ପ୍ରେମିକା ମାଧ୍ୟମରେ କଲେଜର ୯୭ ଲକ୍ଷ ଟଙ୍କା ହଡପ ମାମଲା : ଜାମସେଦପୁରରୁ ପ୍ରେମିକ ଗିରଫ
ଅନ୍ଲାଇନ୍ ଜୁଆ ଖେଳିଛି ୫୦ ଲକ୍ଷ , ପାଞ୍ଚ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତ
ଭୁବନେଶ୍ୱର,(ନି.ପ୍ର): ପ୍ରେମିକା ମାଧ୍ୟମରେ କଲେଜର ୯୭ ଲକ୍ଷ ଟଙ୍କା ହଡପ କରିଥିବା ପ୍ରେମିକକୁ ଜାମସେଦପୁରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ପାଞ୍ଚ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଥିବାବେଳେଳ ସେ ହଡପ ୯୭ ଲକ୍ଷରୁ ୫୯ ଲକ୍ଷ ଟଙ୍କା ଅନ୍ଲାଇନ୍ରେ ଜୁଆ ଖେଳିଥିବା ପୋଲିସକୁ କହିଛି ବୋଲି ସୂଚନା ମିଳିଛି । ୯୭ ଲକ୍ଷ ଟଙ୍କା ସର୍ମ୍ପକରେ ପାଞ୍ଚ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡ ଅବଧିରେ ବିଭିନ୍ନ ଦିଗକୁ ଆଧାର କରି ପ୍ରେମିକ ବିକାଶ କୁମାରଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି ।
ପାୟଲ ନାମକ ଜଣେ ୨୭ ବର୍ଷିୟା ଯୁବତୀ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି । ଏହି କଲେଜରେ ପୂର୍ବରୁ ପାଠ ପଢୁଥିବା ଝାଡଖଣ୍ଡର ବିକାଶ କୁମାରଙ୍କୁ ସେ ପ୍ରେମ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ନିବିଡ ହୋଇଥିବାରୁ ଟଙ୍କା ପଇସା ଉପହାର ଦିଆନିଆ ହୁଏ । ବିକାଶର ପାଠପଢା ସରିବା ପରେ ସେ ନିଜ ଗାଁ ଝାଡଖଣ୍ଡକୁ ଚାଲି ଯାଇଥିଲା ।
ଝାଡଖଣ୍ଡ ଗଲେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ବଜାୟ ରହିଥିଲା । ଚାରି ବର୍ଷ ମଧ୍ୟରେ ବିଭିନ୍ନ ବାହାନା କରି ବିକାଶ ପାୟଲଙ୍କଠାରୁ ଗୁଗୁଲ୍ ପେ’, ପୋନ୍ ପେ’ ଓ ଅନ୍ୟାନ୍ୟ ସର୍ମ୍ପକୀୟଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ନେଇଛି । କିଛିଦିନ ତଳେ କଲେଜ କର୍ତ୍ତୃପକ୍ଷ ଅଡିଟ୍ ମାଧ୍ୟମରେ ଟଙ୍କା ହଡପ ସର୍ମ୍ପକରେ ଜାଣିବାପରେ ପାୟଲ ଓ ତାଙ୍କ ପ୍ରେମିକ ବିକାଶ କୁମାରଙ୍କ ନାମରେ ତମଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ପୋଲିସ ତଦନ୍ତ କରିବା ସହ ପାୟଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜେରା ବେଳେ ପାୟଲ ୯୭ ଲକ୍ଷ ଟଙ୍କା ପ୍ରେମିକ ବିକାଶଙ୍କୁ ପଠାଇଥିବା କହିଥିଲା । ପାୟଲର ସମସ୍ତ ବୟାନକୁ ପୋଲିସ ଭିଡିଓ ରେକର୍ଡ କରିବା ସହ ବିକାଶ କୁମାରଙ୍କ ସର୍ମ୍ପକରେ କଲେଜରୁ ତଥ୍ୟ ସଂଗ୍ରହ କରିଥିଲା ।
