Odisha news

‘ସୋମନାଥ ସ୍ୱାଭିମାନ ପର୍ବ’କୁ ଭବ୍ୟ ଭାବରେ ପାଳନ କରିବା – ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଶାର ସମସ୍ତ ଶୈବପୀଠରେ ପୂଜାର୍ଚ୍ଚନା କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିବା
ସୋମନାଥ ମନ୍ଦିରର ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବା
ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ସମୃଦ୍ଧ କରିବା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା
ନୂଆଦିଲ୍ଲୀ/ଭୁବନେଶ୍ୱର, ଜାନୁଆରୀ ୦୯ –  ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ଦଳୀୟ ନେତୃତ୍ୱ, ମଣ୍ଡଳ ସଭାପତି, ପଦାଧିକାରୀ  ଏବଂ କାର୍ଯ୍ୟକର୍ତ୍ତାମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  
ଶ୍ରୀ ପ୍ରଧାନ କହିଛନ୍ତି, ୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ପ୍ରଥମ ଆକ୍ରମଣର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ ‘ସୋମନାଥ ସ୍ୱାଭିମାନ ପର୍ବ’ ଅନୁଷ୍ଠିତ ହେଉଛି । ସୋମନାଥ ସ୍ୱାଭିମାନ ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଠାରୁ ଦୁଇ ଦିନ ଗୁଜରାଟର ସୋମନାଥ ଗସ୍ତ କରିବା ସହ ‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ଓଁକାର ମନ୍ତ୍ର ଜପ କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ସମୃଦ୍ଧ କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସମସ୍ତ ଶୈବପୀଠରେ ଦଳର ସମସ୍ତ କାର୍ଯ୍ୟକର୍ତ୍ତାମାନେ ନିକଟସ୍ଥ ଶିବ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ଏବଂ ଦୀପ ପ୍ରଜ୍ଜ୍ୱଳନ କରିବେ । ବାବା ସୋମନାଥ ମନ୍ଦିରର ଇତିହାସ ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଆଲେଖ୍ୟର ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ସେହିପରି ଜାତୀୟ ଶିକ୍ଷା ନୀତିରେ ମାକାଉଲେଙ୍କ ଦାସତ୍ୱ ମାନସିକତାରୁ ମୁକ୍ତ ହେବା ପାଇଁ ସାମୂହିକ ଉଦ୍ୟମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।  

Leave A Reply