ମତଦାନ ସମୟରେ ବିଜେଡିର ପୋଲିଂ ଏଜେଂଟ ଅଭିଯୋଗ କଲେ ନାହିଁ କାହିଁକି?
ମତଦାନର ଦୁଇଦିନ ପରେ ଭୁବନେଶ୍ୱରରେ ବସିଥିବା ବିଜେଡିର କେତେଜଣ ତଥାକଥିତ ନେତା ଏବେ ମିଥ୍ୟା ଆରୋପ ଲଗାଇବା ଆରମ୍ଭ କରିଛନ୍ତି
ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡାବାସୀଙ୍କ ଅଗାଢ ଭଲପାଇବାକୁ ବିଜେଡି ସହ୍ୟ କରି ପାରୁନାହିଁ
ହତାଶାଭାବ ଲୁଚାଇବା ପାଇଁ ବିଜେଡି ଏବେ ନାଟକ କରୁଛି
ଭୋଟ ପ୍ରତିଶତ ଉପରେ ପ୍ରଶ୍ନ ଉଠାଇ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ବିଜେଡି
ଭୁବନେଶ୍ୱର, ତା.୧୩/୧୧: ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି । ଆସନ୍ନ ପରାଜୟର ହତାଶ ହୋଇ ତାଙ୍କ ଦଳର ନେତାମାନେ ବିଭିନ୍ନ ପ୍ରକାର ବାହାନା ଖୋଜିବା ସହ ପ୍ରଳାପ ଆରମ୍ଭ କଲେଣି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ଉପନିର୍ବାଚନରେ ତାଙ୍କ ଦଳର ମୁଖିଆ ନବୀନ ପଟ୍ଟନାୟକ ପଚାର କରିବେ ନାହିଁ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲା । ପରେ ଅବସ୍ଥା ଏପରି ହୋଇଥିଲା ଯେ, ନବୀନବାବୁ ଦୁଇ ଦୁଇ ଥର ନିର୍ବାଚନୀ ପ୍ରଚାରରେ ଯାଇଥିଲେ । ଆଉ ଯେଉଁ ପ୍ରକାର ଅପଶବ୍ଦ ଓ ଭାଷା ପ୍ରୟୋଗ କଲେ ତାହା ରାଜନୀତିରେ ଆଦୌ ଗ୍ରହଣୀୟ ନୁହେଁ । ପରବର୍ତୀ ସମୟରେ ତାଙ୍କ ଦଳର ଜଣେ ବରିଷ୍ଠ ନେତ୍ରୀ ବିଜେପି ଉପରେ ମିଥ୍ୟା ଆରୋପ ଲଗାଇବାକୁ ଯାଇ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ, ଗଞ୍ଜାମରୁ କୁଆଡ଼େ ଗୋଟିଏ ଟ୍ରକ୍ ଇଭିଏମ୍ ନୂଆପଡ଼ା ଆସିଛି । ପରେ ତାଙ୍କ ଦଳର ଜଣେ ବରିଷ୍ଠ ନେତା ଏଡିଟ୍ ହୋଇଥିବା ଏକ ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭୋଟ ଏପଟସେପଟ ହୋଇଥିବା ଆରୋପ ଲଗାଇ ନୂଆପଡ଼ାବାସୀଙ୍କୁ ଭ୍ରମିତ କଲେ । ଗଣତନ୍ତ୍ରକୁ ସମ୍ମାନ ଦେଇ ନୂଆପଡ଼ାବାସୀ ଚଳିତ ନିର୍ବାଚନରେ ଯେଉଁ ପ୍ରକାର ଭୋଟିଂ କରିଛନ୍ତି, ସେହି ଭୋଟ ପ୍ରତିଶତ ଉପରେ ଏବେ ପ୍ରଶ୍ନ ଉଠାଇବା ଆରମ୍ଭ କରିିଛି ବିଜେଡି । ଏଭଳି ଆରୋପ ଗଣତନ୍ତ୍ର ଓ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ।
ଏହି ଉପନିର୍ବାଚନରେ ବିଜେପି ଏକା ଲଢ଼େଇ କରୁ ନ ଥିଲା । ୧୪ ଜଣ ପ୍ରାର୍ଥୀ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ନିଜକୁ ଶୃଙ୍ଖଳିତ ତଥା ବଡ ଦଳ ବୋଲି କହୁଥିବା ବିଜେଡିର ଏଜେଂଟ ପୋଲିଂ ବୁଥ୍ରେ ଥିଲେ ନା ନାହିଁ? ଯଦି ଥିଲେ ମତଦାନ ଚାଲିଥିବା ସମୟରେ କାହିଁକି ଅଭିଯୋଗ କରି ନ ଥିଲେ? ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ କିଛି ଶୃଙ୍ଖଳିତ ଥିବାବେଳେ ଏବେ ମତଦାନର ଦୁଇଦିନ ପରେ ଭୁବନେଶ୍ୱରରେ ବସିଥିବା ବିଜେଡିର କେତେଜଣ ତଥାକଥିତ ନେତା ଏବେ ଏଭଳି ମିଥ୍ୟା ଆରୋପ ଲଗାଇବା ଆରମ୍ଭ କରିଛନ୍ତି । ନିର୍ବାଚନ ସମୟରେ ସେଠାରେ ଅନେକ ଗଣମଧ୍ୟାମର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । କେହି ବି ଭୋଟ ଏପଟସେପଟ ହୋଇଥିବା କହି ନ ଥିବାବେଳେ ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ଏଭଳି ଆରୋପ ଲଗାଇବା ସମ୍ପୂର୍ଣ୍ଣ କପଳୋକଳ୍ପିତ ଓ ଭିତିହୀନ । ଏହା ବିଜେଡିର ହତାଶାଭାବକୁ ପରିପ୍ରକାଶ କରିଛି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡାବାସୀଙ୍କ ଅଗାଢ ଭଲପାଇବାକୁ ବିଜେଡି ସହ୍ୟ କରି ପାରୁନାହିଁ, ଯାହା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରୀ ହୋଇପଡୁଛି । ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ଏହି ହତାଶ ଭାବକୁ ଲୁଚାଇବା ପାଇଁ ବିଜେଡି ଏଭଳି ମିଛ ବୟାନବାଜୀ କରୁଛି, ଯାହା ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ଅବାଧ ଓ ନିରପେକ୍ଷ ନିର୍ବାଚନରେ ବିଶ୍ୱାସ କରେ । ନିର୍ବାଚନରେ କୌଣସି ପ୍ରକାର ଅନିୟମିତତାକୁ ଭାରତୀୟ ଜନତା ପାର୍ଟି ନା ପୂର୍ବରୁ କେବେ ପ୍ରଶୟ ଦେଇଥିଲା ନା ଏବେ ଦେବ । ବିଜେଡି କେଉଁ କାରଣ ପାଇଁ ଲୋକଙ୍କ ପାଖରୁ ଦୂରେଇ ଗଲା ତାର ଆତ୍ମ ସମୀକ୍ଷା ନ କରି ଏ ପ୍ରକାର ବିତଣ୍ଡା ଯୁକ୍ତି କରି କୌଣସି ଲାଭ ପାଇବ ନାହିଁ । ବିଜେଡି ପୂର୍ବରୁ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇସାରିଥିବାବେଳେ ଏବ ନୂଆପଡ଼ାବସୀଙ୍କଠାରୁ ହେବେ । ବିଜୁ ଜନତା ଦଳ ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ, ତେଣୁ ଏହି ପ୍ରକାର କଥାବାର୍ତା କରିବା ଆରମ୍ଭ କରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।