦେଉଛୁ । ସ୍କୁଲ ସ୍ତରରୁ ହିଁ ପିଲାମାନେ ନିଜ ରୁଚି ଅନୁସାରେ କୋଡିଂ, ସଙ୍ଗୀତ, କ୍ରୀଡ଼ା କିମ୍ବା ବୈଷୟିକ ଶିକ୍ଷା ଗ୍ରହଣ କରିପାରିବେ । ଆଇଆଇଟି ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ସ୍ପୋର୍ଟ୍ସ କୋଟା ଆରମ୍ଭ ହେବା ଆମ ଶିକ୍ଷା ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସେ କହିଥିଲେ ।
ଆମ ଦେଶ ଜ୍ଞାନ ଆଧାରିତ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବା ବେଳେ ନୂଆପିଢିର ପିଲାମାନଙ୍କୁ ଆଧୁନିକ ଦୁନିଆ ସହ ରୋଜଗାର ଦେବା ପାଇଁ ଏବେଠାରୁ ପ୍ରସ୍ତୁତ କରାଇବାକୁ ହେବ । ସେମାନଙ୍କୁ ନିଯୁକ୍ତି କରିବା ନୁହେଁ ବରଂ ନିଯୁକ୍ତିଦାତା କରାଇବା ପାଇଁ କର୍ତ୍ତବ୍ୟ କରିବାକୁ ହେବ । ୧୦୦ କ୍ୟୁବ୍ ତନ୍ମଧ୍ୟରୁ ଗୋଟିଏ କର୍ତ୍ତବ୍ୟ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ଶତାବର୍ଷିକୀ ପାଳନ କରିବା ବେଳେ ସ୍ଥାପନା ହେବାକୁ ଥିବା ୧୦୦ଟି ଷ୍ଟାର୍ଟଅପର ପ୍ରତ୍ୟେକ ଷ୍ଟାର୍ଟଅପର ମୂଲ୍ୟ ଆନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।

Leave A Reply