Odisha news

ପାୱାରବ୍ୟାଙ୍କ ବିକ୍ରୀ କରି ଠକେଇ ଉଦ୍ୟମ: ଦୁଇ ମହିଳା ଗିରଫ

0

ଭୁବନେଶ୍ୱର,(ନି.ପ୍ର): କ୍ୟାପିଟାଲ ଥାନା ପୋଲିସ ନକଲି ପାୱାରବ୍ୟାଙ୍କ ଗ୍ୟାଙ୍ଗର ଦୁଇ ମହିଳାଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କଠାରୁ ପୋଲିସ ୧୫ଟି ନକଲି ପାୱାରବ୍ୟାଙ୍କ ଜବତ କରିଛି ।
ସୋମବାର ଦିନ ପ୍ରାୟ ୧୦ଟା ୩୦ ସମୟରେ ଅଭିଯୋଗକାରୀ ଏସ୍ବିଆଇ ମୁଖ୍ୟ ଶାଖା ନିକଟ ୟୁନିଟ୍ -୧ରେ ଥିବା ତାଙ୍କ ଫ୍ରୁଟ ଷ୍ଟଲରେ ଥିବାବେଳେ ଦୁଇଜଣ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ସେମାନଙ୍କଠାରୁ ୫୦୦ ଟଙ୍କା ମୂଲ୍ୟର ମୋବାଇଲ୍ ପାୱାର ବ୍ୟାଙ୍କ କିଣିବାକୁ ପ୍ରବର୍ତ୍ତାଇଥିଲେ । ଅଭିଯୋଗକାରୀ ସେମାନଙ୍କଠାରୁ ୧୦୦୦ ଟଙ୍କା ଦେଇ ଦୁଇଟି ପାୱାର ବ୍ୟାଙ୍କ କିଣିଥିଲେ । ତା’ପରେ ଅଭିଯୋଗକାରୀ ସିଲ୍ ପ୍ୟାକେଟ୍ ଚିରି ପାୱାର ବ୍ୟାଙ୍କ ଦ୍ୱାରା ମୋବାଇଲ ଚାର୍ଜିଂରେ ରଖିଥିଲେ ମଧ୍ୟ ଚାର୍ଜ ହୋଇନଥିଲା । ତା’ପରେ ଅଭିଯୋଗକାରୀ ପାୱାର ବ୍ୟାଙ୍କ ଖୋଲି ଦେଖିଲେ ବେଳକୁ ପାୱାର ବ୍ୟାଙ୍କ ଭିତର ଅଂଶରେ କାଦୁଅ ଅଛି । ଅଭିଯୋଗକାରୀ ପରେ ସେହି ସଂକ୍ରାନ୍ତରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ତଦନ୍ତ ସମୟରେ ମାର୍କେଟ ପରିସରରେ ଯାଞ୍ଚ ସମୟରେ ଉଭୟ ଅଭିଯୁକ୍ତ ମହିଳାମାନଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କଠାରୁ ଗାଟିଏ ହ୍ୟାଣ୍ଡବ୍ୟାଗ ଠାବ କରାଯାଇଥିଲା ଯେଉଁଥିରେ ୧୫ ଟି ପାୱାର ବ୍ୟାଙ୍କ ଥିଲା । ସମସ୍ତ ପାୱାର ବ୍ୟାଙ୍କ ଖୋଲିବା ପରେ ପ୍ରତ୍ୟେକ ପାୱାର ବ୍ୟାଙ୍କ କାଦୁଅରେ ଭର୍ତି ଥିବାର ଜଣାପଡିଥିଲା । ଅସାଧୁ ଉଦେ୍ଦଶ୍ୟରେ ଅଭିଯୁକ୍ତ ମହିଳାମାନେ ପାୱାର ବ୍ୟାଙ୍କ ଭିତରେ ଓଦା କାଦୁଅ ରଖି ଅଭିଯୋଗକାରୀଙ୍କୁ ତଥା ଅନ୍ୟମାନଙ୍କୁ ପ୍ରତାରଣା କରି କମ୍ ମୂଲ୍ୟରେ ଜନସାଧାରଣଙ୍କ ନିକଟରେ ବିକ୍ରି କରୁଥିବାର ସେମାନେ ତଦନ୍ତ ବେଳେ ସ୍ୱୀକାର କରିଥିଲେ । କ୍ୟାପିଟାଲ ପୋଲିସ ସେମାନଙ୍କଠାରୁ ୧୫ ଟି ନକଲି ପାୱାର ବ୍ୟାଙ୍କ ସହ ଅଭିଯୋଗକାରୀଙ୍କର ୧୦୦୦ ଟଙ୍କା ଜବତ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Govt
Leave A Reply