Odisha news

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚାପ ପରେ ଦୁଷ୍କର୍ମକାରୀମାନଙ୍କୁ ଗିରଫ କଲେ ପଶ୍ଚିମବଙ୍ଗ ସରକାର : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

0

ଭୁବନେଶ୍ୱର, ତା.୧୫/୧୦: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଏକ ଘରୋଇ ଡାକ୍ତରୀ କଲେଜରେ ପଢ଼ୁଥିବା ଜଣେ ଓଡ଼ିଆ ଛାତ୍ରୀଙ୍କୁ କିଛିଦିନ ତଳେ ଅତି ନିର୍ମମ ଭାବେ ଗଣଦୁଷ୍କର୍ମ କରାଯାଇଥିଲା । ଏତ୍ୟ ଅତ୍ୟନ୍ତ ଅମାବନୀୟ ଲଜ୍ଜାଜନକ ଘଟଣା । ଏହାକୁ ଯେତେ ନିନ୍ଦା କଲେବି କମ୍ ହେବ । ଏହି ଗଣଦୁର୍ଷ୍କମ ପରେ ଅପରାଧିମାନଙ୍କୁ ଧରିବା ପାଇଁ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ସରକାର କୌଣସି ପ୍ରୟାସ କରି ନ ଥିଲେ । ଓଡ଼ିଶାର ସରକାର ତାଙ୍କ ଉପରେ ଚାପ ନ ପକାଇବା ପର୍ଯ୍ୟନ୍ତ ବାନାର୍ଜୀଙ୍କ ସରକାର ଚୁପ୍ ବସିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚାପ ପରେ ଦୁଷ୍କର୍ମକାରୀମାନଙ୍କୁ ଗିରଫ କରାଯାଇଥିଲା ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଡା. ବିଶ୍ୱାଳ ସୁଚନା ଦେଇ କହିଛନ୍ତି ଯେ, ଗତକାଲି ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ସହ ସେ ଏବଂ ମାନ୍ୟବର ସାଂସଦ ପ୍ରତାପ ଷଡଙ୍ଗୀ ଦୁର୍ଗାପୁର ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ । ପୀଡିତାଙ୍କ ସହ ଆଲୋଚନା ସମୟରେ ସେ ବହୁତ ମାନସିକ ଚାପରେ ଥିବା ଜଣାପଡ଼ିଥିଲା । ଅପରପକ୍ଷେ ମମତା ବାନାର୍ଜୀ ପୀଡ଼ିତାଙ୍କ ନାମରେ ମିଛ ବୟାନ ବାଜି କରିଥିବା ଜଣାପଡ଼ିଛି । ମମତା ବାନାର୍ଜୀ ମିଛ କହିଥିଲେ ଯେ, ପୀଡ଼ିତା ରାତି ୧୨ଟା ପରେ ମେଡିକାଲ କ୍ୟାମ୍ପସ ବାହାରକୁ ଯାଇଥିଲେ । ଯେବେକି ମେଡିକାଲ କଲେଜର ପ୍ରେସ ରିଲିଜ ଅନୁସାରେ ପୀଡ଼ିତା ସନ୍ଧ୍ୟା ପ୍ରାୟ ୮ଟା ବେଳେ କ୍ୟାମ୍ପସ ବାହାରକୁ ଯାଇଥିଲେ । ଏଥିରୁ ମମତାଙ୍କ ମିଛ ପଦାରେ ପଡ଼ିଯାଇଛି । ଜଣେ ମହିଳା ହିସାବରେ ମମତାଙ୍କ ସହାନୁଭୂତି ମହିଳାମାନଙ୍କ ଉପରେ ରହିବା କଥା, ଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ଦୟାଭାବ ଦେଖାଇବା କଥା । କିନ୍ତୁ ସେ ଅପରାଧିମାନଙ୍କୁ ବଂଚାଇବାକୁ ଯାଇ ପୀଡ଼ିତାଙ୍କ ନାଁରେ ମିଛ କହୁଛନ୍ତି । ମମତା କହୁଛନ୍ତି, ରାତିରେ ମହିଳାମାନଙ୍କୁ ବାହାରକୁ ବାହାରିବା କଥା ନୁହେଁ । ଯାହାକି ଅତ୍ୟନ୍ତ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୟାନ । ଏହାଶୁଣି ଭାରତରେ ରହୁଥିବା ପ୍ରତ୍ୟେକ ମହିଳାଙ୍କ ମନରେ ଆକ୍ରୋଶ ଓ କ୍ରୋଧଭାବ ଉତ୍ପନ୍ନ ହୋଇଛି । ଏନେଇ ସର୍ବସମ୍ମୁଖରେ ମା’ଭଉଣୀମାନଙ୍କୁ ମମତା ବାନାର୍ଜୀ କ୍ଷମା ମାଗନ୍ତୁ ।
ସେ ସବୁବେଳେ ବିଜେପିର ଓଡ଼ିଶା ସରକାରଙ୍କ ବିରୋଧରେ ବିରୋଧୀ ଦଳ ନେତା ଭଳି ସ୍ୱର ଉତୋଳନ କରୁଛନ୍ତି । ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇଆସୁଛନ୍ତି । ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଘଟଣାରେ ମମତାଙ୍କ ମିଛ ବୟାନବାଜୀ ଓ ନବୀନଙ୍କ ନୀରବତା ମହିଳାଙ୍କ ପ୍ରତି ସେମାନଙ୍କ ହେୟ ମନୋଭାବକୁ ପରିପ୍ରକାଶ କରିଛି । ମମତା ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ଡା.ବିଶ୍ୱାଳ କହିଛନ୍ତି ।
ଭାରତୀୟ ଜନତା ପାର୍ଟି ପୀଡ଼ିତାଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଓ ତାଙ୍କ ଉଜ୍ୱଳ ଭବିିଷ୍ୟତ କାମନା କରିବା ସହ କ୍ଷତିପୂରଣ ଦାବି କରୁଛି । ବାସ୍ତବରେ ଯଦି ଓଡିଆମାନଙ୍କ ପ୍ରତି ମମତାଙ୍କ ସମ୍ମାନ ରହିଛି, ପଶ୍ଚିମବଙ୍ଗରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ନୁହେଁ ମଣିଷ ହିସାବରେ ଦେଖନ୍ତି ତାହା ପ୍ରମାଣ କରନ୍ତୁ । ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ସେ ନିଜ ହାତକୁ ନିଅନ୍ତୁ । ପଶ୍ଚିମବଙ୍ଗରେ ରହୁଥିବା ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ଡା. ବିଶ୍ୱାଳ କହିଛନ୍ତି ।

Leave A Reply