Odisha news

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ  ମା’ ତାରିଣୀ ପୀଠର ବିକାଶ ପାଇଁ ୩୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ

0

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ  ମା’ ତାରିଣୀ ର ବିକାଶ ପାଇଁ ୩୧୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ବହୁ ପ୍ରତୀକ୍ଷିତ ସୌନ୍ଦର୍ଯ୍ୟୀକରଣ ଓ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିରେ ପାଖାପାଖି ୬୦ ଏକର ଅଞ୍ଚଳର ବିକାଶ କରାଯିବ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ, ଅବକାରୀ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କେନ୍ଦୁଝର ସାଂସଦ ଅନନ୍ତ ନାୟକ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଏକ ବିଶାଳ ରୋଡ୍ ‌ସୋ’ ଆସି ଘଟଗାଁ  ମା’ ତାରିଣୀ ମନ୍ଦିର ରେ ପହଁଚିଲେ । ଏହାପରେ ମିନି ଷ୍ଟାଡିୟମରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକଳ୍ପର ଶୁଭାରମ୍ଭ ତଥା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମା’ଙ୍କ ପୀଠ ସ‌ମେତ ପୂରା ଘଟଗାଁ ବଜାରକୁ ସୁସଜ୍ଜିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ  ସାଂସଦ ରବୀନ୍ଦ୍ର ନାରାୟଣ ବେହେରା,  ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ଆକାଶ ଦାସ ନାୟକ, ହିମାଂଶୁ ଶେଖର ସାହୁ, ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଘଟଗାଁ ହେବ ଓଡ଼ିଶାର ଏକ ପ୍ରମୁଖ ଆକର୍ଷଣୀୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତି କେନ୍ଦ୍ର। ଯାତ୍ରୀ ସୁବିଧା, ରାସ୍ତା ଓ ଯୋଗାଯୋଗ, ପୁଷ୍କରିଣୀ ସମୂହର ବିକାଶ, ସୁଦୃଶ୍ୟ ବ୍ୟାଖ୍ୟାନ କେନ୍ଦ୍ର, ଯାତ୍ରୀନିବାସ, ପ୍ରାଚୀର ସହ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା, ମନ୍ଦିର ଆଭ୍ୟନ୍ତରୀଣ ଓ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ବଡ଼ ବିକାଶ ଯୋଜନା ଏଥିରେ ଅନ୍ତର୍ଭୁକ୍ତ। ୨୧୬ ଶଯ୍ୟାବିଶିଷ୍ଟ ଯାତ୍ରୀନିବାସ, ୫୦୦ ଲୋକଙ୍କ ଏକସଙ୍ଗେ ପ୍ରସାଦସେବନ ବ୍ୟବସ୍ଥା, ନଡ଼ିଆ ଗୋଦାମ ସହିତ ମା’ ତାରିଣୀ ମନ୍ଦିର ସମ୍ବନ୍ଧିତ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ହେବ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତତ୍ତ୍ୱାବଧାନରେ ଏହି ବିକାଶ ଯୋଜନା ପ୍ରସ୍ତୁତ ହୋଇଛି। ଏହା ସହ ଯାତ୍ରୀ ସୁବିଧା କେନ୍ଦ୍ର, ଖାଦ୍ୟ ପ୍ରାଙ୍ଗଣ, ୱାଚ୍‌ ଟାୱାର ନିର୍ମାଣ ହେବ।

ମା’ ତାରିଣୀ ମନ୍ଦିର ସଂଲଗ୍ନ ଅଞ୍ଚଳର ବିକାଶ ସହ ଯାତ୍ରୀ ସୁବିଧା ପାଇଁ ପାଖାପାଖି ଅଞ୍ଚଳରେ ଅନେକ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ। ସୁଦୀର୍ଘ ପାର୍କିଂ ବ୍ୟବସ୍ଥା, ଅହରହ ଜଳଯୋଗାଣ, ବିଦ୍ୟୁତ୍‌ ଓ ଆଲୋକୀକରଣ, ଡ୍ରେନେଜ୍ ସୁବିଧା, ମନ୍ଦିର ସୀମା ପ୍ରାଚୀର ନିର୍ମାଣ, ଆଲୋକ ଓ ଧ୍ୱନି ବ୍ୟବସ୍ଥା ସହ ମନ୍ଦିର ଭିତରେ ଯାତ୍ରୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବାହାରୁ ଧାଡ଼ି ପରିଚାଳନା ଯୋଜନା ହୋଇଛି। ବୃହତ୍‌ ପୁଷ୍କରିଣୀର ବିକାଶ, ଛୋଟ ପୁଷ୍କରିଣୀ ତଥା ଘଟଗାଁ  ମା’ ତାରିଣୀ ପଛ ପାର୍ଶ୍ୱରେ ପୁଷ୍କରିଣୀ ଏବଂ ଶିଶୁ ଖେଳପଡ଼ିଆ ନିକଟ ପୁଷ୍କରିଣୀକୁ ସୁଦୃଶ୍ୟ କରିବାକୁ ଯୋଜନା ହୋଇଛି। ଜାତୀୟ ରାଜପଥ ତଥା ହରିଚନ୍ଦନପୁରକୁ ସଂଯୋଗ କରୁଥିବା ରାସ୍ତା ୧୨ ମିଟର ପ୍ରଶସ୍ତ କରାଯିବ। ମନ୍ଦିର ଆଭ୍ୟନ୍ତରୀଣ ସଂଯୋଗକାରୀ ରାସ୍ତାର ନବୀକରଣ ତଥା ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବ ବୋଲି ସ୍ଥାନୀୟ ଲୋକମାନେ ମତବ୍ୟକ୍ତ କରିଛନ୍ତି। ଓଡ଼ିଶାର ଅର୍ଥନୀତି ବିକାଶରେ କେନ୍ଦୁଝର ଦୀର୍ଘ ଦଶନ୍ଧି ଧରି ବଡ଼ ଭୂମିକା ନେଇ ଆସିଛି। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବାରୁ ଲୋକଙ୍କ ମଧ୍ୟରେ ଅନେକ ଆଶା ଓ ଉତ୍ସାହ ରହିଛି।

Leave A Reply