ବିଧାନସଭା ଠାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧଦିବସ ପାଳିତ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ହୁ ଇଜ୍ ହୁ’ ପୁସ୍ତକ ଲୋକର୍ପିତ
ଡାଏରୀ ଓ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ବାଚସ୍ପତି
ଭୁବନେଶ୍ୱର, ୦୨/୦୧/୨୦୨୬ : ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ କ୍ରାନ୍ତି ଆଣି ଦେଇଥିଲା । ଓଡ଼ିଶାର ମାଟି, ପାଣି, ପବନ ସହ ଓତଃପ୍ରୋତଃ ଭାବେ ଜଡ଼ିତ ମହତାବ ସାରା ରାଜ୍ୟରେ ଏକ ସଚେତନ ବାତାବରଣ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍କାଳ ଓଡ଼ିଶା ଓ ଭାରତବର୍ଷର ରାଜନୀତିକୁ ସେ ଆଚ୍ଛନ୍ନ କରି ରଖିଥିଲେ । ସ୍ୱାଧୀନତା ସଂଗ୍ରାମ ବ୍ୟତୀତ ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସେ ସୁପ୍ତ ଓଡ଼ିଆ ଜାତିର ପ୍ରାଣରେ ଅପୂର୍ବ ଜାଗରଣ ସୃଷ୍ଟି କରିଥିଲେ ।
ଆଜି ଡ. ହରେକୃଷ୍ଣ ମହତାବଙ୍କ ଶ୍ରାଦ୍ଧଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସାଂସଦ
ଶ୍ରୀ ଭର୍ତ୍ତୃହରି ମହତାବ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମ୍, ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଶ୍ରୀ ବାବୁ ସିଂ, ଶ୍ରୀ ବିଭୂତି ପ୍ରଧାନ, ଶ୍ରୀ ଶତ୍ରୁଘ୍ନ ଜେନା, ଶ୍ରୀ ଓମ୍ପ୍ରକାଶ ମିଶ୍ର, ଶ୍ରୀ ରଘୁନାଥ ଜଗଦଲା ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବିଧାୟିକା ସୀମାରାଣୀ ନାୟକ, ଉତ୍କଳ ସମ୍ମିଳନୀର ବରିଷ୍ଠ କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ବିଧାନସଭା ପରିସରରେ ଥିବା ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଏହି ଅବସରରେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ସପ୍ତଦଶ ଓଡ଼ିଶା ବିଧାନସଭାର ‘ଓଡ଼ିଶା ବିଧାନସଭା ସଦସ୍ୟ ପରିଚୟ ଗ୍ରନ୍ଥ ‘ହୁ ଇଜ୍ ହୁ’କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ପ୍ରତି ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଏହି ପୁସ୍ତକ ପ୍ରକାଶିତ ହେବାର ପରମ୍ପରା ରହିଛି । ସାଧାରଣତଃ ଏହି ପୁସ୍ତକ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ଜୀବନୀ ଓ ତଥ୍ୟ ଉପରେ ଆଧାରିତ । ଏଥିରେ ସଦସ୍ୟମାନଙ୍କର ଜନ୍ମସ୍ଥାନ, ଜନ୍ମ ତାରିଖ, ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଓ ଶିକ୍ଷାଗତ ଯୋଗ୍ୟତା ସହିତ ନିଜର କୃତିତ୍ୱପୂର୍ଣ୍ଣ କାର୍ଯ୍ୟସବୁ ବିଶଦ ଭାବେ ଉଲ୍ଲେଖ ରହିଛି । ଏହା ସହିତ ନିର୍ବାଚନରେ ହୋଇଥିବା ଦଳୀୟ ସ୍ଥିତି, ମହିଳାଙ୍କ ପ୍ରତିନିଧିତ୍ୱ ସଂଖ୍ୟା, କ୍ରମାନ୍ୱୟ ଭାବେ ବୟସର ଅନୁପାତ, ଶିକ୍ଷାଗତ ଯୋଗ୍ୟତା ସହିତ ବିଧାନସଭା ଓ ମାନ୍ୟବର ବିଧାୟକଙ୍କ ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏହି ପୁସ୍ତକରେ ସ୍ଥାନିତ ହୋଇଛି । ଏହି ପୁସ୍ତକ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଗବେଷକ, ବୁଦ୍ଧିଜୀବୀ, ବିଦ୍ୟାର୍ଥୀ ତଥା ଜନସାଧାରଣଙ୍କ ପାଇଁ ନିଶ୍ଚିତ ଭାବେ ଉପାଦେୟ ହୋଇପାରିବା ସହ ଜନସାଧାରଣମାନେ ତାଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ପାଇପାରିବେ ।
କାର୍ଯ୍ୟକ୍ରମରେ ବିଧାନସଭା ପକ୍ଷରୁ ନୂତନ ବର୍ଷ ଉପଲକ୍ଷେ ପ୍ରକାଶିତ ଡାଏରୀ ଓ କ୍ୟାଲେଣ୍ଡରକୁ ବାଚସ୍ପତି ଶ୍ରୀମତୀ ପାଢ଼ୀ ଲୋକାର୍ପିତ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ । ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ଲୋକସମ୍ପର୍କ ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