ଏକ ତଦନ୍ତକାରୀ ସ୍ୱତନ୍ତ୍ର ଟିମ୍ ଝାଡଖଣ୍ଡ ଜାମସେଦପୁରକୁ ଯାଇ ବିକାଶକୁ ସେଠିକା ପୋଲିସ ସହାୟତାରେ ଗିରଫ କରିବାପରେ ପାଞ୍ଚ ଦିନିଆ ରିମାଣ୍ଡରେ ଭୁବନେଶ୍ୱର ଆଣିଛି । ବିକାଶ ୯୭ ଲକ୍ଷ ଟଙ୍କା କଣ କଲା ବୋଲି ପୋଲିସ ପ୍ରାଥମିକ ଜେରାବେଳେ ପଚରାଉଚରା କରିବାରୁ ସେ ୫୦ ଲକ୍ଷ ଟଙ୍କା ଅନଲାଇନ୍ ଜୁଆ ଖେଳିଥିବା ସ୍ୱିକାର କରିଛି । ବିଭିନ୍ନ ଆପ୍ ମାଧ୍ୟମରେ ଆସିଥିବା ବିଭିନ୍ନ ଲଟେରିରେ ଟଙ୍କା ଲଗାଇ ହାରି ଯାଇଥିବା କହୁଥିବାବେଳେ ପୋଲିସ ତାହାର ବୟାନକୁ ସତ ବୋଲି ବିଶ୍ୱାସ କରୁ ନାହିଁ । ଅବଶିଷ୍ଟ ଟଙ୍କା କଣ କଲ ବୋଲି ପଚାରିବାରୁ ଷ୍ଟାର ହୋଟେଲ୍ କ୍ରାଉନ୍ରେ ଖର୍ଚ୍ଚ ହେବା ସହ କେତେକ ଟଙ୍କା ଟ୍ରାଭେଲରେ ଖର୍ଚ୍ଚ ହୋଇଥିବା ବିକାଶ କହିଛି । ଆଉ କେତେକ ଟଙ୍କା କୁଆଡେ ଗଲା ବୋଲି ପୋଲିସ ପଚରାଉଚରା କରିବାରୁ ବନ୍ଧୁ ବାନ୍ଧବମାନଙ୍କୁ ପଠାଇଥିବା ବିକାଶ କହୁଛି । ବିକାଶର ବୟାନ୍କୁ ପୋଲିସ ବିଶ୍ୱାସ କରୁନଥିବାରୁ ଆବଶ୍ୟକ ହେଲେ ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଛି । ସତମିଛ ପରୀକ୍ଷା ହେଲେ ବିକାଶ ୯୭ ଲକ୍ଷ ଟଙ୍କା କିପରି ଖର୍ଚ୍ଚ କଲା ତାହା ଧରାପଡିବ ବୋଲି କୁହାଯାଉଛି ।
ଯେଉଁ ମୋବାଇଲ୍ରେ ଜୁଆ ଖେଳୁଥିଲା ସେ ମୋବାଇଲକୁ ଭାଙ୍ଗି ଦେଇଥିବା କହିବାରୁ ପୋଲିସ ତାହା ବୟାନ ଉପରେ ଅଧିକ ସନେ୍ଦହ ପ୍ରକଟ କରୁଛି । ଚାରି ବର୍ଷ ମଧ୍ୟରେ ଏତେ ଗୁଡିଏ ଟଙ୍କା କିପରି ପ୍ରେମିକା ମାଧ୍ୟମରେ ପ୍ରେମିକ ହଡପ କଲା ତାହା କଲେଜ କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ, ସେଥିନେଇ ସନେ୍ଦହ ସୃଷ୍ଟି ହେବା ସ୍ୱାଭାବିକ । କଲେଜର ପ୍ରତିବର୍ଷ ବାର୍ଷିକ ଟଙ୍କାର ହିସାବ କଣ ହୁଏ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଧ ବିଶେଷଜ୍ଞ । ଛାତ୍ରଛାତ୍ରୀଙ୍କ ଆଡିମିସନ୍ ଓ ଟ୍ୟୁସନ୍ ବାବଦ ଟଙ୍କାକୁ କଲେଜ ଆକାଉଣ୍ଟରେ ଆକାଉଣ୍ଟାଣ୍ଟ ପାୟଲ୍ ଦାଖଲ କରୁନଥିଲେ ତାହା କଣ ମାଲିକ ଜାଣି ପାରୁନଥିଲେ କି ? ଏହିସବୁ ପ୍ରଶ୍ନବାଚୀକୁ ନେଇ ପୋଲିସର ତଦନ୍ତ ଆଗକୁ ବଢୁଛି । ଦରକାର ପଡିଲେ ଉଭୟଙ୍କୁ ହଡପ ୯୭ ଟଙ୍କାର ହିସାବ ଜାଣିବାପାଇଁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ଜେରା କରାଯାଇପାରେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ବିକାଶଙ୍କ ବୟାନର ସତ ମିଛ ପରୀକ୍ଷା ହେଲେ ସେ କହୁଥିବା କଥା ସତ କି ମିଛ ତାହା ଜଣାପଡିବ । ସେ ୯୭ ଲକ୍ଷ ଟଙ୍କା ହଡପର ଯେଉଁ ହିସାବ ଦେଉଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ବୋଲି ସନେ୍ଦହ କରୁଛି ପୋଲିସ ।