Odisha news

ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

0
ଭୁବନେଶ୍ୱର, ତା ୩୦/୧୨/୨୦୨୫ : ଆଉ ୧ ଦିନ ପରେ ଆରମ୍ଭ ହେବ ନୂଆ ବର୍ଷ ୨୦୨୬ ।  ଏଥିପାଇଁ ୩୧ ତାରିଖ ରାତିରୁ ଶ୍ରୀମନ୍ଦିରରେ  ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ରହିବ ।  ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ବଡ ଦିନ ଡିସେମ୍ବର ୨୫  ତାରିଖ ପୂର୍ବରୁ ପ୍ରସ୍ତୁତି ଜାରି ରହିଛି । ଏହି ପରିପ୍ରେକ୍ଷୀରେ ନୂଆ ବର୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ କିପରି ପ୍ରସ୍ତୁତି ରହିଛି,  ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଏକ ବୈଠକରେ  ସମୀକ୍ଷା କରିଥିଲେ ।  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଉନ୍ନୟନ କମିଶନର  ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଡିଜି ପୁଲିସ୍ ଶ୍ରୀ ଓ୍ୱାଇବି ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡଃ. ଅରବିନ୍ଦ କୁମାର ପାଢ଼ୀ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ୍ ତାପସ କୁମାର  ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ, ପୁରୀ ଓ ଆରକ୍ଷୀ ଅଧିକ୍ଷକ ପୁରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢ଼ୀ କହିଥିଲେ ଯେ  ଶ୍ରୀମନ୍ଦିର  ନୀତି କାନ୍ତି ଅନୁଯାୟୀ ଡିସେମ୍ବର ୩୧ ତାରିଖ ରାତି ୧୧ ଟାଠାରୁ ଶ୍ରୀଜିଉମାନଙ୍କ ରାତି ପହୁଡ ନୀତି ଆରମ୍ଭ ହୋଇ  ରାତି ୨ ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ଏହା  ବଳବତ୍ତର ରହିବ ।   ରାତି  ୨ଟାରେ ଶ୍ରୀଜୀଉମାନଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇ ଭକ୍ତଙ୍କ  ପାଇଁ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ । ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ପ୍ରଚାରପ୍ରସାର ପାଇଁ ସୂଚନା ଦିଆଯାଇଛି ।  ଜନସାଧାରଣ ଯେପରି  ଏ ସଂପର୍କରେ ଭଲଭାବେ ସୂଚନା ପାଇବେ, ଏହାକୁ ବ୍ୟାପକ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।
ଜାନୁଆରୀ ୧ ତାରିଖରେ ନୂଆ ବର୍ଷ ଓ ପରବର୍ତ୍ତୀ ଦିନମାନଙ୍କରେ ଅନ୍ୟ ପର୍ବପର୍ବାଣୀ ଏବଂ ଜାନୁଆରୀ ୪ ତାରିଖରେ ରବିବାର ପଡୁଥିବାରୁ ଏହି ଦିନ ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ଜନଗହଳି ଲାଗିରହିବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ସ୍ୱତନ୍ତ୍ର  ପଦକ୍ଷେପ ନିଆଯାଇଛି ।  ମନ୍ଦିର ଭିତରେ ଓ ବାହାରେ  ସିସିଟିଭି ବ୍ୟବସ୍ଥା, ବ୍ୟାପକ ପୁଲିସ୍ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଅଧିକ ଜୋତା ଷ୍ଟାଣ୍ଡ , ସୁବିଧାରେ ଓ ଶୃଙ୍ଖଳିତ  ଦର୍ଶନ ପାଇଁ ଡାକବାଜି ଯନ୍ତ୍ର ଦ୍ୱାରା ବ୍ୟାପକ ସୂଚନା ବ୍ୟବସ୍ଥା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଅଧିକ ସଂଖ୍ୟକ  ଏନସିସି ଓ ସ୍ଥାନୀୟ ସ୍ୱଚ୍ଛାସେବୀ ମୁତୟନ  ରହିବେ । ବିଭିନ୍ନ ସ୍ଥାନରେ କଣ୍ଟୋଲ  ରୁମ କାର୍ଯ୍ୟକ୍ଷମ ହେବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା  ।  ନୂଆ ବର୍ଷ ପ୍ରସ୍ତୁତି ପରିପ୍ରେକ୍ଷୀରେ ପୁରୀ, କୋଣାର୍କ, ଚନ୍ଦ୍ରଭାଗା ଆଦି ବେଳା ଭୂମିରେ  ସୁରକ୍ଷା ପାଇଁ ପୁଲିସ ମୁତୟନ ଓ ପୁରୀରେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୂଚନା  ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଶ୍ରୀ ଜୀଉଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ନିୟୋଜିତ ସଂପୃକ୍ତ ସମସ୍ତଙ୍କୁ  ଅଧିକ ସଚେତନ ଓ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
Leave A Reply